ବିଚ୍ଛିନ୍ନାଞ୍ଚଳରେ ‘ପୀଠା’ ଯୋଜନାକୁ ମାଓବାଦୀଙ୍କ ବିରୋଧ : ସରକାରୀ କର୍ମଚାରୀଙ୍କୁ ମାଡ ମାରିଥିବା ଅଭିଯୋଗ

ରାଲେଗଡ ପଂଚାୟତ ସାରକୁବନ୍ଧ ଗାଁରେ ପୀଠା କାର୍ଯ୍ୟକ୍ରମକୁ ବନ୍ଦ କଲେ ନକ୍ସଲ

147

କନକ ବ୍ୟୁରୋ: ବିଚ୍ଛିନ୍ନାଞ୍ଚଳରେ ପୀଠା ଯୋଜନାକୁ ମାଓବାଦୀଙ୍କ ବିରୋଧ । ଏପରିକି ସରକାରୀ କର୍ମଚାରୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ରାଲେଗଡ ପଞ୍ଚାୟତ ସାରକୁବନ୍ଧ ଗାଁରେ ପୀଠା କାର୍ଯ୍ୟକ୍ରମକୁ ନକ୍ସଲ ବନ୍ଦ କରିବା ସହ ବିରୋଧ କରିଛନ୍ତି ।

ଗତ ପାଂଚ ଦିନ ଧରି ରାଜ୍ୟର ପ୍ରତି ପଂଚାୟତରେ ରାଜ୍ୟ ସରକାରଙ୍କ ଆମ ଗାଁ ଆମ ବିକାଶ ଯୋଜନାରେ ପିଠା କାର‌୍ୟ୍ୟକ୍ରମ ଚାଲିଥିଲା । ଯାହା ଗତକାଲି ଉଦଯାପିତ ହୋଇଛି । ପୁଣି ଆସନ୍ତା ମାସ ୧୫ରୁ ୨୦ ତାରିଖ ଯାଏଁ ପ୍ରତି ପଂଚାୟତରେ ପିଠା କାର‌୍ୟ୍ୟକ୍ରମ ଚାଲିବ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରୁ ବାଦ ପଡିଥିବା ହିତାଧିକାରୀ ପିଠା କ୍ୟାମ୍ପକୁ ଆସି ସରକାରୀ ସୁବିଧାର ଲାଭ ଉଠାଇଛନ୍ତି । କିଏ ବାର୍ଦ୍ଧକ୍ୟ ଭତା ପାଇଛି ତ ଆଉ କାହା ଘରକୁ ବିଜୁଳି ପହଁଚିଛି । କିଏ ପୁଣି ପାଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଲାଭ । ଗତ ୫ ଦିନ ମଧ୍ୟରେ ପଂଚାୟତ ସ୍ତରରେ କ୍ୟାମ୍ପ ଖୋଲାଯାଇ ଲୋକଙ୍କୁ ସରକାରୀ ସୁବିଧା ପ୍ରଦାନ କରାଯାଇଥିଲା। ମଧୁବାବୁ ପେନସନ ଯୋଜନା, ମୁଖ୍ୟମନ୍ତ୍ରୀ କଳାକାର ଯୋଜନା, ବିଜୁ ପକ୍କା ଘର ଏବଂ ମିଶନ ଶକ୍ତି ଭଳି ୧୨ ଟି ଯୋଜନାର ସିଧାସଳଖ ଲାଭ ପାଇଥିଲେ ହିତାଧିକାରୀ ।

ତେବେ ପିଠା କାର‌୍ୟ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି, ସରକାରୀ ଯୋଜନାଗୁଡିକର ପାରଦର୍ଶିତା ବୃଦ୍ଧି । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସର୍ମ୍ପକରେ ଲୋକଙ୍କୁ ଅବଗତ କରିବା ଏବଂ ହିତାଧିକାରୀଙ୍କୁ ସମସ୍ତ ସରକାରୀ ଯୋଜନାର ଫାଇଦା ଦେବା । ତେବେ ଏହି ଯୋଜନାକୁ ନେଇ ମାଓବାଦୀମାନେ ବିରୋଧ କରିଛନ୍ତି । ଏପରିକି ସରକାରୀ କର୍ମଚାରୀଙ୍କୁ ବି ମାଓବାଦୀ ମାଡ ମାରିଥିବା ଅଭିଯୋଗ ହୋଇଛି ।