ଲାଞ୍ଜିଗଡରେ ଶିଶୁ କନ୍ୟାର ମୃତଦେହ ଉଦ୍ଧାର ପରେ ଚାଂଚଲ୍ୟ ! ବଳି ଦିଆଯାଇଥିବା ସନ୍ଦେହ

80

କନକ ବ୍ୟୁରୋ : କଳାହାଣ୍ଡି ଲାଂଜିଗଡରେ ଚାଂଚଲ୍ୟ । ଲାଂଜିଗଡା ବ୍ଲକ ବାଲିସରା ଗାଁରେ ୪ବର୍ଷୀୟ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଛି । ତେବେ ଶିଶୁଟିକୁ ବଳି ଦିଆଯାଇଥିବା ସନ୍ଦେହ କରାଯାଉଛି । ବାଲିସରା ଗାଁର ସାନ୍ଦ୍ରୁ ମାଝୀଙ୍କ ଝିଅ ଇନ୍ଦୁ ମଙ୍ଗଳବାର ରାତିରେ ଘରେ ଶୋଇଥିବା ବେଳେ କେହି ଦୁର୍ବୃତ ତାଙ୍କୁ ଘରୁ ଉଠାଇ ନେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଇନ୍ଦୁକୁ ଗୁଡିଗାରେଡି ଯୋଗୁଁ ହତ୍ୟା କରାଯାଇଥିବା କିମ୍ବା ବଳି ଦିଆଯାଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ସନ୍ଦେହ କରୁଛି ।

ସାନ୍ଦ୍ରୁ ଓ ତାଙ୍କ ସ୍ତ୍ରୀ ମାତି ମଙ୍ଗଳବାର ଦିନ ମାତିଙ୍କ ବାପ ଘର ଗାଁ ମାଟିଖଳାକୁ ଯାଇଥିବା ବେଳେ ଘରେ କେବଳ ୪ବର୍ଷୀୟ ଇନ୍ଦୁ ଓ ତାଙ୍କ ୮ବର୍ଷୀୟ ଭାଇ କୃଷ୍ଣ ଥିଲେ । ତେବେ ରାତିରେ କୃଷ୍ଣଙ୍କ ନିଦ ଭାଙ୍ଗିବାରୁ ସେ ଇନ୍ଦୁକୁ ପାଇନଥିଲେ । ପରେ ପଡିଶା ଘର ଲୋକଙ୍କୁ ଡାକି ଖୋଜାଖୋଜି ପରେ ବି ଇନ୍ଦୁଙ୍କ କୌଣସି ପତା ମିଳିନଥିଲା । ବୁଧବାର ଦିନ ସକାଳୁ ଗାଁ ମୁଣ୍ଡ ରାସ୍ତା କଡରୁ ଇନ୍ଦୁର ରକ୍ତ ଜୁଡୁବୁଡୁ ଶବ ମିଳିଥିଲା ।