୪ ବର୍ଷ ମଧ୍ୟରେ କେଉଁଠି ଫେଲ୍ ମାରିଲେ ମୋଦି ! ଜାଣନ୍ତୁ ଚାକିରି ପ୍ରତିଶ୍ରୁତି ଠାରୁ ଆରମ୍ଭ କରି କୃଷକଙ୍କ ଅବସ୍ଥା

60

ପ୍ରଧାନମନ୍ତ୍ରୀ ମୋଦି ଆଜି ଓଡ଼ିଶା ଆସୁଛନ୍ତି । କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ୪ବର୍ଷର ହିସାବ ଦେବେ ପ୍ରଧାନମନ୍ତ୍ରୀ । ଏଥିପାଇଁ କଟକ କିଲ୍ଲା ପଡିଆରେ ବ୍ୟାପକ ବନ୍ଦୋବସ୍ତ କରିଛି ରାଜ୍ୟ ବିଜେପି । ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଗୋଟିଗୋଟି କରି ସବୁ ପ୍ରସ୍ତୁତିର ତର୍ଜମା କରିଛନ୍ତି । ପୂର୍ବ ନିର୍ଦ୍ଧାରିତ କାର୍ୟ୍ୟସୂଚୀ ମୁତାବକ ଅପରାହ୍ମ ୩ଟା ୨୦ରେ କଟକ ମହାନଦୀ ପଠାରେ ଥିବା କିଲ୍ଲା ପଡିଆରେ ପହଂଚି ଜନକଲ୍ୟାଣ ସମାବେଶରେ ନିଜ ପ୍ରଥମ ପାଳିର ଚତୁର୍ଥ ବର୍ଷର ସଫଳତା କଥା କହିବେ ପ୍ରଧାନମନ୍ତ୍ରୀ ମୋଦି । ଯୋଜନା ମୁତାବକ ୪୮ ମାସରେ ଓଡିଶା ପାଇଁ ମୋଦିଙ୍କ ୪୮ଟି ଯୋଜନାକୁ ନେଇ ବିଜେପି ପ୍ରସ୍ତୁତ କରିଥିବା ପୁସ୍ତକକୁ ଆଜି ଉନ୍ମୋଚନ କରାଯିବ । ପ୍ରଧାନମନ୍ତ୍ରୀ ହେବାପରେ କଟକ ହେବ ମୋଦିଙ୍କ ଷଷ୍ଠ ଓଡିଶା ଗସ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଦ୍ୱିତୀୟବର୍ଷ ପୂର୍ତି ପାଳନ ଲାଗି ବାଲେଶ୍ୱର ଆସିଥିଲେ । ଏବେ ପୁଣି ଚତୁର୍ଥ ବର୍ଷ ପୂର୍ତି ପାଳନ ବେଳେ ଓଡିଶା ଆସୁଛନ୍ତି ।

ମୋଦି ସରକାରଙ୍କ କାର୍ଯ୍ୟକାଳର ୪ ବର୍ଷର ଅନେକ ମୁଦ୍ଦା ରହିଛି, ଯାହାକୁ ପୂରଣ କରିପାରି ନାହାନ୍ତି ମୋଦି ସରକାର । ଏହାର ଅର୍ଥ ମୋଦି ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିପାରିନାହାନ୍ତି । ଆସନ୍ତୁ ଏପରି କିଛି ମୁଦ୍ଦା ଉପରେ ଆଲୋଚନା କରିବା ।

କଳାଧନ : ଭାରତୀୟ ଜନତା ପାର୍ଟି ସାଧାରଣ ନିର୍ବାଚନ ପୂର୍ବରୁ ବିଦେଶରେ ଜମା ହୋଇଥିବା ଭାରତୀୟଙ୍କ କଳାଧନକୁ ଫେରାଇ ଆଣିବା ପାଇଁ କଥା ଦେଇଥିଲେ । ମୋଦି ସରକାର ଶାସନକୁ ଆସିବା ପରେ ବିଦେଶରେ ଜମା କଳାଧନର ପତ୍ତା ଲଗାଇବ ଓ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ଇନଭେଷ୍ଟିଗେସନ୍ ଟିମ୍ ତିଆରି କରିବା ପାଇଁ ଘୋଷଣା କରିଥିଲେ । ତେବେ ଚାରି ବର୍ଷ ପରେ ମଧ୍ୟ ମୋଦି ସରକାର ବିଦେଶରେ ଜମା କଳାଧନର ପତ୍ତା ଲଗାଇବା ଓ ଠାବ କରିବାରେ ବିଶେଷ ସଫଳତା ହାସଲ କରିପାରି ନାହାନ୍ତି । ଅନ୍ୟପଟେ ଦେଶରେ କଳାଧନର ପତ୍ତା ଲଗାଇବା ପାଇଁ ଅନେକ ପଦେକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର ।

ରୋଜଗାର : ମୋଦି ସରକାର ସତ୍ତାକୁ ଆସିବା ପରେ ଯୁବକଙ୍କୁ ପ୍ରଶିକ୍ଷଣ ଦେଇ ରୋଜଗାର ଯୋଗାଇବା ପାଇଁ ସ୍କିଲ ଇଣ୍ଡିଆ ସ୍କିମ ଆରମ୍ଭ କରିଥିଲେ । ଏହା ବ୍ୟତୀତ ସରକାର ଷ୍ଟାର୍ଟଅପ୍ ଓ ଷ୍ଟାଣ୍ଡଅପ୍ ଇଣ୍ଡିଆ ସ୍କିମକର ଆରମ୍ଭ କରିଥିିଲେ । କିନ୍ତୁ ଏହି ଯୋଜନା ଗୁଡ଼ିକର ବିଶେଷ ପ୍ରଭାବ ଦେଖିବା ପାଇଁ ମିଳିଲା ନାହିଁ । ମୋଦି ସରକାରଙ୍କ ୪ ବର୍ଷର କାର୍ଯ୍ୟକାଳ ମଧ୍ୟରେ ପ୍ରସ୍ତୁତ କରାଯାଇଥିବା ରେଟିଂ ଏଜେନି୍ସ କ୍ରିସିଲର ରିପୋର୍ଟ ଅନୁସାରେ କୁହାଯାଏ କି ରୋଜଗାର ଉପରେ ଅନେକ ଚ୍ୟାଲେଞ୍ଜ ରହିଛି । ତେଣୁ ସରକାର ରୋଜଗାର ଯୋଗାଇବାରେ ସେତେଟା ସଫଳ ହୋଇପାରିନାହାନ୍ତି ।

କୃଷି : କୃଷକଙ୍କ ପାଇଁ ଅନେକ କିଛି ପଦକ୍ଷେପ ନେବେ ବୋଲି କହି ସତ୍ତାକୁ ଆସିଥିଲେ ମୋଦି ସରକାର । କୃଷକଙ୍କ ଆୟ ଦୁଇଗୁଣା ହେବ ବୋଲି ମୋଦି ସରକାର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆୟ ଦୁଇଗୁଣା ହେବା ପ୍ରତିବଦଳରେ ପୂର୍ବପେକ୍ଷା କୃଷକଙ୍କ ଆୟ ହ୍ରାସ ପାଇଛି । କୃଷି ବିଶେଷଜ୍ଞଙ୍କ ଅନୁସାରେ କୃଷକଙ୍କୁ ଉଚିତ ମୂଲ୍ୟ ମିଳୁନାହିଁ । ଆଉ କୃଷକଙ୍କ ଆତ୍ମହତ୍ୟା ଘଟଣା ଅଧିକ ସାମ୍ନାକୁ ଆସୁଛି ।