ସରିଗଲା ଭୋଜି, ଠକିଦେଲା ବର ! ରାଉରକେଲାରେ ବାହାଘରରେ ହାଇଭୋଲଟେଜ ଡ୍ରାମା

102

କନକ ବ୍ୟୁରୋ : ଷ୍ଟିଲସିଟିରେ ଆଉ ଏକ ବାହାଘର ଡ୍ରାମା । ଦୁଇଟି ଝିଅଙ୍କୁ ବାହାହୋଇ ମଦ୍ୟପ ବର ଜେଲ ଯିବା ଓ ସ୍ୱାମୀ ବନାରସରେ ଥିବା ବେଳେ ସ୍ତ୍ରୀ ଆଉ ଜଣଙ୍କୁ ବାହା ହୋଇଯିବାର ଚର୍ଚ୍ଚା ନଥମୁଣୁ ରାଉରକେଲାରେ ଆଉ ଏକ ହାଇଭୋଲଟେଜ ବାହାଘରକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । । ଏଥର କିନ୍ତୁ ବେଦୀ ସଜା ହୋଇ କନ୍ୟାଘର ୧୨୦୦ ଜଣଙ୍କୁ ରିସେପସନ ପାର୍ଟି ଦେଇ ସାରିଥିବା ବେଳେ ଶେଷ ମୁହୁର୍ତ ପର୍ଯ୍ୟନ୍ତ ବର କି ବରଯାତ୍ରୀ କେହି ବି ଆସିଲେନି । ଏହାଛଡା କନ୍ୟା ପକ୍ଷକୁ ଭୁଆଁ ବୁଲାଇବାକୁ ମଧ୍ୟ ଭୁଲିନଥିଲେ ବରପକ୍ଷ ।

ଗତ କିଛିଦିନ ପୂର୍ବେ ନିର୍ବନ୍ଧ ସରିବା ପରେ ବାହାଘର ପାଇଁ ତାରିଖ ସ୍ଥିିର ହୋଇଥିଲା । ରାଉରକେଲା ଆମ୍ବାଗାନ ଇସ୍ପାତ ଉକ୍ରଳ ବସ୍ତିର ରାମପ୍ରୀତ ପ୍ରସାଦଙ୍କ ବଡଝିଅ ଗୌତମୀ ଥିଲେ କନ୍ୟା । ସେପଟେ ବିହାର ଗୟା ଜିଲ୍ଲା ଟେକାରୀ ଗାଁର ଉଦୟ ମୌର୍ଯ୍ୟଙ୍କ ବଡପୁଅ କୁନ୍ଦନ ଥିଲା ବର । ଇଂଜିନିୟର ଜ୍ୱାଇଁ କରୁଥିବାରୁ ରାମପ୍ରୀତଙ୍କ ପରିବାର ଗୋଡ ତଳେ ଲାଗୁନଥିଲା । ଝିଅଜ୍ୱାଇଁଙ୍କ ପାଇଁ ଉପହାର କିଣା ସରିଥିଲା । ଏପରିକି ବରଯାତ୍ରୀ ଆସିବା ପାଇଁ କନ୍ୟାଘର ପକ୍ଷରୁ ଏକ ଲକ୍ଷ ଟଙ୍କା ମଧ୍ୟ ଦିଆଯାଇଥିଲା । କିନ୍ତୁ ଏତେସବୁ ପରେ ମଧ୍ୟ କନ୍ୟାକୁ ଠକି ଦେଇଥିଲେ ବର । କନ୍ୟାର ଜୀବନ ସହ ଖେଳିଥିଲେ ସାଂଘାତିକ ଖେଳ । କନ୍ୟାଘର ପକ୍ଷରୁ ଅଧିକ ଖୋଳତାଡ କରିବା ପରେ ସାମ୍ନାକୁ ଆସିଥିଲା ସାଂଘାତିକ ସତ । ଇଞ୍ଜିନିୟର ବର ଉତ୍ତରପ୍ରଦେଶର ଅନ୍ୟ ଏକ ଝିଅକୁ ବାହା ହୋଇଥିବା ଜଣାପଡିଥିଲା ।

ଏନେଇ ପୋଲିସରେ ଅଭିଯୋଗ କରିଛନ୍ତି କନ୍ୟାପକ୍ଷ । ପୋଲିସ ଏହି ମାମଲାର ଖୋଳତାଡ କରିବା ସହ ଉକ୍ତ ଯୁବକଙ୍କୁ ନୋଟିସ ଜାରି କରିଛି । ଆସନ୍ତା ୧୬ ତାରିଖ ସୁଦ୍ଧା ପୋଲିସ ଥାନାରେ ଉପସ୍ଥିତ ହେବାକୁ ନୋଟିସରେ କୁହାଯାଇଛି । ନଚେତ ଇଞ୍ଜିନିୟର ବର ନାଁରେ ଏନବିଡବ୍ଲୁ ଜାରି କରାଯିବ ବୋଲି କହିଛନ୍ତି ଥାନା ଅଧିକାରୀ ।