ମୋଦି ଗଲେ ଦିଦି ଆସିିବେ ! ନବୀନ ଓ ମମତାଙ୍କୁ ଘାରିଛି ବିଜେପି ଭୟ

40

କନକ ବ୍ୟୁରୋ : ମୋଦିଙ୍କ ପରେ ମମତା । ଆସନ୍ତାକାଲି ଓଡିଶା ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ । ଓଡିଶାରେ ମମତାଙ୍କ ତିନି ଦିନିଆ କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ଦିଦି ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ । ତେବେ ଏହି ସମୟ ମଧ୍ୟରେ ନବୀନଙ୍କୁ ମମତାଙ୍କ ସମ୍ଭାବ୍ୟ ଭେଟଘାଟ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଦିଲ୍ଲୀରେ ମମତାଙ୍କୁ ଭେଟିଥିଲେ ନବୀନ । ଏହାପରେ ମମତା ଆସୁଛନ୍ତି ଓଡିଶା ।

ଓଡିଶା ଗସ୍ତ ସମୟରେ ମମତାଙ୍କ ଭୁବନେଶ୍ୱର ଓ ପୁରୀରେ ଟାଇଟ ସିଡ୍ୟୁଲ ରହିଛି । ଚିଟଫଣ୍ଡ ମାମଲାରେ ତୃଣମୂଳ କଂଗ୍ରେସର ଦୁଇଜଣ ଫାୟାରବ୍ରାଣ୍ଡ ନେତା ତାପସ ପାଲ ଓ ସୁଦୀପ ବନ୍ଦୋପଧ୍ୟାୟ ଏବେ ଓଡିଶା ଜେଲରେ ଅଛନ୍ତି । ଏହି ଦୁଇଜଣ ନେତା ହେଉଛନ୍ତି ମମତାଙ୍କ ଅତି ଖାସ । ପୋଲିସ କଷ୍ଟେଡିରେ ଏହି ଦୁଇ ସାଂସଦଙ୍କ ଚିକିତ୍ସା ଏବେ ଭୁବନେଶ୍ୱରରେ ଏକ ଘରୋଇ ହସପିଟାଲରେ ଚାଲିଛି । ତେଣୁ ମମତା ଏମାନଙ୍କୁ ଦେଖାକରିବେ ।

କିନ୍ତୁ ଗସ୍ତ ପଛରେ ଥିବା ରାଜନୈତିକ ଏଜେଣ୍ଡାକୁ ନେଇ ଏବେ ଚର୍ଚ୍ଚା ଜୋର । ମମତା ଓଡିଶା ଗସ୍ତ କାଳରେ ନବୀନ ପଟ୍ଟନାୟକଙ୍କୁ ଭେଟିବା ଏକପ୍ରକାର ନିଶ୍ଚିତ ବୋଲି ବୋଲି ଜଣାପଡିଛି, ଯଦିଓ ସାକ୍ଷାତ କାଯ୍ୟକ୍ରମ ଚୂଡାନ୍ତ ହୋଇନାହିଁ ।

ପଶ୍ଚିମବଙ୍ଗରେ ମମତା ଓ ଓଡିଶାରେ ନବୀନଙ୍କ ପାଇଁ ଏବେ ମୁଖ୍ୟ ଚ୍ୟାଲେଞ୍ଜ ପାଲଟିଛି ବିଜେପି । ପଂଚାୟତ ଭୋଟରେ ନବୀନଙ୍କୁ ବିଜେପି କଡା ଚ୍ୟାଲେଞ୍ଜ ଦେଇଛି । ପଶ୍ଚିମବଙ୍ଗରେ କଂଗ୍ରେସ ଓ ବାମପନ୍ଥୀଙ୍କୁ ପଛରେ ପକାଇ ବିଜେପି ଆଗକୁ ବଢିଚାଲିଛି । ନିକଟରେ ପଶ୍ଚିମବଙ୍ଗ ଉପନିର୍ବାଚନରେ ବିଜେପି ଦ୍ୱିତୀୟସ୍ଥାନରେ ରହିଛି । ତେଣୁ ମମତା ଓ ନବୀନ ଏବେ ବିଜେପିକୁ ନିଜର ନମ୍ବର ୱାନ ଶତ୍ରୁ ବୋଲି ଭାବିନେଇଛନ୍ତି ।

ତେଣୁ କୁହାଯାଉଛି ନବୀନଙ୍କ ସହ ଭେଟବେଳେ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଜାତୀୟ ସ୍ତରରେ ମହାମେଂଟ ନେଇ ଆଲୋଚନା ହୋଇପାରେ । ଗତ ସପ୍ତାହରେ ଦିଲ୍ଲୀ ଗସ୍ତବେଳେ ପାର୍ଲାମେଂଟରେ ନବୀନ-ମମତା ଭେଟଘାଟ ହୋଇଥିଲା ।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ୟୁପିର ହେଭିୱେଟ ଅଖିଳେଶ ଯାଦବ ଓ ମାୟାବତୀ ବି ମହାମେଂଟ ସପକ୍ଷରେ ମତ ଦେଇସାରିଛନ୍ତି । ଜାତୀୟ ସ୍ତରରେ କଂଗ୍ରେସର ଜନାଧାର ଖସୁଥିବାବେଳେ ଆଂଚଳିକ ଦଳର ମହାମେଂଟ ହିଁ ମୋଦି ଲହରରେ ବ୍ରେକ ଦେଇପାରିବ ବୋଲି ଚର୍ଚ୍ଚା ଚାଲିଛି ।