ୟୁପି ଉପନିର୍ବାଚନରେ ଏକା ଲଢ଼ିବାକୁ ଘୋଷଣା କଲେ ମାୟାବତୀ: କହିଲେ, ସପା ସହ ମିଶି ବିଧାନସଭା ଲଢ଼ିବନି ବସପା କିନ୍ତୁ ଜାରି ରହିବ ମେଂଟ

194

କନକ ବ୍ୟରୋ: ଉତରପ୍ରଦେଶ ଉପନିର୍ବାଚନରେ ଏକା ଲଢ଼ିବାକୁ ଘୋଷଣା କଲେ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ । କହିଛନ୍ତି ଆଗାମୀ ଦିନରେ ହେବାକୁ ଥିବା ୧୧ଟି ବିଧାନସଭା ଉପନିର୍ବାଚନ ବସପା ଏକା ଲଢ଼ିବ । ଏହି ନିର୍ବାଚନରେ ସପା ସହ ମେଂଟ କରି ନିର୍ବାଚନ ଲଢ଼ିବନି ବସପା । ୨୦୧୯ ଲୋକସଭା ନିର୍ବାଚନରେ ଯାଦବ ଭୋଟ ବସପା ପ୍ରାର୍ଥୀଙ୍କ ପାଖକୁ ଯାଇନଥିବା ଅଭିଯୋଗ ଆଣି ଏଭଳି ନିଷ୍ପତି ନେଇଥିବା ମାୟାବତୀ ସ୍ପଷ୍ଟ କରିଛନ୍ତି ।

ତେବେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ୟୁପିରେ ମେଂଟ ଜାରି ରହିବ ବୋଲି କହିଛନ୍ତି ମାୟାବତୀ । ଏବଂ ସପା ମୁଖ୍ୟ ମେଂଟ ଧର୍ମ ପାଳନ ଉପରେ ନଜର ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ମାୟାବତୀ । ଆଗାମୀ ଦିନରେ ଅଖିଳେଶ ନବଦଳିଲେ ମେଂଟ ନେଇ ପୁନଃବିଚାର କରାଯିବ ବୋଲି କହିଛନ୍ତି । ପୂର୍ବରୁ ମଧ୍ୟ ନିର୍ବାଚନ ଏକା ଲଢ଼ିବାକୁ ସଂକେତ ଦେଇଥିଲେ ମାୟାବତୀ । ଏବଂ ଜବାବରେ ଅଖିଳେଶ କହିଥିଲେ ନିଜ ଦମରେ ଲଢ଼ିବ ସମାଜବାଦୀ ପାର୍ଟି । ଏହାପରେ ଉତରପ୍ରଦେଶରେ ମହାମେଂଟ ଭାଙ୍ଗିଯିବା ନେଇ ଆକଳନ କରାଯାଉଥିଲା ।

ମାୟାବତୀ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି, ନିର୍ବାଚନ ଫଳାଫଳ ଆସିଲା ପରେ ଏହା ସ୍ପଷ୍ଟ ହୋଇଯାଇଛି କି, ବେସ ଭୋଟ ମଧ୍ୟ ସମାଜବାଦୀ ପାର୍ଟି ସହ ରହିପାରିଲା ନାହିଁ । ସମାଜବାଦୀ ପାର୍ଟିର ଯାଦବ ବାହୁଲ୍ୟ ସିଟ୍ ଉପରେ ମଧ୍ୟ ସପା ପ୍ରାର୍ଥୀ ନିର୍ବାଚନରେ ଅତ୍ୟନ୍ତ ଶୋଚନୀୟ ଭାବେ ପରାଜିତ ହୋଇଛନ୍ତି । ଏପରିକି କନୌଜରେ ଡିମ୍ପଲ ଯାଦବ ଏବଂ ଫିରୋଜବାଦରେ ଅକ୍ଷୟ ଯାଦବ ବିରୋଧୀଙ୍କଠାରୁ ପରାଜୟ ହେବା ବହୁଜନ ସମାଜ ବାଦୀ ପାର୍ଟିକୁ ବହୁତ କିଛି ଭାବିବାକୁ ବାଧ୍ୟ କରିଛି । ତେବେ ବିଏସପି ଏବଂ ଏସପିର ବେସ୍ ଭୋଟ୍ ମିଶିବା ପରେ ବି ଏହି ପ୍ରାର୍ଥୀମାନଙ୍କୁ ହାରିବାର ନଥିଲା ବୋଲି କହିଛନ୍ତି ମାୟାବତୀ ।

ମାୟାବତୀ ଗଠବନ୍ଧନ ଉପରେ କହିଛନ୍ତି କି, ଆମେ ପାର୍ଟିର ସମୀକ୍ଷା ବୈଠକରେ ଜାଣିବାକୁ ପାଇଥିଲୁ କି ବିଏସପି କାଡର ଆଧାରିତ ପାର୍ଟି, ଏକ ବିଶେଷ ଉଦ୍ଦେଶ୍ୟ ରଖି ସପା ସହ ମିଶି ନିର୍ବାଚନ ଲଢିଥିଲା କିନ୍ତୁ ଆମକୁ ସେଭଳି କୌଣସି ସଫଳତା ମିଳିପାରିଲା ନାହିଁ । ସପାର କାଡରକୁ ମଧ୍ୟ ବିଏସପି ଭଳି କୌଣସି ବି ସମୟ ପାଇଁ ପ୍ରସ୍ତୁତ ରହିବାକୁ ଆବଶ୍ୟକତା ନାହିଁ । ଚଳିତ ନିର୍ବାଚନରେ ସପା ଏହି ସୁଯୋଗ ହରାଇ ଦେଇଛି । ମାୟାବତୀ କହିଛନ୍ତି କି, ଅଖିଳେଶ ଯଦି ନିଜ ରାଜନୈତିକ କାର୍ଯ୍ୟକୁ କରିବା ସହ ନିଜ କର୍ମକର୍ତ୍ତାଙ୍କୁ ଏବଂ ପାର୍ଟିକୁ ମିଶନାରୀ ବନାନ୍ତି ତେବେ ବହୁଜନ ସମାଜବାଦୀ ପାର୍ଟି ଆଗାମୀ ଦିନମାନଙ୍କରେ ଏକାଠି ଲଢିବେ କିନ୍ତୁ ଯଦି ସେ ଏଭଳି ନକରି ପାରନ୍ତି ତେବେ ଆମକୁ ବାଧ୍ୟ ହୋଇ ଏକାକୀ ନିର୍ବାଚନ ଲଢିବାକୁ ହେବ ।