ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା : ସମନ ପଠାଇଥିଲା ପୋଲିସ, ହାଜର ହେଲେନି ଗୋଲକ! ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ମାଗିଲେ ଗୋଟିଏ ମାସର ମହଲତ

113

କନକ ବ୍ୟୁରୋ : ହାଜର ହେଲେନି, ମହଲତ ମାଗିଲେ । ବିଜେଡି ନେତା ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ଗଞ୍ଜାମ ପୋଲିସ ନିକଟରେ ହାଜର ହେଲେନି ବିଜେପି ନେତା ଗୋଲକ ମହାପାତ୍ର ।  ଏପରିକି ଅସୁସ୍ଥ ଥିବାରୁ ତାଙ୍କୁ ୧ ମାସ ପର୍ଯ୍ୟନ୍ତ ମହଲତ ଦେବାକୁ ଗୋଲକ ନିଜର ଓକିଲଙ୍କ ଜରିଆରେ ପୋଲିସ ନିକଟରେ ଆବେଦନ କରିଛନ୍ତି ।  ଏହାପୂର୍ବରୁ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ପୋଲିସ ନିକଟରେ ହାଜର ହେବାକୁ ଗତ ୨୯ ତାରିଖରେ ଦୁଇ ବିଜେପି ନେତା ଭୃଗୁ ବକ୍ସିପାତ୍ର ଓ ଗୋଲକ ମହାପାତ୍ରଙ୍କୁ ସମନ ପଠାଇଥିଲା । ପରେ ପୋଲିସର ସ୍ପେଶାଲ ମେସେଞ୍ଜରଙ୍କ ଜରିଆରେ ଉଭୟ ନେତାଙ୍କ ପାଖରେ ସମନ ପହଞ୍ଚା ଯାଇଥିଲା । ଗୋଲକଙ୍କୁ ୭ ତାରିଖରେ ହାଜିର ହେବାକୁ ସମନ ହୋଇଥିବା ବେଳେ ଭୃଗୁଙ୍କୁ ୯ ତାରିଖରେ ହାଜିର ହେବାକୁ ପୋଲିସ ପକ୍ଷରୁ ସମନ ଜାରି କରାଯାଇଥିଲା । ଆଉ ଏସବୁ ଭିତରେ ଆଜି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ପୋଲିସ ନିକଟରେ ହାଜର ହୋଇନାହାନ୍ତି ଗୋଲକ ।

ଛତ୍ରପୁର ପୂର୍ବତନ ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ବିଜେପିର ଦୁଇ ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ର ଗତ ୨୯ ତାରିଖରେ ସମନ ଜାରି କରିଥିଲା ଛତ୍ରପୁର ପୋଲିସ । ଏଥିରେ ଆସନ୍ତା ୭ ଓ ୯ ତାରିଖରେ ଉଭୟଙ୍କୁ ଛତ୍ରପୁର ଥାନାରେ ହାଜର ହେବାକୁ ଓଡିଶା ପୋଲିସ ପକ୍ଷରୁ ନୋଟିସ ଜାରି କରାଯାଇଥିଲା ।

ଗୋଟିଏ ପଟେ ଗୋଲକ ମହାପାତ୍ର ପୋଲିସ ସମନକୁ ଟାଳିଥିବା ବେଳେ ଏହା ପୂର୍ବରୁ ବିଜେଡିର ଦୁଇ ନେତାଙ୍କୁ ମଧ୍ୟ ଚିଟଫଣ୍ଡ ମାମଲାରେ ସିବିଆଇ ସମନ ଜାରି କରିଥିବା ବେଳେ ଏହାକୁ ଟାଳି ଦେଇଥିଲେ ଅତନୁ ଓ ଅରୁଣ । ଗତ ୨୯ ତାରିଖରେ ଏନେଇ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହୋଇଥିଲା ।  ଗତ ୨୮ ଓ ୩୦ରେ ଉଭୟଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନୋଟିସ ହୋଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ତେବେ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ମଧ୍ୟ ଏନେଇ ମୁହଁ ଖୋଲିନଥିଲେ ଅତନୁ ଓ ଅରୁଣ ।