ଗୋଟିଏ ଭୋଟ୍ ଓଡ଼ିଶା ପାଇଁ ଅନ୍ୟଟି ଆନ୍ଧ୍ର ପାଇଁ, ଦୁଇଟି ରାଜ୍ୟ ପାଇଁ ଭୋଟ ଦେଲେ କୋଟିଆବାସୀ

124

କନକ ବ୍ୟୁରୋ : ଗୋଟିଏ ଦିନରେ ଦୁଇଥର ଭୋଟ ଦେଇଛନ୍ତି କୋଟିଆ‌ବାସୀ। ଗୋଟିଏ ଭୋଟ୍‌ ଓଡ଼ିଶାରେ ଅନୁଷ୍ଠିତ ନିର୍ବାଚନ ପାଇଁ ଦେଇଥିବାବେଳେ ଅନ୍ୟ ଭୋଟ୍‌ଟି ଆନ୍ଧ୍ରପ୍ରଦେଶ ପାଇଁ ଦେଇଥିଲେ । ନିର୍ବାଚନ ଦୃଷ୍ଟିକୋଣରୁ ଏହି ଭୋଟ୍‌ କେତେଦୂର ବୈଧ, ତାହା ନିର୍ବାଚନ କମିସନଙ୍କ ବିଚାର ପରିସରଭୁକ୍ତ । ମାତ୍ର, ଏହି ଘଟଣାରୁ କୋଟିଆ ବାସୀଙ୍କର ଦୁଇ ରାଜ୍ୟ ପ୍ରତି ପ୍ରୀତି ପ୍ରତିଫଳିତ ହୋଇଛି । କିମ୍ବା, କୋଟିଆବାସୀ କାହାର ହେବେ ଏଯାଏଁ ମନ ସ୍ଥିର କରିପାରି ନାହାନ୍ତି । କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତର ୨୧ଟି ଗାଁ ଓ ୭ଟି ପଡାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଛି ।

କୋଟିଆର ବିବାଦୀୟ ଗ୍ରାମ ପୁଞ୍ଜର ଭୋଟରଙ୍କ ନିମନ୍ତେ ଓଡ଼ିଶା ପକ୍ଷରୁ କୋଟିଆ, ଫଗୁଣ ସିନେରୀ, ମାଡକାର, ରଣାସିଂହ, ଗଂଜେଇ ପଦରରେ ଗୋଟିଏ ଲେଖାଏଁ ବୁଥ୍‌ କରାଯାଇଥିଲା । ଲୋକମାନେ ଆଜି ସକାଳୁ ସେଠାରେ ଭୋଟ ଦେଇଥିଲେ । ଏପରିକି ମଧ୍ୟାହ୍ନ ସୁଦ୍ଧା ୪୦ ପ୍ରତିଶତ ମତଦାନ ହୋଇଥିଲା । ଶେଷ ଖବର ସୁଦ୍ଧା କୋଟିଆ ବୁଥରେ ୬୫.୯୨ ପ୍ରତିଶତ, ଫଗୁଣ ସିନେରୀ ବୁଥରେ ୭୧.୭୨ ପ୍ରତିଶତ, ମାଡକାରରେ ୬୫.୭୪, ରଣାସିଂହରେ ୧୮.୨୧ ଓ ଗଂଜେଇ ପଦର ବୁଥରେ ୬୮.୨୧ ପ୍ରତିଶତ ଭୋଟ ଗ୍ରହଣ କରଯାଇଛି । କୋଟିଆରେ ୩୮୫, ଫଗୁଣ ସିନେରୀରେ ