ଦୁଇ ଦିନ ପରେ ମହାଶିବରାତ୍ରୀ : ସିସଟିଭି ନଜରରେ ରହିବ ଲିଙ୍ଗରାଜ ମନ୍ଦିର, ମୁତୟନ ହେବେ ୩୦ ପ୍ଲାଟୁନ ପୋଲିସ ଫୋର୍ସ

175

କନକ ବ୍ୟୁରୋ : ଦୁଇ ଦିନ ପରେ ମହାଶିବରାତ୍ରୀ । ଏଥିପାଇଁ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ । ମହାଶିବରାତ୍ରିରେ ଶ୍ରଦ୍ଧାଳୁଙ୍କ ଭିଡ଼ ଅଧିକ ହେବାର ଥିବାରୁ କମିସନରେଟ୍ ପୁଲିସ ପକ୍ଷରୁ ଗତକାଲି ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜ ଥାନା ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଇନ ଶୃଙ୍ଖଳା ଓ ଟ୍ରାଫିକ୍‌ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା ।

ବୈଠକର ନିଷ୍ପତ୍ତି ଅନୁଯାୟୀ ମନ୍ଦିର ସମ୍ମୁଖର ବାମ ପାର୍ଶ୍ବରେ ପୁଲିସ ‌ନିୟନ୍ତ୍ରଣ କକ୍ଷ ରହିବ । ସେଠାରେ ମଧ୍ୟ ସିସିଟିଭି ଉପରେ ପୁଲିସ ନଜର ରଖିବ । ସେହିପରି ସେଠାରେ ସୂଚନା କେନ୍ଦ୍ର ମଧ୍ୟ ରହିବ । ଆସନ୍ତା ୨୦ତାରିଖ ସୁଦ୍ଧା ମନ୍ଦିରକୁ ସଂଯୋଗ କରୁଥିବା ସବୁ ରାସ୍ତା କାମ ଶେଷ କରାଯିବ । ପୁରୁଣା ଥାନା ଥିବା ଜାଗାରେ ଲୋକ ଧାଡ଼ି ବାନ୍ଧି ଠିଆ ହେବେ। ମନ୍ଦିର ଦୁଇ ପାର୍ଶ୍ବ ରାସ୍ତାରେ ଲୋକ ବସି ଦୀପ ଜାଳିବେ । ମଙ୍ଗଳବାର ଡିସିପି ସାଗରିକା ନାଥଙ୍କ ଦ୍ବାରା ଶ୍ରୀଲିଙ୍ଗରାଜ ମହାଶିବରାତ୍ରି ମାର୍ଗଦର୍ଶିକା ଜାରି କରାଯିବ । କେଉଁଠି ପାର୍କିଂ ବ୍ୟବସ୍ଥା କରାଯିବ, କେଉଁଠି ଲୋକ ସୁବିଧାରେ ଯାଇ ପାରିବେ ଏନେଇ ସେ ଅବଗତ କରାଇବେ । ଯାତ୍ରାରେ କୌଣସି ପ୍ରକାର ବିଶୃଙ୍ଖଳା ଉପରେ ନଜର ରଖିବା ପାଇଁ ମନ୍ଦିର ଭିତରେ ଓ ବାହାରେ ଲାଗିଥିବା ୩୨ଟି ସିସି କ୍ୟାମେରା ସହ ବହୁ ସାଧା ପୋଷାକଧାରୀ ପୁଲିସ ନଜର ରଖିବେ । ମୁତୟନ ହେବେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ।  ଯାନବାହାନ ପାର୍କିଂ ପାଇଁ ୧୦ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି ।

ତେବେ ବଢ଼େଇବାଙ୍କ ଛକ, ଗ୍ୟା‌ରେଜ୍‌ ଛକ, ସୁଭଦ୍ରା ମହତାବ ହାଇସ୍କୁଲ, ମାଉସୀ ମା’ ଛକ, କେଦାରଗୌରୀ ଛକ, ଖରାଖିଆ ବୈଦନାଥ ଛକ, ନୂଆ ଲିଙ୍ଗରାଜ ମାର୍କେଟଠାରୁ ରାସ୍ତା ସିଲ୍‌ କରାଯିବ ବୋଲି କୁହାଯାଇଛି। ଏହି ଅବସରରେ ପୁଲିସ କମିସନର ଶ୍ରୀ ଷଡ଼ଙ୍ଗୀ ଲୋକମାନଙ୍କ ସହଯୋଗ କାମନା କରିବା ସହ ଟ୍ରାଫିକ ନିୟମ ମାନିବାକୁ ନିବେଦନ କରିଛନ୍ତି ।