ସାବଧାନ ପର୍ଯ୍ୟଟକ ! ଏକାମ୍ର କ୍ଷେତ୍ରରେ ମାତିଛନ୍ତି ପର୍ସ ଲୁଟେରା, ଅଭିନବ ଶୈଳୀରେ ଲୁଟୁଛନ୍ତି ପର୍ସ

33

କନକ ବ୍ୟୁରୋ : ଏକାମ୍ର କ୍ଷେତ୍ରରେ ମାତିଛନ୍ତି ପର୍ସ ଲୁଟେରା। ଟର୍ଗେଟରେ ପର୍ଯ୍ୟଟକ । ନିକଟରେ ଏକ ଗେଷ୍ଟହାଉସରେ ପର୍ୟ୍ୟଟକଙ୍କ ପର୍ସ ଲୁଟ୍ ଘଟଣାରେ ୩ ଜଣ ଗିରଫ ହୋଇଥିଲେ। ଆଜି ଆଉ ୨ ଜଣ ମହିଳା ପର୍ୟ୍ୟଟକ ଲୁଟର ଶିକାର ହୋଇଥିବା ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ ହୋଇଛି।

lingaraj-temple-bhubaneswarସୂଚନା ଅନୁଯାୟୀ ପଶ୍ଚିମବଙ୍ଗର ତୁଳସୀ ମଣ୍ଡଳ ଆଜି ତାଙ୍କ ପରିବାର ସହ ମନ୍ଦିରକୁ ଆସିଥିଲେ। ସେ ସକାଳ ପ୍ରାୟ ସାଢ଼େ ୧୦ଟାରେ ଗର୍ଭଗୃହରେ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ତେବେ ସେ ବାହାରକୁ ଆସି ଦେଖନ୍ତି ଯେ, ତାଙ୍କ ପର୍ସରୁ କେହି ୧୦ହଜାର ଟଙ୍କା ନେଇ ଯାଇଛି। ଏନେଇ ସେ ମନ୍ଦିର ବେଢ଼ା ଚାରିପଟେ ଖୋଜିବା ସହ ବିଭିନ୍ନ ଲୋକଙ୍କୁ ପଚରାଉଚରା କରିଥିଲେ। ଟଙ୍କା ନପାଇବାରୁ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ। ସେହିପରି ସାଲେପୁର ଅଞ୍ଚଳର ମିନତି ଓଝାଙ୍କ ପର୍ସ ମଧ୍ୟ ଲୁଟ୍ ହୋଇଛି। ଏ ନେଇ ସେ ଥାନାରେ ଅଭିଯୋଗ କରିଥିଲେ। ଉଭୟ ମାମଲାରେ ପୁଲିସ ଥାନାରେ ଥିବା ସିସିଟିଭି ଯାଞ୍ଚ ଚଳାଇଛି।

ତିନି ଦିନ ପୂର୍ବରୁ ଗୁଜୁରାଟ ମର୍ବି ଅଞ୍ଚଳର ବାଲୁଭାଇ ପ୍ରେମଜୀ ତାଙ୍କ ପତ୍ନୀ ମହେନ୍ଦ୍ର ପ୍ରେମଜୀ ଗୁରୁବାର ଶ୍ରୀଲିଙ୍ଗରାଜ ମନ୍ଦିରକୁ ଆସିଥିଲେ। ସେ ଲିଙ୍ଗରାଜ ମାର୍କେଟ ନିକଟ ଏକ ଘରୋଇ ଗେଷ୍ଟ ହାଉସକୁ ଯାଇଥିବାବେଳେ ତାଙ୍କ ପତ୍ନୀ ପର୍ସ ଧରି ଅପେକ୍ଷା କରିଥିଲେ। ଏହି ସମୟରେ ଅନ୍ୟ ଜଣେ ପର୍ୟ୍ୟଟକ କିଛି ୧୦ଟଙ୍କିଆ ନୋଟ୍ ତଳେ ପକାଇ ଦେଇଥିଲେ। ବାଲୁଭାଇ ଟଙ୍କା ଗୋଟାଉଥିବା ବେଳେ ସେ ପର୍ସ ନେଇ ପଳାଇଥିଲା। ପର୍ସରେ ଲକ୍ଷେ ୩ ହଜାର ଟଙ୍କା ଥିଲା। ପୁଲିସ ଉକ୍ତ ଗେଷ୍ଟ ହାଉସ୍ରେ ପହଞ୍ଚି ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୫୩ହଜାର ଟଙ୍କା ଜବତ କରିଥିଲା।