ଏବେବି ବଞ୍ଚିଛି ମାନବିକତା ଓ ମଣିଷପଣିଆ ! ରାସ୍ତା କଡରେ ବୁଲୁଥିବା ଜଣେ ଅସହାୟ ବୃଦ୍ଧାଙ୍କୁ ଜୀବନଦାନ ଦେଇ ଚର୍ଚ୍ଚାର ବିଷୟ ପାଲଟିଛି ସାଇ ଟ୍ରଷ୍ଟ ।

125

କନକ ବ୍ୟୁରୋ : ଆଜି ଆଧୁନିକ ଓ ବ୍ୟସ୍ତବହୁଳ ଯୁଗରେ ବଞ୍ଚିରହିଛି ମାନବିକତା ଓ ମଣିଷପଣିଆ । ଏହାର ଏକ ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ଅନୁଗୁଳ ସହରରେ । ମୃତ୍ୟୁ ମୁଖରେ ପଡିଥିବା ଏକ ମାନସିକ ବିକାରଗ୍ରସ୍ତ ବୃଦ୍ଧାଙ୍କ ସେବା ଶୁଶୃଷା କରି ଏକ ନୂଆ ଜୀବନ ଦେଇଛନ୍ତି ଅନୁଗୁଳର ସାଇ ଚାରିଟିବୁଲ ଟ୍ରଷ୍ଟ ଏବଂ ଏହାକୁ ଘୁରି ଘୁରି ପ୍ରଶନ୍ସା କରୁଛନ୍ତି ଅନୁଗୁଳ ବାସୀ ।

ସୂଚନା ଅନୁଯାୟୀ, ଦିର୍ଘ ୨୦ ବର୍ଷ ପୂର୍ବରୁ ଏକ ମାନସିକ ବିକାରଗ୍ରସ୍ତ ବୃଦ୍ଧା ନିଜର ପରିଚୟ ହରାଇ ବାହାର ରାଜ୍ୟରୁ ଅନୁଗୁଳ ସହରରେ ବେସାହାରା ଅବସ୍ଥାରେ ଚାରିଆଡେ ଘୁରିବୁଲୁଥିଲା । କ୍ଷତବୀକ୍ଷତ, ବସ୍ତ୍ରହୀନ ହୋଇ ଅନାହାରରେ ଜୀବନ ଅତିବାହିତ କରୁଥିଲା । ଏହି ବ୍ୟସ୍ତବହୁଳ ସମାଜରେ କୌଣସି ବି ଲୋକର ନଜର ସେହି ବୃଦ୍ଧା ବ୍ୟକ୍ତି ଉପରେ ପଡୁନଥିଲା । ରାସ୍ତା କଡରେ ଅଖିଆ ଅପିଆ ପଡି ରହୁଥିଲା ଏହି ଅସହାୟ ବୃଦ୍ଧା ।

ଗତ କିଛି ଦିନ ହେବ ଏହି ବୃଦ୍ଧାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପୁର୍ଣ୍ଣ ରୁପେ ବିଗିଡି ଯାଇଥିଲା । ପାଗଳ ହୋଇଥିବାରୁୁ ଲୋକମାନେ ଭୟଭୀତ ହୋଇ କେହି ସହାୟତାର ହାତ ବଢାଇ ନଥିଲେ । ଅସହାୟ ଅବସ୍ଥାରେ ସହରର ପଞ୍ଚମହଲା ଠାରେ ପଡିରହିଥିଲେ ଏହି ବୃଦ୍ଧା ବ୍ୟକ୍ତି । ଏଭଳି ପରିସ୍ଥିତିରି ବୃଦ୍ଧା ଲୋକଙ୍କୁ ସାହାଯ୍ୟ କରିବା ପାଇଁ କେହି ହାତ ବଢାଉନଥିବା ବେଳେ ଅନୁଗୁଳର ସାଇ ଚାରିଟିବୁଲ ଟ୍ରଷ୍ଟ ସେହି ବୃଦ୍ଧାଙ୍କୁ କାବୁ କରି ତାର ଚୁଟି, ନଖ କାଟି, ସଫାସୁତୁରା କରି କ୍ଷତବିକ୍ଷତ ସ୍ଥାନରେ ଔଷଧ ଲଗାଇ ନୂଆ ବସ୍ତ୍ର ଓ ଖାଇବାକୁ ଦଇ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରିଥିଲେ । ଏହା ପରେ ପ୍ରଥମ ଥର ପାଇଁ ଅସହାୟ ହୋଇ ବୁଲୁଥିବା ବୃଦ୍ଧାଙ୍କ ମୁଁହରେ ହସ ଦେଖିବାକୁ ମିଳିଥିଲା । ବୃଦ୍ଧାଙ୍କ ମୁଁହରେ ଟିକେ ହସ ଦେଖି ଖୁସି ହୋଇଯାଇଥିଲେ ଚାରିଟିବୁଲ ଟ୍ରଷ୍ଟର କର୍ମକର୍ତା । ତେବେ ସାଇ ଟ୍ରଷ୍ଟର ଏପରି କାର୍ଯ୍ୟ ଦେଖି ଘୁରି ଘୁରି ପ୍ରଶଂସା କରିଛନ୍ତି ଅନୁଗୁଳ ବାସୀ ।