ନୂଆବର୍ଷ ପାଇଁ କଣ ରହିବ ମନ୍ତ୍ରୀଙ୍କ ପ୍ଲାନ ? ଦୁଇ ଦିନିଆ ବୈଠକରେ ଆଗାମୀ ସାଢେ ଚାରି ବର୍ଷ ପ୍ରସ୍ତୁତ ହେବ ନୀଳ ନକ୍ସା, ୨୦୨୪ ପାଇଁ ଏବେଠୁ ରୋଡମ୍ୟାପ୍ ପ୍ରସ୍ତୁତ କରିବେ ମୋଦି ।

234

ନୂଆବର୍ଷରେ ମିଳିବ ନୂଆ ଟାସ୍କ । ୨୦୨୦ ପାଇଁ କଣ ପ୍ରସ୍ତୁତି ରହିଛି ତାହାର ଗୋଟି ଗୋଟି ହିସାବ ନେବେ ପ୍ରଧାନମନ୍ତ୍ରୀ । ୩ ଜାନୁଆରୀରୁ ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ମନ୍ତ୍ରୀସ୍ତରୀୟ ବୈଠକ ଡାକିଛନ୍ତି । ୩ ଜାନୁଆରୀ ସନ୍ଧ୍ୟା ୬ଟାରୁ ୯.୩୦ ଯାଏଁ ଏହି ବୈଠକ ବସିବ । ସେହିଭଳି ୪ ଜାନୁଆରୀରୁ ସକାଳ ୯.୩୦ରେ ଏହି ବୈଠକ ଆରମ୍ଭ ହୋଇ ସନ୍ଧ୍ୟା ଯାଏଁ ଚାଲିବ । ମିଳିଥିବା ସୂଚନା ମୁତାବକ, ଏହି ବୈଠକରେ ୪ରୁ ୫ଟି ମନ୍ତ୍ରାଳୟର ରିପୋର୍ଟ କାର୍ଡ ପ୍ରଦର୍ଶିତ କରାଯିବ ।

୨୦୨୦ ପାଇଁ କଣ ରହିଛି ପ୍ଲାନିଂ । ଆଗାମୀ ୫ ବର୍ଷରେ ବିଭାଗ ପକ୍ଷରୁ କଣ କଣ କାମ କରାଯିବ । ଏଥିପାଇଁ କିଭଳି ପ୍ରସ୍ତୁତି ହୋଇଛି । ମନ୍ତ୍ରୀସ୍ତରୀୟ ବୈଠକରେ ବିଭିନ୍ନ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିସ୍ତୃତ ରିପୋର୍ଟ ପ୍ରଦର୍ଶିତ କରାଯିବ । ୨୦୨୪ ପାଇଁ ଏବେଠୁ ରୋଡମ୍ୟାପ ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଉଦ୍ୟମ ଆରମ୍ଭ କରିଛନ୍ତି । ତେଣୁ ଆଗାମୀ ସାଢେ ୪ ବର୍ଷ ପାଇଁ ମନ୍ତ୍ରୀ ମାନଙ୍କୁ ଏହି ବୈଠକରେ ହୋମୱାର୍କ ଦିଆଯିବ ।

ଏହାପୂର୍ବରୁ ଗତ ଡିସେମ୍ବର ୨୧ରେ ମନ୍ତ୍ରୀସ୍ତରୀୟ ବୈଠକ ଡାକି ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକର ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ । ଦୀର୍ଘ ୮ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ସମସ୍ତ ୫୬ଟି ମନ୍ତ୍ରାଳୟର ରିପୋର୍ଟ କାର୍ଡ ଦେଖିବା ସହ ସମୀକ୍ଷା କରାଯାଇଥିଲା । ପ୍ରତି ମନ୍ତ୍ରାଳୟ ନିଜ ନିଜର ରିପୋର୍ଟ କାର୍ଡ ବୈଠକରେ ଉପସ୍ଥାପିତ କରିଥିଲେ ।