ରାଷ୍ଟ୍ରପତି ନିର୍ବାଚନରେ କ୍ରସ ଭୋଟିଂ ଦେଇଛି ରାମନାଥ କୋବିନ୍ଦଙ୍କୁ ଫାଇଦା ! ୭ଟି ରାଜ୍ୟରେ କ୍ରସ ଭୋଟିଂ ଯୋଗୁଁ ମିଳିଛି ବହୁମତ

43

କନକ ବ୍ୟୁରୋ : ରାଇସିନାର ୧୪ ତମ ରାଜା ହୋଇଛନ୍ତି ବିହାରର ପୂର୍ବତନ ରାଜ୍ୟପାଳ ତଥା ଆରଏସଏସ ନେତା ରାମନାଥ କୋବିନ୍ଦ । ସଂଘର ସଦସ୍ୟ ଭାବେ ସେ ହେଉଛନ୍ତି ପ୍ରଥମ ରାଷ୍ଟ୍ରପତି । ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦ ୟୁପିଏ ପ୍ରାର୍ଥୀ ମୀରା କୁମାରଙ୍କୁ ପଛରେ ପକାଇ ରାଇସିନା ରେସରେ ବାଜିମାତ୍ କରିଛନ୍ତି । ଆସନ୍ତା ୨୪ ତାରିଖରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ୨୫ରେ ଶପଥ ଗ୍ରହଣ କରିବେ ରାମନାଥ କୋବିନ୍ଦ ।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ତାଙ୍କୁ ପଦଗୋପନୀୟତା ଶପଥପାଠ କରାଇବେ । ତେବେ ଚର୍ଚ୍ଚା ହେଉଛି ବିଭିନ୍ନ ରାଜ୍ୟର କ୍ରସ ଭୋଟିଂ ଯୋଗୁଁ ରାମନାଥଙ୍କୁ ବହୁମତ ମିଳିଛି । ମିଳିଥିବା ଖବର ଅନୁସାରେ ଉଭୟ ରାଜ୍ୟସଭା ଓ ଲୋକସଭା ସଦସ୍ୟଙ୍କ ଭୋଟ୍ କ୍ରସ ଭୋଟିଂ ହୋଇଛି । ଏହି ରାଜ୍ୟ ଗୁଡିକ ହେଉଛି, ପଂଜାବ, ପଶ୍ଚିଂମବଙ୍ଗ, ମହାରାଷ୍ଟ୍ର, ଗୁଜୁରାଟ, ତ୍ରିପୁରା, ଦିଲ୍ଲୀ ଏବଂ ଗୋଆ । କ୍ରସ ଭୋଟିଂ ଯୋଗୁଁ କୋବିନ୍ଦଙ୍କୁ ପ୍ରାୟ ୧୧୫ଟି ଅତିରିକ୍ତ ଭୋଟ ମିଳିଛି ।

ବିଜେପି ମ୍ୟାନେଜର କହିଛନ୍ତି ପଶ୍ଚିଂମବଙ୍ଗର ବିଭିନ୍ନ କ୍ୟାମ୍ପରୁ ତାଙ୍କୁ ଆଶାଠାରୁ ଅଧିକ ୬ଟି ଭୋଟ ମିଳିଛିି । ତେବେ କ୍ରସ ଭୋଟିଂ ପଶ୍ଚିିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ତୃଣମୂଳ କଂଗ୍ରେସ ଓ ବିରୋଧି କଂଗ୍ରେସ ଶିବିରରୁ ହୋଇଥିବା ଜଣାପଡିଛି । ଏହାସହ ୯ଟି ଭୋଟ ନାକଚ ହୋଇଥିବା ବିଜେପି ନେତା କହିଛନ୍ତି । ଦିଲ୍ଲୀରୁ ମଧ୍ୟ କ୍ରସ ଭୋଟିଂ ଜରିଆରେ କୋବିନ୍ଦଙ୍କୁ ୨ଟି ଅଧିକ ଭୋଟ ମିଳିଛି । ରାଜସ୍ଥାନରୁ ମଧ୍ୟ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ୬ଟି ଅଧିକ ଭୋଟ ମିଳିଛି ।

