ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଦାଦାଗିରି : ବୋଲଗଡ ତହସିଲଦାରଙ୍କୁ ଆକ୍ରମଣ ଅଭିଯୋଗ

41

ବୋଲଗଡ : ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଆକ୍ରମଣରେ ଆହତ ହୋଇଛନ୍ତି ବୋଲଗଡ ତହସିଲଦାର ନିହାରୀକା ନାୟକ । ବୋଲଗଡ ଏକଡାଳିଆ ଗାଁରେ ଥିବା ଏକ ବିବାଦୀୟ ଘର ଭାଙ୍ଗିବାକୁ ନେଇ ସେ ବିଧାୟକଙ୍କୁ ଗୋଟିଏ ଦିନ ସମୟ ମାଗିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ବିଧାୟକ ତାଙ୍କୁ ଆକ୍ରମଣ କରିଥିଲେ ।

ବୋଲଗଡର ମାଣିବନ୍ଧ ପଂଚାୟତର ଏକଡାଳିଆ ଗାଁକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ରାସ୍ତା ମଝିରେ ମାଣିବନ୍ଧ ଗାଁର ଅକ୍ରୁର ବାହୁବଳେନ୍ଦ୍ର ତାଙ୍କ ସ୍ଥିତିବାନ ଜାଗା ଥିବା ଦର୍ଶାଇ ଏକ ଘର ତିଆରି କରିଥିଲେ । ଫଳରେ ଅଂଚଳବାସୀ ସେହି ରାସ୍ତାରେ ଯାତାୟତରେ ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ । ଏପରିକି ଚାରିଚକିଆ ଯାନବାହାନ ଯାତାୟତରେ ବି ଅସୁବିଧା ଲାଗିରହିଥିଲା ।

ସୋମବାର ଦିନ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବ ସେହି ରାସ୍ତା ଦେଇ ଯିବା ବେଳେ ଏହା ଦେଖି ତହସିଲଦାର ନିହାରୀକା ନାୟକଙ୍କୁ ସମ୍ପୃକ୍ତ ଜାଗାକୁ ଆସିବା ପାଇଁ ଫୋନ୍ ଯୋଗେ କହିଥିଲେ । ବିଧାୟକ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିଲାବେଳକୁ ରାତି ପ୍ରାୟ ୮ଟା ବେଳେ ସେଠାରେ ପହଂଚିଥିଲେ ।

ରାସ୍ତା ଉପରୁ ଘର ଉଠାଇବା ପାଇଁ ଘର ମାଲିକ ଅକ୍ରୁରଙ୍କୁ କହିବା ସହ କ୍ଷତିପୂରଣ ପ୍ରତିଶ୍ରୁତି ଦେଇଥିଲେ ପ୍ରଶାନ୍ତ ଜଗଦେବ । ଏହାସହ ନୋଟିସ ଦେଇ ତୁରନ୍ତ ଘର ଭାଙ୍ଗିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ବିଧାୟକ ।

ତେବେ ରାତି ହୋଇଯାଇଥିବାରୁ ମଙ୍ଗଳବାର ଦିନ ଜାଗା ମାପି ଘର ଭାଙ୍ଗିବାକୁ କହିଥିଲେ ତହସିଲଦାର । ଏଥିରେ ଉତକ୍ଷିପ୍ତ ହୋଇ ଜଗଦେବ ଅକ୍ରୁରଙ୍କ ଘରେ ଜଳୁଥିବା ଏକ ଲଣ୍ଠନ ଆଣି ଏକ ବାଇକରେ କଚାଡି ଦେବାରୁ ଏଥିରେ ଆହତ ହୋଇଛନ୍ତି ତହସିଲଦାର ନିହାରୀକା ନାୟକ ।