ଏଭରେଷ୍ଟ ବିଜୟିନୀ କଳ୍ପନାଙ୍କ ଶେଷ ଫଟୋ ! ମରଶରୀର ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା, ସହାୟତା କରିବେ ୧୦ ଜଣ ଶେର୍ପା ।

1,069

କନକ ବ୍ୟୁରୋ : ଏଭରେଷ୍ଟ ଶୃଙ୍ଗ ଉପରେ ପର୍ବତାରୋହୀ କଳ୍ପନା ଦାଶଙ୍କ ଶେଷ ଫଟୋ । ଗୋଟିଏ ଫଟୋ ଏଭରେଷ୍ଟ ଆରୋହଣ ସମୟର ହୋଇଥିବା ବେଳେ ଅନ୍ୟ ଫଟୋରେ କଳ୍ପନା ତଳେ ପଡ଼ିଯାଇଥିବାର ଦେଖିବାକୁ ମିଳିଛି । ସମ୍ଭବତଃ କଳ୍ପନାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସହଯୋଗୀ ଶେର୍ପା ଏହି ଫଟୋ ଉଠାଇଛନ୍ତି । ଏହି ଏଭରେଷ୍ଟ ଅଭିଯାନର ଟିମ୍ ଲିଡର ଥିଲେ କଳ୍ପନା । ସେପଟେ ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶଙ୍କ ମରଶରୀରକୁ ଫେରାଇ ଆଣିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି । ମରଶରୀରକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ୧୦ ଜଣ ଶେର୍ପାକୁ ଦାୟିତ୍ୱ ଦେଇଛନ୍ତି ।

ସରକାରଙ୍କ ଯୋଜନା ଅନୁଯାୟୀ ଆସନ୍ତାକାଲି ଅର୍ଥାତ୍ ୨୫ ତାରିଖରେ ଅକ୍ସିଜେନ୍ ମାସ୍କ, ଆବଶ୍ୟକ ଦଉଡ଼ି ଏବଂ ଅନ୍ୟ ଉପକରଣ ସହ ଶେର୍ପାମାନେ କଳ୍ପନାଙ୍କ ମରଶରୀରକୁ ଉଦ୍ଧାର କରିବା ପାଇଁ ପ୍ରସ୍ତୁତ ହେବେ । ୨୬ ତାରିଖରେ ଅଭିଯାନ ଆରମ୍ଭ ହେବ । ୨୭ ତାରିଖରେ ଥିବା ବାଲକୋନି ଏରିଆରୁ ୪ ନମ୍ବର କିମ୍ବା ୩ ନମ୍ବର କ୍ୟାମ୍ପକୁ ଅଣାଯିବ ମରଶରୀର । ୨୮ ତାରିଖ ଅର୍ଥାତ ମଙ୍ଗଳବାର ଦିନ ହେଲିକପ୍ଟର ଜରିଆରେ କାଠମାଣ୍ଡକୁ ଆଣିବା ପରେ ମୃତଦେହର ପୋଷ୍ଟମର୍ଟମ କରାଯିବ । ପୋଷ୍ଟମର୍ଟମ ପରେ କଳ୍ପନାଙ୍କ ପରିବାରକୁ ମୃତଦେହ ହସ୍ତାନ୍ତର କରାଯିବ । ୨୭ ତାରିଖରେ କଳ୍ପନାଙ୍କ ଭାଇ ପ୍ରଦୀପ ଦାଶ, କଳ୍ପନାଙ୍କ ସହଯୋଗୀ ରଣଜିତ୍ କାର୍ମୀ ଓ ପର୍ବତାରୋହୀ ଗଣେଶ ଜେନା କାଠମାଣ୍ଡୁ ଅଭିମୁଖେ ଯାତ୍ରା କରିବେ । ଏଥିଲାଗି ରାଜ୍ୟ ସରକାର ସଂପୂର୍ଣ୍ଣ ବ୍ୟବସ୍ଥା କରିଛନ୍ତି ।

କେମିତି ଫେରିବ ଏଭରେଷ୍ଟ ବିଜୟିନୀ ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର ଏ ନେଇ ଆରମ୍ଭ ହୋଇଛି କସରତ । ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଥିଲେ, କଳ୍ପନାଙ୍କ ମରଶରୀର ଚିହ୍ନଟ ହୋଇଛି । ଏହାକୁ ଫେରାଇ ଆଣିବା ପାଇଁ ନେପାଳରେ ଥିବା ଭାରତୀୟ ଦୂତାବାସ ସହ ଯୋଗଯୋଗରେ କରାଯାଉଛି । ଏପଟେ ମରଶରୀରକୁ ଫେରାଇବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ କ୍ରୀଡ଼ା ବିଭାଗ, ୧୦ ଜଣ ଶେର୍ପାଙ୍କୁ ନିଯୁକ୍ତ କରିଛି ।