ରାଜସ୍ଥାନରେ ୫୭ ଜଣ କଂଗ୍ରେସ ବିଧାୟକ ଥିବା ବେଳେ ମୀରା କୁମାରଙ୍କୁ ୪୯ଟି ଭୋଟ ମିଳିଛି । ସେହିଭଳି ଗୋଆରୁ ୨ଟି କ୍ରସ ଭୋଟିଂ ହୋଇଥିବା ବେଳେ ୩ଟି ଭୋଟ ନାକଚ ହୋଇଛି । କୋବିନ୍ଦଙ୍କୁ ମହାରାଷ୍ଟ୍ରରୁ ୧୩ଟି ଭୋଟ ମିଳିଥିବା ବେଳେ ୮ଟି ଭୋଟ୍ କର୍ଣ୍ଣାଟକରୁ ମିଳିଛି । ସେହିଭଳି ୧୧ଟି ଅତିରିକ୍ତ ଭୋଟ ଉତ୍ତରପ୍ରଦେଶରୁ କୋବିନ୍ଦଙ୍କ ଖାତାକୁ ଆସିଥିବା ବେଳେ ୪ଟି ଲେଖାଏଁ ଭୋଟ ହିମାଚଳପ୍ରଦେସ ଓ ହରିଆଣାରୁ ଆସିଛି । ଜମ୍ମୁକାଶ୍ମୀର ଓ ଛତିଶଗଡରୁ କ୍ରସ ଭୋଟିଂ ଜିରିଆରେ ନୂଆ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ୨ଟି ଲେଖାଏଁ ଭୋଟ ମିଳିଛି ।

ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଆସିବା ପରେ ଜଣାପଡିଛି କେତେକ ଭୋଟ ନାକଚ ହୋଇଛି –
ଏହାସହ ରାଷ୍ଟ୍ରପତି ନିର୍ବାଚନରେ ଫଳାଫଳ ଆସିବା ପରେ ଜଣାପଡିଛି କେତେକ ଭୋଟ ନାକଚ ହୋଇଛି । ପଶ୍ଚିମବଙ୍ଗରୁ ୯ଟି ଭୋଟ ନାକଚ ହୋଇଥିବା ବେଳେ ଗୋଆରୁ ୩ଟି ଭୋଟ ନାକଚ ହୋଇଛି । ବିଭିନ୍ନ ରାଜ୍ୟ ବଧାୟକ ଓ ସାଂସଦଙ୍କ ଭୋଟ ନାକଚ ହୋଇଥିବା ବେଳେ ଓଡିଶାରୁ ୨ଟି ଭୋଟ ନାକଚ ହୋଇଛି । ଯାହାକୁ ନେଇ ଜୋର ଧରିଛି କାଦୁଅଫିଙ୍ଗା ରାଜନୀତି ।

କାହା ଭୋଟ ନାକଚ ହୋଇଛି ତାକୁ ନେଇ ଏବେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେଉଛି । ଓଡିଶା ବିଧାନସଭାରୁ ରାମନାଥ କୋବିନ୍ଦଙ୍କ ସପକ୍ଷରେ ୧୨୭ଟି ଭୋଟ ରହିଥିବା ବେଳେ ମୀରା କୁମାର ମାତ୍ର ୧୭ ଜଣ ବିଧାୟକଙ୍କ ସମର୍ଥନ ହାସଲ କରିଛନ୍ତି । ରାମନାଥଙ୍କ ମୋଟ ଭୋଟ ମୂଲ୍ୟ ୧୮ ହଜାର ୯ଶହ ୨୩ ଥିବା ବେଳେ ମୀରାଙ୍କ ଭୋଟ ମୂଲ୍ୟ ୨ ହଜାର ୫୩୩ ରହିଛି ।

ଏହାପରେ ସ୍ପଷ୍ଟ ହୋଇଛି ଯେ, ଓଡିଶା ବିଧାନସଭାରୁ ୨ଟି ଭୋଟ ନାକଚ ହୋଇଛି । ତେବେ କଂଗ୍ରେସ ସ୍ପଷ୍ଟ କରିଛି ଯେ, ମୀରାଙ୍କ ସପକ୍ଷରେ କଂଗ୍ରେସର ୧୭ ବିଧାୟକଙ୍କ ଭୋଟ ପଡିଛି । ତେବେ ଏବେ ଖୋଜା ଚାଲିଛି ନାକଚ ଭୋଟ କାହାର, ବିଜେଡି ନାଁ ବିଜେପିର । ଏହାକୁ ନେଇ ଘଂଟାଚକଟା ଚାଲିଥିବା ବେଳେ ଚର୍ଚ୍ଚା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ବିଧାୟକଙ୍କୁ ରାଷ୍ଟ୍ରପତି ନିର୍ବାଚନ ବାବଦରେ ବହୁ ବୁଝାସୁଝା କରିବା ପରେ ବି ତାହା ବିଫଳ ହୋଇଛି କି ।