ମହାମେଣ୍ଟ ମଞ୍ଚରୁ ମୋଦିଙ୍କ ଉପରେ ଗର୍ଜିଲେ ରାହୁଲ ! କହିଲେ ବିମୁଦ୍ରାକରଣ ଦୁନିଆର ସବୁଠୁ ବଡ ଘୋଟାଲା ।

97

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି, ବିମୁଦ୍ରାକରଣ ଦୁନିଆର ସବୁଠାରୁ ବଡ ଘୋଟାଲା ଅଟେ । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷକମାନଙ୍କୁ ଦୈନିକ ୧୭ ଟଙ୍କା ଦେବାର ଯେଉଁ ଯୋଜନା କରିଛନ୍ତି, ତାହା କୃଷକମାନଙ୍କ ପାଇଁ ଅପମାନ ବୋଲି କହିଛନ୍ତି ରାହୁଲ । ପାଟନା ଗସ୍ତ ଅବସରରେ ଏକ ରାଲିକୁ ସମ୍ବୋଧିତ କରିବା ସହ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ । କହିଛନ୍ତି, ନୀତିଶ କୁମାର, ମୋଦିଙ୍କ ଭଳି ପ୍ରତିଶ୍ରୁତି ଦେବାରେ ପ୍ରମୁଖ ଖେଳାଳୀ ଅଟନ୍ତି । ଏହି ଅବସରର ମୋଦିଙ୍କ ଟାର୍ଗେଟ କରିବା ସହ ରାହୁଲ କହିଛନ୍ତି ଯେ, ମୋଦି ନିଜର ଧନୀ ସାଙ୍ଗମାନଙ୍କ କଳାଧନକୁ ଧଳା କରାଇଛନ୍ତି ।

୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି, ବିରୋଧୀ କଂଗ୍ରେସ ଶିବିରରେ ରାଜନୀତି ସେତିକି ଉଷ୍ମ ହେବାରେ ଲାଗିଛି । ପୂର୍ବରୁ ମଧ୍ୟ ବିଭିନ୍ନ ରାଜନୈତିକ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଶାସନଗାଦିକୁ ପୁଣି ଥରେ ଫେରିବା ପାଇଁ କସରତ ଚଲାଇଛି କଂଗ୍ରେସ । ତିନୋଟି ବଡ ରାଜ୍ୟରେ ସରକାର ଗଠନ କରିବା ପରେ କଂଗ୍ରେସ ନେତାମାନଙ୍କ ମନରେ ନୂଆ ଆଶା ସଂଚାର ହୋଇଥିବା ପରିଲକ୍ଷିତ ହୋଇଛି । ବିଭିନ୍ନ ଜନସଭା ଏବଂ ରାଜନୈତିକ ରାଲିରେ ମୋଦି ସରକାରଙ୍କ ବିଫଳତାକୁ ଅସ୍ତ୍ର କରି ଜନସାଧାରଣଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଲାଗିପଡିଛି କଂଗ୍ରେସ ।