ମାଟ୍ରିକ ପରୀକ୍ଷାକୁ ହ୍ୱାଟସଆପ ଅଡୁଆ ! ଓଡ଼ିଆ, ଇଂରାଜୀ ପରେ ସୋସିଆଲ ମିଡିଆରେ ବୁଲିଲା ଗଣିତ ପ୍ରଶ୍ନ

57

କନକ ବ୍ୟୁରୋ : ପୁଣିଥରେ ମାଟ୍ରିକ ପରୀକ୍ଷାରେ ବିଭ୍ରାଟ । ଆଜି ପୁଣି ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଢ଼େଙ୍କାନାଳ ଓଡପଡା ବ୍ଲକର ଏକ ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା କୁହାଯାଉଛି । ପରୀକ୍ଷା ୯ଟାରେ ଆରମ୍ଭ ହୋଇଥିବାବେଳେ ୯ଟା ୫୪ରେ ଗଣିତ ପରୀକ୍ଷାର ପ୍ରଶ୍ନପତ୍ର ହ୍ୱାଟସ ଆପରେ ବୁଲୁଥିବା ନେଇ ଚର୍ଚ୍ଚା ହେଉଛି । ପରୀକ୍ଷାର ପ୍ରଥମ ଦିନରେ ଓଡିଆ ପ୍ରଶ୍ନ ଲିକ୍ ହେବା ନେଇ ଅଭିଯୋଗ ହୋଇଥିଲା । କେନ୍ଦ୍ରାପଡାର ଆଳି ଅଂଚଳରୁ ଓଡିଆରେ ଦୁଇଟି ସେଟ୍ ପ୍ରଶ୍ନପତ୍ର ହ୍ୱାଟ୍ସଆପରେ ଘୁରି ବୁଲିବା ନେଇ ଅଭିଯୋଗ ହୋଇଥିଲା । ସେହିପରି ଇଂରାଜୀ ପ୍ରଶ୍ନପତ୍ର ମଧ୍ୟ ଲିକ୍ ହେବା ନେଇ ଅଭିଯୋଗ ହୋଇଥିଲା ।

ସେତେବେଳେ ଏହି ଅଭିଯୋଗକୁ ଗଣଶିକ୍ଷା ବିଭାଗ, ମନ୍ତ୍ରୀ ଓ ବୋର୍ଡ ଅଧିକାରୀ ଖଣ୍ଡନ କରିଥିଲେ । ପ୍ରଶ୍ନପତ୍ର ଲିକ୍ ନେଇ ବୋର୍ଡ ଅଫିସରେ ଲଙ୍କାକାଣ୍ଡ କରିଥିଲେ ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦର ସଦସ୍ୟ । ଅନ୍ୟପଟେ ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଭାଇରାଲ ହେବା ନେଇ ତଦନ୍ତ କରୁଛି କ୍ରାଇମବ୍ରାଂଚ ସାଇବର ସେଲ୍ । ତେବେ ପ୍ରଶ୍ନ ଉଠୁଛି ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ସତ୍ୟତା କେତେ ରହିଛି? ଯଦି ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ସତ୍ୟ, ତେବେ କିଭଳି ବାରମ୍ବାର ଲିକ୍ ହେଉଛି ଏହି ପ୍ରଶ୍ନପତ୍ର । ଆଉ କେବେ ଲାଗିବ ଏଥିରେ ରୋକ୍?