ମିସ ଇସ୍ରାଏଲଙ୍କ ସହ ସେଲଫି ନେବା ମହଙ୍ଗା ପଡିଲା । ଦେଶ ଛାଡିଲେ ମିସ ଇରାକ ଓ ପରିବାର ! ଇସ୍ରାଏଲ ସହ ଇରାକର ଐତିହାସିକ ଶତ୍ରୁତାର ନଗ୍ନ ଉଦାହରଣ

33

କନକ ବ୍ୟୁରୋ : ମଣିଷ ଯେତିକି ଶିକ୍ଷିତ ହେଉଛି ସେତିକି ହିଂସ୍ର ହେଉଛି । ତାର କ୍ରୋଧ, ହିଂସା ବଢି ବଢିଚାଲିଛି । ମିସ ଇସ୍ରାଏଲଙ୍କ ସେଲଫି ନେଇ ଦେଶ ଛାଡିଛନ୍ତି ମିସ ଇରାକ । ଇସ୍ରାଏଲ ସହ ଇରାକର ରହିଥିବା ଐତିହାସିକ ଶତ୍ରୁତା ପାଇଁ ଦୁଇ ଦେଶର ଚର୍ଚ୍ଚିତ ଚେହେରାମାନେ କିଭଳି କ୍ଷତିଗ୍ରସ୍ତ ହଉଛନ୍ତି ତା’ର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ଇରାକ ସୁନ୍ଦରୀ ସାରା ଇଡାନଙ୍କ କ୍ଷେତ୍ରରେ। ଇସ୍ରାଏଲୀ ସୁନ୍ଦରୀ ଗାଣ୍ଡେଲ୍ସମାନଙ୍କ ସହ ଫଟୋ ଉଠାଇଥିବା ଇଡାନ ମୃତ୍ୟୁ ଧମକ ପାଇଁ ସପରିବାର ନିଜ ଦେଶ ଛାଡ଼ିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାଯୋଗ୍ୟ, ଗତମାସରେ ଜାପାନରେ ବ୍ରହ୍ମାଣ୍ଡ ସୁନ୍ଦରୀ(ମିସ ୟୁନିଭର୍ସ) ପ୍ରତିଯୋଗିତା ପାଇଁ ଯାଇଥିବା ସରହା ଇଡାନ ସେରେ ଗାଣ୍ଡେଲ୍ସମାନଙ୍କ ସହ ଏକ ସେଲ୍ଫି ନେଇଥିଲେ। ତେବେ ଏହାର ଟାଇଟଲ ‘ପିସ ଆଂଡ ଲଭ ଫ୍ରମ ମିସ ଇରାକ ଆଣ୍ଡ ମିସ ଇସ୍ରାଏଲ’ ରଖି ସେ ସେଲ୍ଫିଟିକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ପରେ ତାହା ଭାଇରାଲ ହୋଇଥିଲା।

ଏହାପରେ ଇଡାନଙ୍କୁ ଇନଷ୍ଟାଗ୍ରାମରୁ ଫଟୋ କାଢ଼ିନେବାକୁ କୁହାଯିବା ସହ ତାଙ୍କୁ ହତ୍ୟା ଧମକ ମିଳିଥିଲା। ଫଳରେ ସେ ଭୟରେ ଦେଶ ଛାଡ଼ିବାକୁ ବାଧ୍ୟ ହୋଇଥିଲେ ବୋଲି ମିସ ଇସ୍ରାଏଲ ଗାଣ୍ଡେଲ୍ସମ୍ୟାନ ଏକ ଇସ୍ରାଏଲୀ ନ୍ୟୁଜ ଚ୍ୟାନେଲକୁ କହିଛନ୍ତି।