ଉଦଘାଟନକୁ ବିତିଯାଇଛି ଅଢେଇ ମାସ ! ଏବେବି ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନି ମାଲକାନଗିରିର ନୂଆ ହସ୍ପିଟାଲ, ପୁରୁଣା ଡାକ୍ତରଖାନା ଯାଉଛନ୍ତି ରୋଗୀ ।

53

କନକ ବ୍ୟୁରୋ : କଥାରେ ଅଛି ଥାନା, ପାଇଖାନା ଓ ଡାକ୍ତରଖାନାରେ କେବେ ତାଲା ପଡେ ନାହିଁ । ହେଲେ ମାଲକାନଗିରିର ୭ ମହଲା ବିଶିଷ୍ଟ ଅତ୍ୟାଧୁନିକ ମଲ୍ଟି ସ୍ପେଶାଲିଟି ହସ୍ପିଟାଲର ବିଭିନ୍ନ ବିଭାଗରେ ତାଲା ପଡିଛି । ନୂଆ ଡାକ୍ତରଖାନାରେ ସମୟ ସାରଣୀ ମୁତାବକ କେବଳ ଓପିଡି ସେବା ଯୋଗାଇବାରେ ସଫଳ ହୋଇଛି ସ୍ୱାସ୍ଥ୍ୟ ବିଭାଗ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନର ଅଢେଇ ମାସ ପରେ ନୂଆ କୋଠାରେ ଡାକ୍ତରଙ୍କୁ ପରାମର୍ଶ କରି ଅଢେଇ କିଲୋମିଟର ଦୂରରେ ଥିବା ପୁରୁଣା ଡାକ୍ତରଖାନାରେ ପରୀକ୍ଷା ନୀରିକ୍ଷା କରୁଛନ୍ତି ରୋଗୀ ।

ନିର୍ଧାରିତ ସମୟ ଅନୁସାରେ ସକାଳ ୮ଟାରୁ ୧୨ଟା, ଦିନ ୩ଟାରୁ ଅପରାହ୍ନ ୫ଟା ଯାଏଁ ଡାକ୍ତରଖାନା ଖୋଲା ହେଉଛି । ମାଲକାନଗିରି ନୂତନ ମୁଖ୍ୟ ଚିକିତ୍ସାଳୟରେ ୬ ଘଂଟିଆ ଚିକିତ୍ସା ଚାଲିଛି । ଉଦଘାଟନ ଆଢେଇ ମାସ ପରେ ଏହି ମଲ୍ଟି ସ୍ପେଶାଲିଟି ହସ୍ପିଟାଲରେ କେବଳ ସାଧାରଣ ବର୍ହି ବିଭାଗ ଚିକିତ୍ସା ବ୍ୟବସ୍ଥା କରି ଚୁପ୍ ବସିଛି ସ୍ୱାସ୍ଥ୍ୟ ବିଭାଗ । ଏଠାରେ ନାଁ ରେଜିଷ୍ଟ କରି ଡାକ୍ତରଙ୍କୁ ପରାମର୍ଶ କରିବା, ଟେଷ୍ଟ, ଏକ୍ସରେ ଓ ଅଲଟ୍ରାସାଉଣ୍ଡ ପାଇଁ ପୁରୁଣା କୋଠାକୁ ଦୌଡୁଛନ୍ତି ରୋଗୀ ।

ଜୁଲାଇ ୨୬ ତାରିଖରେ ୭ ମହଲା କୋଠାକୁ ଉଦଘାଟନ୍ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ୩୦୦ ଶର୍ଯ୍ୟା ବିଶିଷ୍ଟ ନୂଆ ଡାକ୍ତରଖାନାରେ କେବଳ ଓପିଡି ରହିଛି । ନୂଆ ଡାକ୍ତରଖାନାରେ ପୂର୍ବହ୍ନରେ ୪ ଘଂଟା ଓ ଅପରାହ୍ନରେ ୨ ଘଂଟା ଚିକିତ୍ସା ଯୋଗାଉଛନ୍ତି ଡାକ୍ତର । ବାକି ସବୁ ପରୀକ୍ଷା ନିରୀକ୍ଷା ଚାଲିଛି ପୁରୁଣା ଡାକ୍ତରଖାନାରେ । ନୂଆ ଡାକ୍ତରଖାନାରୁ ପୁରୁଣା ଡାକ୍ତରଖାନାର ମଧ୍ୟରେ ଅଢେଇ କିଲୋମିଟର ଦୂରତା ରହିଛି । ଫଳରେ ରୋଗୀ ଅଟୋ ଭଡା କରି ଏ ଡାକ୍ତରଖାନାରୁ ସେ ଡାକ୍ତରଖାନାକୁ ଦୌଡୁଛନ୍ତି ।

ପରିଚାଳଣାଗତ ତୃଟି ଯୋଗୁ ଡାକ୍ତରଖାନାରେ ଅଗ୍ନି ନିରାପତା, ଅକ୍ସିଜେନ ସଂଯୋଗିକରଣ, ପାନୀୟ ଜଳ ପରି ଅନୁସାଙ୍ଗିକ ବ୍ୟବସ୍ଥା ହୋଇ ପାରିନାହିଁ । ଫାୟାର ଫାଇଟିଙ୍ଗ କାମ ଜାରି ରହି ଥିବା ବେଳେ ଫାୟାର ସେଫଟି କାମ ସରିବାକୁ ଆହୁରି ୬ ମାସ ଲାଗିବ । ଆଇ.ସି.ୟୁ ଓ ବିଭିନ୍ନ ବିଭାଗର ଓାର୍ଡରେ ଅକ୍ସିଜେନ ସଂଯୋଗିକରଣ ପାଇଁ ଅର୍ଥ ବ୍ୟୟ ବରାଦ ହୋଇନଥିବା ଜଣାପଡିଛି । ଏପରି ସ୍ଥିତିରେ ମଲ୍ଟି ସ୍ପେଶାଲିଟି ହସ୍ପିଟାଲରେ ରକ୍ତ ଭଣ୍ଡାର କଥା ନକହିବା ଭଲ । କେବଳ ଭିତ୍ତିଭୂମି ନୁହେଁ, ମାଲକାନଗିରି ଜିଲ୍ଲାର ଏହି ମଲ୍ଟି ସ୍ପେଶାଲିଟି ଡାକ୍ତରଖାନାର ସୁପରିଚାଳଣା ଲାଗି ୬୭ ଜଣ ଡାକ୍ତରଙ୍କ ଆବଶ୍ୟକତା ଥିବା ବେଳେ ଅଛନ୍ତି ମାତ୍ର ୨୬ ଜଣ ଡାକ୍ତର । ଏପରି ସ୍ଥିତିରେ କେମିତି ଚାଲିବ ଏହି ବିରାଟ ଡାକ୍ତରଖାନା ତାକୁ ନେଇ ଉଠିଛି ପ୍ରଶ୍ନ ।