ମାଲକାନଗିରି ପଂଚାୟତରେ କାହିଁକି ହାରିଲା ବିଜେଡି : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସଫେଇ ଦେଲେ ବିଧାୟକ ମାନସ ମାଡକାମୀ

20

କନକ ବ୍ୟୁରୋ : ଗତ ପଂଚାୟତ ନିର୍ବାଚନରେ ବିଜେଡି ହାତରୁ ମାଲକାନଗିରି ଛଡାଇ ନେଇଥିଲା ଭାରତୀୟ ଜନତା ପାର୍ଟି । ମୋଟ୍ ୧୩ଟି ଜିଲ୍ଲା ପରିଷଦ ଜୋନରୁ ୧୦ଟିରେ ଜିତି ପଂଚାୟତ ଗଢିଥିଲା ବିଜେପି । କଂଗ୍ରେସ- ୨ ଓ ବିଜେଡିକୁ ମାତ୍ର ଗୋଟିଏ ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ଏହି ବିରାଟ ବିପର୍ଯ୍ୟୟ ପାଇଁ ଜିଲ୍ଲାର ଅଣଓଡିଆ ଜିଲ୍ଲାପାଳଙ୍କୁ ଦାୟୀ କରିଛନ୍ତି ବିଧାୟକ ମାନସ ମାଡକାମୀ । ନିଜ ଉପରୁ ଦୋଷ ଛଡାଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନକୁ ଦାୟୀ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମାଲକାନଗିରି ବିଧାୟକ ମାନସ ମାଡକାମୀ ଦେଇଥିବା ଚିଠିରେ ପଂଚାୟତ ପରାଜୟର କାରଣ ଦର୍ଶାଇଛନ୍ତି ବିଧାୟକ ।
ପଂଚାୟତ ପରାଜୟର କାରଣ
୧- ସରକାରଙ୍କ ଜନମଙ୍ଗଳ ଯୋଜନା ଲୋକଙ୍କ ପାଖରେ ପହଂଚିବାରେ ବାଧା ସୃଷ୍ଟି କରୁଛନ୍ତି ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ
୨- ସରକାରଙ୍କ ଗ୍ରାମକାନ୍ଥ ପରାମ୍ବକ ପଟ୍ଟା ବଂଟନରେ ଜିଲ୍ଲାପାଳ ଅବହେଳା କରୁଛନ୍ତି
୩- ପଂଚାୟତ ନିର୍ବାଚନ ପୂର୍ବରୁ ୪୫୦ଜଣ ଶିକ୍ଷକଙ୍କ ବଦଳି କରିଦେଇଥିଲେ ଜିଲ୍ଲାପାଳ
୪- ଜିଲ୍ଲାପାଳଙ୍କ ଏଭଳି ଏକଚାଟିଆ ନିଷ୍ପତ୍ତି ଯୋଗୁଁ ଶିକ୍ଷକମାନେ ବିଜେଡି ବିରୋଧୀ ହୋଇଗଲେ
୫- ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଦୁର୍ନୀତିର ଗନ୍ତାଘର ପାଲଟିଛି
୬- ଅଣଓଡିଆ ଜିଲ୍ଲାପାଳ ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାଁନ୍ତି

ଆଗକୁ ଆସୁଛି ପୌର ନିର୍ବାଚନ । ଯାହାର ଫଳାଫଳ ୨୦୧୯ ସାଧାରଣ ନିର୍ବାଚନ ପାଇଁ ନିର୍ଣ୍ଣାୟକ ହେବ । ଆଉ ସେଥିପାଇଁ ସୁପ୍ରିମୋଙ୍କୁ ସତର୍କ କରାଇଛନ୍ତି ନା ପୁଣିଥରେ ପୌର ନିର୍ବାଚନ ହାରିବା ଭୟରେ ଏଭଳି ଚିଠି ଲେଖିଛନ୍ତି ମାନସ ମାଡକାମୀ ତାହା ଆଗାମୀ ଦିନରେ ଜଣାପଡିବ ।