ମୟୁରଭଂଜ ବନ୍ଦ ବେଳେ ଜିଲ୍ଲାପାଳଙ୍କୁ ଅଟକାଇଲେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା କର୍ମୀ : ଅଫିସ ନଖୋଲିବାକୁ ଦାବି କରି ଜିଲ୍ଳାପାଳଙ୍କ ସହ ଯୁକ୍ତିତର୍କ

50

କନକ ବ୍ୟୁରୋ : ମୟୁରଭଂଜ ବନ୍ଦ ପାଳନ ବେଳେ ଜିଲ୍ଲାପାଳଙ୍କୁ ଅଟକାଇଲେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା କର୍ମୀ । ହାଇକୋର୍ଟ ସ୍ଥାୟୀ ବେଂଚ୍ ପ୍ରତିଷ୍ଠା ଦାବିରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ୧୨ ଘଂଟିଆ ବନ୍ଦ ପାଳନ ହେଉଥିବା ବେଳେ ଜିଲ୍ଳାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ଚି ଜିଲ୍ଳାପାଳଙ୍କ ସହ ଯୁକ୍ତିତର୍କ କରିଥିଲେ ଆନ୍ଦୋଳନକାରୀ । ଏକ ଭିଡିଓ କନଫରେନ୍ସିଂ ପାଇଁ ଯିବାର ଅଛି ବୋଲି ଜିଲ୍ଲାପାଳ କହୁଥିବା ବେଳେ ତାଙ୍କୁ ଛାଡିନଥିଲେ ଆନ୍ଦୋଳନକାରୀ । ମୟୁରଭଂଜ ବନ୍ଦ ପାଳନରେ ସହଯୋଗ କରିବା ସହ ଅଫିସ ନଖୋଲିବାକୁ ଆନ୍ଦୋଳନକାରୀ ଦାବି କରିଥିଲେ । ଫଳରେ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଜିଲ୍ଲାପାଳଙ୍କ ବିରାଧରେ ନାରାବାଜି ଦେବା ସହ ଜିଲ୍ଳାପାଳଙ୍କୁ ବହିଷ୍କାର ଦାବି କରିଥିଲେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା କର୍ମୀ ।

ସୂଚନାଯୋଗ୍ୟ ହାଇକୋର୍ଟ ସ୍ଥାୟୀ ବେଂଚ୍ ପ୍ରତିଷ୍ଠା ଦାବିରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ୧୨ ଘଂଟିଆ ମୟୁରଭଂଜ ବନ୍ଦ ପାଳନ କରାଯାଉଛି । ସଂଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରିବ ଜେଏମଏମ । ଜିଲ୍ଲାପାଳଙ୍କ ଅଫିସ ଭିତରକୁ ଆନ୍ଦୋଳନକାରୁ ଧସେଇ ପଶିଛନ୍ତି । ବାରିପଦାରେ ହାଇକୋର୍ଟ ସ୍ଥାୟୀ ବେଂଚ୍ ପ୍ରତିଷ୍ଠା ସହ ୩ ଦଫା ଦାବି ନେଇ ଏହି ବନ୍ଦ ପାଳନ କରାଯାଉଛି । ଏନେଇ ସକାଳୁ ସକାଳୁ ରାଇରଙ୍ଗପୁର, ଉଦଳା ଏବଂ ଭିଭିନ୍ନ ସ୍ଥାନରେ ଜେଏମଏମ୍ କର୍ମୀ ପିକେଟିଂ କରିବା ଆରମ୍ଭ କରିଥିଲେ । ବନ୍ଦ ଡାକରାର ପ୍ରଭାବ ବାରିପଦା ସହରରେ ପଡିଥିବା ଦେଖିବାକୁ ମିଳିଛି । ଦୋକାନ ବଜାର, ଶିକ୍ଷାନୁଷ୍ଠାନ ସହ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି ।