ବ୍ରହ୍ମ ଦର୍ଶନ ପାଇଁ ଦଇତାପତିଙ୍କ ଭିତରେ ଚାଲିଥିଲା ପ୍ରତିଯୋଗିତା । ଜାଣନ୍ତୁ ଶ୍ରୀଜିଉଙ୍କ ଘଟ ପରିବର୍ତନ ରାତିର ସତ ।

524

କନକ ବ୍ୟୁରୋ : ନବକଳେବର ବ୍ରହ୍ମ ବିଭ୍ରାଟ ପାଇଁ ଦଇତାପତି ନିଯୋଗ ସମ୍ପାଦକ ପ୍ରେମାନନ୍ଦ ଦାସ ମହାପାତ୍ର ଦାୟୀ । ସାଢେ ତିନି ବର୍ଷ ତଳେ ଘଟିଥିବା ବ୍ରହ୍ମ ବିଭ୍ରାଟରେ ବିଶୃଙ୍ଖଳା ସୃଷ୍ଟି କରିଥିବା ଅଭିଯୋଗର ତଦନ୍ତ କରି ଶ୍ରୀମନ୍ଦିର ପ୍ରଶାସନ, ପ୍ରେମାନନ୍ଦ ଦାସମହାପାତ୍ରଙ୍କୁ ନୋଟିସ କରିଛି । ଏଥିସହ ସେଦିନ ବିଶୃଙ୍ଖଳା କରିଥିବା ଅନ୍ୟ ୫ଜଣ ସେବାୟତଙ୍କୁ ମଧ୍ୟ ଦାୟୀ କରି, ୧୫ ଦିନ ମଧ୍ୟରେ କୈଫିୟତ ମଗାଯାଇଛି । ସନ୍ତୋଷଜନକ ଉତର ନମିଳିଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ଜଣାଇଦେଇଛି । ନୋଟିସରେ ଘଟ ପରିବର୍ତନ ରାତିରେ କିଏ କଣ ବିଶୃଙ୍ଖଳା କରିଥିଲା ସେନେଇ ଟିକିନିକ୍ ଜଣାଇଛନ୍ତି ମୁଖ୍ୟ ପ୍ରଶାସକ । ଆସନ୍ତୁ ଜାଣିବା ଶ୍ରୀଜିଉଙ୍କ ଘଟ ପରିବର୍ତନ ରାତିର ସତ ।

୧୫ ଜୁନ୍ ୨୦୧୫ । ନିଶାର୍ଦ୍ଧରେ ଘଟ ପରିବର୍ତନ କରିବାକୁ ଶ୍ରୀମନ୍ଦିରରେ ଉପସ୍ଥିତ ଥିଲେ ଶ୍ରୀଜିଉଙ୍କ ଚାରି ବାଡଗ୍ରାହୀ ଓ ଦଇତାପତି ସେବକ । ଘଟ ପରିବର୍ତନ ପ୍ରକ୍ରିୟା ଆରମ୍ଭ ହେଲା ଆଉ ତାସହ ଆରମ୍ଭ ହୋଇଗଲା ବ୍ରହ୍ମ ଦର୍ଶନ ପାଇଁ ପ୍ରତିଯୋଗିତା । ଘଟ ପରିବର୍ତନ ଏକ ଗୁପ୍ତ ସେବା । କେବଳ ଶ୍ରୀଜିଉଙ୍କ ବାଡଗ୍ରାହୀ ମାନେ ଉପସ୍ଥିତ ରହି ଘଟ ପରିବର୍ତନ ଏବଂ ବ୍ରହ୍ମ ସଂସ୍ଥାପନ କରିଥାନ୍ତି । ପରେ ଅନ୍ୟ ଦଇତାପତି ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତି । ତେବେ ସେଦିନ ରାତିରେ ବ୍ରହ୍ମ ଦେଖିବାକୁ ଯେମିତି ପ୍ରତିଯୋଗିତା ଚାଲିଥିଲା ସେବାୟତଙ୍କ ମଧ୍ୟରେ ।

ପ୍ରଥମେ ଦଇତାପତି ନିଯୋଗ ସମ୍ପାଦକ ପ୍ରେମାନନ୍ଦ ଦାସ ମହାପାତ୍ର ଘଟ ପରିବର୍ତନ ବେଳେ ବ୍ରହ୍ମ ଦର୍ଶନ ପାଇଁ ଜିଦ୍ ଧରିଥିଲେ । ଏପରିକି ଅନ୍ୟ ୪ ଜଣ ବରିଷ୍ଠ ଦଇତାପତିଙ୍କୁ ବ୍ରହ୍ମ ଦର୍ଶନ କରାଇବା ଉଦ୍ଦେଶ୍ୟରେ ବେହେରଣ ଦ୍ୱାର ଡେଇଁ ତାଟି ନିକଟକୁ ନେଇଥିଲେ । କାହାକୁ ଖାତିର ନକରି ଜବରଦସ୍ତ ନିଜେ ବ୍ରହ୍ମ ଦର୍ଶନ କଲେ ଏବଂ ଅନ୍ୟମାନଙ୍କୁ କରାଇଥିଲେ ।

ସାଢେ ତିନି ବର୍ଷ ତଳେ ଘଟିଥିବା ବ୍ରହ୍ମ ବିଭ୍ରାଟ ଅଭିଯୋଗର ତଦନ୍ତ କରି ଶ୍ରୀମନ୍ଦିର ପ୍ରଶାସନ, ପ୍ରେମାନନ୍ଦଙ୍କୁ ମୁଖ୍ୟ ଖଳନାୟକ ସଜାଇଛି । ପ୍ରେମାନନ୍ଦଙ୍କ ସହ ବରିଷ୍ଠ ଦଇତାପତି ବିଶ୍ୱନାଥ ଦାସମହାପାତ୍ର, କୃଷ୍ଣଚନ୍ଦ୍ର ଦାସମହାପାତ୍ର, ନବକିଶୋର ଦାସମହାପାତ୍ର, କାଶୀନାଥ ଦାସମହାପାତ୍ର ଏବଂ ଜୟକୃଷ୍ଣ ଦାସମହାପାତ୍ରଙ୍କୁ ବି ବିଭ୍ରାଟ ପାଇଁ ଦାୟୀ କରାଯାଇଛି । ୧୫ ଦିନ ମଧ୍ୟରେ କୈଫିୟତ ମଗାଯାଇଛି ଆଉ ସେସମୟ ମଧ୍ୟରେ ସନ୍ତୋଷ ଜନକ ଉତ୍ତର ନମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ରୋକଠୋକ୍ ଶୁଣାଇଦେଇଛି ।