ମହିମାଙ୍କ ଆତ୍ମଗୋପନ କାହାଣୀ ! ଥାଇଲାଣ୍ଡରୁ ଆଣିଲା ଜଗତସିଂହପୁର ପୁଲିସ୍

17

କନକ ବ୍ୟୁରୋ : ଖୁବ ଶୀଘ୍ର ଓଡିଶାରେ ପହଂଚିବେ ହତ୍ୟା ଅଭିଯୁକ୍ତ ଶିଳ୍ପପତି ମହିମା ମିଶ୍ର । ଓଡିଶା ପହଂଚିବା ପରେ ପୁଲିସ ତାଙ୍କୁ ଗିରଫ କରିବା ସହ ଆରମ୍ଭ କରିବ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାର ପରବର୍ତ୍ତୀ ତଦନ୍ତ । ମହିମାଙ୍କ ସହ ଥାଇଲାଣ୍ଡ ପୁଲିସ କବଜାରେ ନେଇଥିଲା ଏହି ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ବସନ୍ତ ବଳ । ସେପଟେ ପୁଲିସ୍ ମହାନିର୍ଦ୍ଦେଶକ କହିଛନ୍ତି, ଏବେ ଖୋଲିବ ମହିମାଙ୍କ ପୁରୁଣା ଅପରାଧିକ ରେକର୍ଡ । ଯାହା ହୁଏତ ଶିଳ୍ପପତି ମହିମା ମିଶ୍ରଙ୍କୁ ଅଡୁଆରେ ପକାଇ ଦେଇପାରେ ।

ଅକ୍ଟୋବର ୨୫ ତାରିଖ । ସିୱେଜ୍ ମ୍ୟାନେଜର୍ ମହେନ୍ଦ୍ର ସ୍ୱାଇଁଙ୍କୁ ହତ୍ୟା କଲେ ସୁପାରୀ କିଲର୍ । ପାରାଦୀପରେ ଖେଳିଗଲା ଆତଙ୍କ । ଆଉ ଚାଂଚଲ୍ୟ ଖେଳିବା ପୂର୍ବରୁ ଫେରାର୍ ହୋଇଗଲେ ଓଡିଶା ଷ୍ଟିଭେଡର୍ସ ଲିମିଟେଡର ମୁଖ୍ୟ ମହିମାନନ୍ଦ ମିଶ୍ର । ଓଡିଶା ପୁଲିସ୍ ପଡିଗଲା ମହିମାଙ୍କ ପଛରେ । ସୁପାରୀ କିଲର୍ ଠାରୁ ଆରମ୍ଭ କରି ସହଯୋଗୀ ପର୍ଯ୍ୟନ୍ତ । ଗିରଫ ହେଲେ ଜଣେ ପରେ ଜଣେ । ଖୋଲିଲା ଗୁମର । ବିଭିନ୍ନ ଜାଗାରେ ରେଡ୍ କଲା ଜଗତସିଂପୁର ପୁଲିସ୍ ।

ହେଲେ ସେତେବେଳକୁ ମହିମା ଫେରାର୍ । ଲୁକ୍ ଆଉଟ୍ ସର୍କୁଲାର୍ ଜାରି ହେବା ବେଳକୁ ଦିଲ୍ଲୀର ଫାଇଭ୍ ଷ୍ଟାର୍ ହେଟେଲର ଲକଜୁରିୟସ୍ ରୁମରେ ପହଂଚି ସାରିଥିଲେ ମହିମା । ଏଇଠୁ ଆରମ୍ଭ ହେଲା ଆତ୍ମଗୋପନ କାହାଣୀ । ୧୦ ଅଙ୍ଗରକ୍ଷୀଙ୍କ ସହ ମହିମା ଓ ସହଯୋଗୀ ବସନ୍ତ ଘୁରି ବୁଲିଲେ ଦିଲ୍ଲୀ, ଗୁରୁଗାଓଁ, ଅମ୍ରିତସର୍ ଓ ଚଣ୍ଡିଗଡ । ଶେଷରେ ସଡକପଥରେ ପାରି ହୋଇଗଲେ ନେପାଳ ବର୍ଡର । କାରଣ ବିମାନ ଚଢିଲେ ବିପଦ ଥିଲା । ଶେଷରେ ନେପାଳରୁ ଟୁରିଷ୍ଟ ଭିସା ଜରିଆରେ ମହିମା ଓ ବସନ୍ତ ଚାଲିଗଲେ ଥାଇଲାଣ୍ଡ ।

ବ୍ୟାଙ୍କକର ଷ୍ଟାର୍ ହୋଟେଲରେ ଆରମ୍ଭ ହେଲଶ ଅୟେଶ୍ ଆରାମ୍ । ହେଲେ ଜାଣି ନଥିଲେ ଓଡିଶା ପୁଲିସର ହାତ ପହଂଚିଗଲାଣି ଥାଇଲାଣ୍ଡରେ । ଆଉ ଥାଇଲାଣ୍ଡ ପୁଲିସ୍ ଅତି ସତର୍କତାର ସହ ଧରିଲା ମହିମା ଓ ବସନ୍ତଙ୍କୁ ।
ଏବେ ଜଗତସିଂହପୁର ପୁଲିସ୍ ପହଂଚି ଯାଇଛି ଥାଇଲାଣ୍ଡରେ । ପ୍ରବର୍ତ୍ତନ ନେଇ କାଗଜପତ୍ର କାମ ସରିବା ପରେ ଖୁବ୍ ଶୀଘ୍ର ଦୁଇ ଅଭିଯୁକ୍ତଙ୍କୁ ନେଇ ଓଡିଶା ଫେରିବ ।