ରାଜନୀତିରେ ସେକ୍ସ ଭିଡିଓ ! ବିକ୍ଷୋଭ କରି କଂଗ୍ରେସ ଓ ବିଜେପି ମାଗିଲେ ମେୟରଙ୍କ ମୁଣ୍ଡ

157

କନକ ବ୍ୟୁରୋ : ମେୟରଙ୍କୁ ନେଇ ମିଷ୍ଟ୍ରି । ବିବାଦୀୟ ସେକ୍ସ ଭିଡିଓରେ ବ୍ୟକ୍ତି ଜଣକ କିଏ । ଏହାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ଜୋର ଧରିଛି ରାଜନୀତି । ରାସ୍ତାକୁ ଓହ୍ଲାଇଛନ୍ତି ବିରୋଧୀ । ଆଉ ଏପଟେ ମେୟରଙ୍କ ସମର୍ଥନରେ ବି ବାହାରିଛନ୍ତି ସମର୍ଥକ ।

ସେକ୍ସ ଭିଡିଓ ଓ ମର୍ଡର ମିଷ୍ଟ୍ରିକୁ ନେଇ କମ୍ପୁଛି ରାଜଧାନୀ । ପୁରା ରାଜନୀତି ଦୁଇଭାଗରେ ବିଭିକ୍ତ ହୋଇଯାଇଛି । ଗୋଟିଏ ପଟେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଇସ୍ତଫା ଦାବି ଓ ଅନ୍ୟପଟେ ସେକ୍ସ ଭିଡିଓ ବଜାରରେ ଛାଡିଥିବା ନିଆଁଖୁଂଟା ସଂପାଦକ ପ୍ରଦୀପ ପାଣ୍ଡେଙ୍କୁ ଗିରଫ ଦାବି ।

ରାସ୍ତାକୁ ଓହ୍ଲାଇଆସିଛନ୍ତି ରାଜନୈତିକ ଦଳ । ଜୋରଦାର ଚାଲିଛି ନାରାବାଜି । ସେକ୍ସ ଭିଡିଓରେ ବ୍ୟକ୍ତି ଜଣକ ମେୟର ଅନନ୍ତ ନାରାୟଣ ଜେନା ବୋଲି ଛାତ୍ର କଂଗ୍ରେସ ଅଭିଯୋଗ କରିବା ପରେ ତାତି ଉଠିଛି ରାଜନୀତି । ଭୁବନେଶ୍ୱର ଜିଲ୍ଲା ବିଜେପି ଓ ଛାତ୍ର କଂଗ୍ରେସର କର୍ମୀମାନେ ମେୟରଙ୍କୁ ହଟାଇବାକୁ ଜିଦ ଧରି ବସିଛନ୍ତି । ଯୁକ୍ତି କରୁଛନ୍ତି ଚରିତ୍ର ସ୍ଖଳନ ହୋଇଥିବା ଏହି ବ୍ୟକ୍ତି ମେୟର ଭାବେ ରହିବାର ନୈତିକ ଅଧିକାର ହରାଇଛନ୍ତି ।

ସେପଟେ ମେୟର ଅନନ୍ତ ନାରାୟଣ ଜେନାଙ୍କ ସମର୍ଥକଙ୍କ ବି ବିରାଟ ରାଲି । ବହୁ ସଂଖ୍ୟାରେ ସମର୍ଥକ ରାସ୍ତା ଉପରକୁ ଚାଲିଆସିଛନ୍ତି । ମିଛ ଭିଡିଓ ଦେଖାଇ ଜଣେ ସମ୍ମାନାସ୍ପଦ ବ୍ୟକ୍ତିଙ୍କୁ ବଦନାମ କରାଯାଇଛି ବୋଲି ଏମାନେ ଅଭିଯୋଗ କରିଛନ୍ତି । ଏଥିସହ ଦାବି କରିଛନ୍ତି ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ ଓ ନିଆଁଖୁଂଟା ସଂପାଦକ ପ୍ରଦୀପ ପାଣ୍ଡେଙ୍କୁ ଗିରଫ କରାଯାଉ । ମେୟରଙ୍କ ସମର୍ଥନରେ ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ବି ରାସ୍ତା ଉପରକୁ ଓହ୍ଲାଇ ଆସିଥିଲେ ।

ସେପଟେ ଆଉଏକ ଘଟଣାକ୍ରମରେ ତାଙ୍କ ଚରିତ୍ର ସଂହାର କରାଯାଉଥିବା ଅଭିଯୋଗରେ ନିଆଁଖୁଂଟା ମୁଖ୍ୟ ପ୍ରଦୀପ ପାଣ୍ଡେ ଓ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନଙ୍କ ବିରୋଧରେ ମାନହାନୀ ମୋକଦ୍ଦମା କରିଛନ୍ତି ମେୟର । ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ଉଭୟଙ୍କ ବିରୋଧରେ ଫୌଜଦାରୀ ମାମଲା କରିବା ସହ ଭାଇରାଲ ଭିଡିଓ ଉପରେ ରୋକ ଲଗାଇବାକୁ ଆବେଦନ କରିଛନ୍ତି ।

ବିବାଦୀୟ ସେକ୍ସ ସିଡିରେ ଥିବା ଏହି ବ୍ୟକ୍ତି କିଏ । ଏହା କିଏ ସ୍ପଷ୍ଟ କରିବ । ଆଶ୍ଚର୍ଯ୍ୟଜନକ ଭାବେ ଘଟଣାକୁ ନେଇ ରାଜଧାନୀ କମ୍ପୁଥିଲେ ମଧ୍ୟ ଏହାର ତଦନ୍ତ ନିର୍ଦ୍ଦେଶ ଦେଇନାହିଁ ପୋଲିସ । ଏତେସବୁ ହୋହଲ୍ଲା ଭିତରେ ଏବେ ସମସ୍ତଙ୍କ ନଜର ମେୟରଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ ନା ମିଛ ।