ବିଧାନସଭାରେ ମହାନଦୀ ତାତି ! ଗୃହର ମଧ୍ୟ ଭାଗକୁ ଆସି ହୋହଲ୍ଲା କଲେ କଂଗ୍ରେସ ବିଧାୟକ । ବିଜେଡି ବି କଲା ପ୍ରତିବାଦ ।

23

କନକ ବ୍ୟୁରୋ : ମହାନଦୀ ପ୍ରସଙ୍ଗରେ ଆଜି ବିଧାନସଭା ଅଚଳ ହୋଇପଡିଛି । କଂଗ୍ରେସ ସଦସ୍ୟମାନେ ଗୃହରେ ମଧ୍ୟଭାଗରେ ଆସି ହୋହଲ୍ଲା କରିବା ଫଳରେ ବିଧାନସଭା ଚାଲିପାରିନାହିଁ । ଫଳରେ ଗୃହକୁ ୩ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେଡି ଓ କଂଗ୍ରେସ ସଦସ୍ୟ ମହାନଦୀ ଟ୍ରିବ୍ୟୁନାଲ ପ୍ରସଙ୍ଗ ଉଠାଇଥିଲେ ।

ଏଥିପାଇଁ ବିଜେଡି କେନ୍ଦ୍ରକୁ ଦାୟୀ କରିଥିଲା । ଆଉ ବିଜେଡି ସଦସ୍ୟମାନେ ନିଜ ନିଜ ସ୍ଥାନରେ ଛିଡାହୋଇ ପ୍ରତିବାଦ କରିଥିଲେ । କଂଗ୍ରେସ ସଦସ୍ୟମାନେ ମୋଦି ଓ ନବୀନ ବିରୋଧୀ ନାରା ଦେଇ ଗୃହର ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ । ଫଳରେ ଗୃହକୁ ୩ଟା ଯାଏଁ ମୁଲତବୀ ଘୋଷଣା କାଯାଇଛି । ମହାନଦୀ ବିବାଦରେ ଟ୍ରିବ୍ୟୁନାଲ ଗଠନ ପାଇଁ ଗତକାଲି କେନ୍ଦ୍ର ସରକାର ମନାକରିଦେଇଥିଲେ ।

ଏ ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ବି ଦାଖଲ କରିଥିଲେ । ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାର କହିଥିଲେ, ମହାନଦୀ ଜଳ ଆବଂଟନ ନେଇ ରାଜ୍ୟ ସରକାର ଯେଉଁ ତଥ୍ୟ ଯୋଗାଇଦେବା କଥା, ତାହା ଦେଇନାହାନ୍ତି । ତେଣୁ ଟ୍ରିବ୍ୟୁନାଲ ଗଠନ ହୋଇପାରିବ ନାହିଁ । ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ପାଇଁ ଓଡିଶା ସରକାର ଦୀର୍ଘଦିନ ଧରି ଦାବି କରିଆସୁଥିଲେ ।