ମେକ୍ ଇନ୍ ଓଡିଶା କନକ୍ଲେଭ୍ ନେଇ ବିଜେଡିର ସାଂଘାତିକ ଅଭିଯୋଗ : ପ୍ରେସମିଟ୍ କରି କହିଲା ପ୍ରଗତି ଓ ସ୍ୱାର୍ଥ ବିରୋଧରେ ଚାଲିଛି ଷଡଯନ୍ତ୍ର

47

କନକ ବ୍ୟୁରୋ : ମେକ୍ ଇନ ଓଡିଶା କନକ୍ଲେଭରୁ ସିଆଇଆଇ ଓହରିଯିବା ନେଇ ଆଜି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ବିଜେଡି । ଦଳ ଅଭିଯୋଗ କରିଛି, ଓଡିଶାର ପ୍ରଗତି ଓ ସ୍ୱାର୍ଥ ବିରୋଧରେ ବଡ ଷଡଯନ୍ତ୍ର ଚାଲିଛି । ମେକ୍ ଇନ ଓଡିଶାରୁ ସିଆଇଆଇ ଓହରିବାର ରହସ୍ୟ କଣ ବୋଲି ଦଳ ପ୍ରଶ୍ନ କରିଛି । ଏହି ପ୍ରସଙ୍ଗରେ ପ୍ରେସମିଟରେ ସିଆଇଆଇର ପୂର୍ବାଂଚଳ ଚେୟାରମ୍ୟାନ ଜାଗି ମଙ୍ଗତ ପଣ୍ଡାଙ୍କ ନାଁ ବି ଉଠାଇଛି ବିଜେଡି । ଦଳ କହିଛି ଘଟଣା ପଛରେ କୌଣସି ବ୍ୟକ୍ତିଗତ ଚାପ ରହିଛି । ବ୍ୟକ୍ତିଗତ ସ୍ୱାର୍ଥକୁ ରଖି ଏଭଳି କଲେ ଦଳ ବରଦାସ୍ତ କରିବନି । ମେକ ଇନ ଓଡିଶାରୁ ଓହରିବା ନିଷ୍ପତ୍ତିର ପୁନଃବିଚାର କରିବାକୁ ବିଜେଡି ସିଆଇଆଇକୁ ଅନୁରୋଧ କରିଛି । ଏହା ନହେଲେ ମେକ ଇନ ଓଡିଶା ଆଧାର ବିରୋଧରେ ଷଡଯନ୍ତ୍ର କରାଯାଉଛି ବୋଲି ଧରାଯିବ । ତେବେ ସହଯୋଗ ନ ମିଳିଲେ ବି କନକ୍ଲେଭ ବନ୍ଦ ହେବନି ଓ ରାଜ୍ୟ ସରକାର ଏହାକୁ ଆଗେଇ ନେବେ ବୋଲି ସ୍ପଷ୍ଟ କରିଛି ବିଜେଡି । ଆସନ୍ତା ନଭେମ୍ବର ୧୧ରୁ ୧୫ ତାରିଖ ଯାଏଁ ହେବାକୁ ଥିବା ମେକ ଇନ ଓଡିଶା ଦ୍ୱିତୀୟ ସଂସ୍କରଣ ଆୟୋଜନରୁ ଭାରତୀୟ ଶିଳ୍ପ ମହାଂସଘ ଓହରିଯିବା ଫଳରେ ଏହି ବିବାଦ ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ, ମେକ୍ ଇନ୍ ଓଡିଶା କନକ୍ଲେଭ୍ ୨୦୧୮ର ଆୟୋଜନରୁ ସିଆଇଆଇ ଓହରିବା ପରେ ବିବାଦ ତେଜିଥିଲା । ଏଥିପାଇଁ କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରୀ- ସିଆଇଆଇର ପୂର୍ବାଂଚଳ ଅଧ୍ୟକ୍ଷ ଜାଗି ମଙ୍ଗତ ପଣ୍ଡାଙ୍କୁ ଦାୟୀ କରିଥିଲା ବିଜେଡି । ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଥିଲେ, ମେକ୍ ଇନ୍ ଓଡିଶା କନକ୍ଲେଭ୍-୨୦୧୮ ଆୟୋଜନ ପାଇଁ ସିଆଇଆଇକୁ ସହଯୋଗ କରିବାକୁ ପ୍ରସ୍ତାବ ଦେଇଥିଲେ ରାଜ୍ୟ ସରକାର । ତେବେ ଗତ ଫେବୃଆରୀ ଯାଏଁ ରାଜ୍ୟ ସରକାରଙ୍କ ସହ ସମ୍ପୂର୍ଣ୍ଣ ବୁଝାମଣାରେ ଥିବା ସିଆଇଆଇ, ମେକ୍ ଇନ୍ ଓଡିଶା କନକ୍ଲେଭ୍ ପାଇଁ ସହଯୋଗ କରିବାକୁ ହଠାତ୍ ମନା କରିଦେଇଛନ୍ତି ।

ବିଜେଡିର ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପତ୍ନୀ ଜାଗି ମଙ୍ଗତ ପଣ୍ଡା, ସିଆଇଆଇ ପୂର୍ବାଂଚଳର ଚେୟାରପର୍ସନ ହେବା ପରେ, ସିଆଇଆଇର ନିଷ୍ପତତ୍ତିରେ ପରିବର୍ତନ ଆସିଥିବା ବିଜେଡି ଅଭିଯୋଗ କରିଛି । ୨୦୧୬ରେ ସିଆଇଆଇ ସହ ପାର୍ଟନରସିପରେ ରାଜ୍ୟ ସରକାର ମେକ୍ ଇନ୍ ଓଡିଶା କନକ୍ଲେଭ୍ କରିଥିଲେ । ସେଥିରୁ ପାଖାପାଖି ସାଢେ ୩ ଲକ୍ଷ କୋଟି ଟଙ୍କାର ନିବେଶ ଆସିଥିଲା । ଚଳିତବର୍ଷ ନଭେମ୍ବର ୧୧ରୁ ୧୫ଯାଏଁ ମେକ୍ ଇନ୍ ଓଡିଶା କନକ୍ଲେଭ୍ -୨୦୧୮ କରିବାକୁ ସ୍ଥିର ହୋଇଛି । ସେପଟେ ସିଆଇଆଇ ମେକ୍ ଇନ୍ ଓଡିଶା କନକ୍ଲେଭରୁ ଓହରିବା ପରେ ଓଡିଶା ଷ୍ଟେଟ୍ କାଉନସିଲ୍ ଅଧ୍ୟକ୍ଷ ଅରୁଣ ମିଶ୍ର ଓ ଉପାଧ୍ୟକ୍ଷ ସୁବ୍ରତ ତ୍ରିପାଠୀ ଇସ୍ତଫା ଦେଇଥିବା ସୂଚନା ମିଳିଛି ।