ନାବାଳକ ଛାତିରୁ ବାହାରିଲା ଲୁହାରଡ୍ ! ସର୍ଜରୀ ୱାର୍ଡରେ ଦୀର୍ଘ ସମୟର ଅପରେସନ ପରେ ମିଳିଲା ସଫଳତା

202

କନକ ବ୍ୟୁରୋ : ଶେଷର ନାବାଳକ ଛାତିରୁ ବାହାରିଲା ଲୁହାରଡ୍ । କଟକ ଏସସିବି ମେଡିକାଲରେ ସର୍ଜରୀ ୱାର୍ଡରେ ଦୀର୍ଘ ସମୟର ଅପରେସନ ପରେ ପିଲାଟି ଛାତିରୁ ରଡକୁ କଢ଼ାଯାଇଛି । ଅପରେସନ ସଫଳ ହେବା ସହ ପିଲାଟି ସୁସ୍ଥ ଥିବା ସୂଚନା ଦେଇଛନ୍ତି ଚିକିତ୍ସା କରୁଥିବା ଡାକ୍ତର । ଖେଳିବା ବେଳେ କେନ୍ଦୁଝରର ଜଣେ ଛାତ୍ରଙ୍କ ଛାତିରେ ଅଢ଼େଇ ଇଂଚ ଭିତରକୁ ଲୁହାଛଡ ପଶି ଯାଇଥିଲା । ଗତକାଲି ଅପରାହ୍ନ ପ୍ରାୟ ୫ଟାରେ କେନ୍ଦୁଝରର ନନ୍ଦ କିଶୋର ମହାକୁଡଙ୍କ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ପୁଅ ଚନ୍ଦନ ମହାକୁଡ ଘର ନିକଟରେ ଖେଳୁଥିବାବେଳେ ଏହି ଅଘଟଣ ଘଟିଥିଲା ।

ସବୁଠାରୁ ବଡ କଥା ହେଲା ଲୁହାଛଡଟି ଛାତିରେ ଗଳିଯାଇଥିଲେ ବି ରକ୍ତ ବାହାରିନଥିଲା । ନାବାଳକର ଚିତ୍କାର ଶୁଣି ଘର ଲୋକେ ଧାଇଁ ଆସିଥିଲେ । ସାଙ୍ଗେ ସାଙ୍ଗେ ତାଙ୍କୁ କେନ୍ଦୁଝର ମେଡିକାଲ ନିଆଯାଇଥିଲା । ପରେ ତାଙ୍କୁ କଟକ ବଡ ମେଡିକାଲ ନିଆଯାଇଥିଲା । ଏହା ପରେ ନାବାଳକଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ନନ୍ଦକିଶୋରଙ୍କ ଘର ଘଟଗାଁ ଥାନା ବାଇଗଣପାଳ ଗ୍ରାମରେ । ସେ ଗତ ପ୍ରାୟ୫ ବର୍ଷ ହେବ ଟାଉନ ଥାନା ଅଧୀନ ଡିମ୍ବୋ ଗ୍ରାମରେ ରହି ଅଟୋ ଚଳାଉଛନ୍ତି । ଏଠାରେ ତାଙ୍କ ପତ୍ନୀ ଓ ଦୁଇ ପୁଅଙ୍କ ସହିତ ରହୁଥିଲା ବେଳେ ଏପରି ଅଘଟଣ ଘଟିଛି ।