ବାଙ୍କୀରେ ପଶିଲା ମହାନଦୀ ପାଣି, ସୃଷ୍ଟି ହେଲା ବନ୍ୟା ପରିସ୍ଥିତି : ଏପଟେ ମୁଣ୍ଡଳି ଛୁଇଁଲା ହୀରାକୁଦର ବନ୍ୟାଜଳ

24

କନକ ବ୍ୟୁରୋ : ବାଙ୍କୀରେ ପଶିଲା ମହାନଦୀର ବନ୍ୟା ପାଣି । ହୀରାକୁଦ ଜଳଭଣ୍ଡାରରୁ ୨୫ଟି ଗେଟ୍ ଦେଇ ନିଷ୍କାସିତ ହେଉଥିବା ବନ୍ୟା ଜଳ ଆଜି ବାଙ୍କିରେ ପ୍ରବେଶ କରିଛି । ସୁବର୍ଣପୁର ନିକଟ ହୁଳୁହୁଳା ବ୍ରିଜ୍ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ବାଙ୍କିର ରତାଗଡ, ଗୋବିନ୍ଦପୁର, ବନ୍ଦାଳ, ବାଉଁଶପୁଟ ପଂଚାୟତର ପ୍ରାୟ ୨୦ ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ଏହା ସହ ତିରିଆରୁ ବାଙ୍କି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେପଟେ ବିଲିପଡା ପଂଚାୟତର କବଁଆ ନାଳ ଉପରେ ୩ ଫୁଟର ଜଳ ପ୍ରବାହିତ ହେଉଛି । ଫଳରେ ବିଲିପଡାରୁ ସିମିଳପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ଶହ ଶହ ଏକର ଚାଷଜମିରେ ବନ୍ୟାଜଳ ମାଡିଯାଇଛି ।

ସେପଟେ ମୁଣ୍ଡଳିରେ ମହାନଦୀର ଉଗ୍ରରୂପ । ଆଜି ସକାଳେ ମୁଣ୍ଡଳି ଛୁଇଁଛି ହୀରାକୁଦରୁ ୨୫ଟି ଗେଟ୍ ଦେଇ ଛଡାଯାଇଥିବା ବନ୍ୟାଜଳ । କଟକ ମୁଣ୍ଡଳି ବ୍ୟାରେଜ୍ ଦେଇ ଏବେ ପ୍ରବାହିତ ହେଉଛି ୬ ଲକ୍ଷ ୧୦ ହଜାର କ୍ୟୁସେକ୍ ପାଣି । ହୀରାକୁଦ ଡ୍ୟାମ୍ରୁ ନିଷ୍କାସିତ ୮ ଦଶମିକ ୫ ଲକ୍ଷ କ୍ୟୁସେକ୍ ଜଳ ମୁଣ୍ଡଳିରେ ପହଁଚିବା ପରେ ମହାନଦୀ ଫୁଲି ଉଠିଛି । ଜଳସ୍ତର ଆହୁରି ବୃଦ୍ଧି ପାଇବା ସମ୍ଭାବନା ରହିଛି । ମୁଣ୍ଡଳି ବ୍ୟାରେଜ୍ ଦେଇ ଗତକାଲି ସୁଦ୍ଧା ୬ ଲକ୍ଷ ୨୫ ହଜାର ୯୭୫ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିଲା । ବଡ଼ ଧରଣର ବନ୍ୟା ନହେଲେ ମଧ୍ୟ ଏହି ପାଣି ଯୋଗୁ ମହାନଦୀର ତଳମୁଣ୍ଡରେ ଥିବା ଗାଁ ଜଳମଗ୍ନ ହେବାର ଆଶଙ୍କା ସୃ୍ଷ୍ଟି ହୋଇଛି ।