ଏପ୍ରିଲ ୨୩ ତାରିଖରେ ଏଭରେଷ୍ଟ ଅଭିଯାନରେ ବାହାରିଥିଲେ ୫୩ ବର୍ଷୀୟା କଳ୍ପନା ଦାଶ । ୮୮୪୮ ମିଟର ଉଚ୍ଚ ଶିଖର ଛୁଇଁବା ପରେ ଫେରିବା ବାଟରେ ଘଟିଥିଲା ଅଘଟଣ । ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅଧାରରେ କୁହାଯାଉଛି, ୮୩୦୦ ମିଟର ଉଚ୍ଚରେ ଥିବା ବେଳେ ଚତୁର୍ଥ କ୍ୟାମ୍ପ ବା ବାଲକୋନୀ ଏରିଆରେ ଅସୁସ୍ଥ ହୋଇ ପଡିଥିଲେ କଳ୍ପନା । ଅମ୍ଲଜାନର ଅଭାବ ଓ ଚାପର ସନ୍ତୁଳନ ଅତ୍ୟଧିକ ବିଗିଡ଼ି ଯିବାରୁ ଘଟିଥିଲା ଅଘଟଣ । ଫୁସଫୁସରେ ପାଣି ଜମିଯିବା ଯୋଗୁଁ କଳ୍ପନା ପ୍ରାଣ ହରାଇ ଥାଆନ୍ତି ବୋଲି ଅନୁମାନ କରାଯାଉଛି । କୁହାଯାଉଛି, ଏହି ସମୟରେ ଏଭରେଷ୍ଟ ଶୃଙ୍ଗ ଛୁଇଁବାକୁ ଅନେକ ପର୍ବତାରୋହୀ ଉଦ୍ୟମ କରୁଥିବାରୁ ଟ୍ରାଫିକ୍ ଜାମ୍ ହୋଇଯାଏ । ଫଳରେ ଗୋଟିଏ କ୍ୟାମ୍ପରୁ ଆଉ ଏକ କ୍ୟାମ୍ପରେ ପହଁଚିବା ଲାଗି ଦିନ ଦିନ ଅପେକ୍ଷା କରିଥାନ୍ତି ପର୍ବତାରୋହୀ ।

ଏଭରେଷ୍ଟ ଶୃଙ୍ଗରୁ ମରଶରୀର ଫେରାଇ ଆଣିବା ମଧ୍ୟ ଏକ ମସ୍ତବଡ଼ ଗ୍ୟାଲେଂଜ । ପ୍ରଥମ ହେଉଛି ଯେଉଁ ସୁଉଚ୍ଚ ବାଲକୋନୀ ଏରିଆରେ କଳ୍ପନାଙ୍କ ମୃତଶରୀର ରହିଛି, ସେହି ଅଂଚଳର ତାପମାତ୍ରା ମାଇନସ୍ ୪୦ ଡିଗ୍ରୀ ତଳେ ରହିଛି । ଏହାସହ ପ୍ରତି ମୂହୁର୍ତରେ ବରଫ ସ୍ଖଳନର ସମ୍ଭାବନା । ଏଭଳି ଏକ ପ୍ରତିକୂଳ ପରିବେଶରେ ମରଶରୀରକୁ ଉଦ୍ଧାର କରିବାକୁ ପଡ଼ିବ ।

୨୦୦୮ ମସିହାରେ ପ୍ରଥମ ଓଡ଼ିଆ ମହିଳା ପର୍ବତାରୋହୀ ଭାବେ ଏଭରେଷ୍ଟ ବିଜୟିନୀ ହୋଇଥିଲେ କଳ୍ପନା । ୧୫ ବର୍ଷର କ୍ୟାରିୟରରେ ଭାରତ ସମେତ ୟୁରୋପ, ଆମେରିକା ଓ ଅଷ୍ଟ୍ରେଲିଆର ଅନେକ ଉଚ୍ଚ ପର୍ବତ ଶିଖରକୁ ଛୁଇଁବାରେ ସଫଳ ହୋଇଥିଲେ କଳ୍ପନା । ତେବେ ଯେଉଁ ଏଭରେଷ୍ଟ ତାଙ୍କୁ ଏତେ ବଡ଼ ପରିଚୟ ଦେଇଥିଲା, ସେହି ଏଭରେଷ୍ଟ ହିଁ ତାଙ୍କ ମୃତ୍ୟୁର କାରଣ ହୋଇଛି ।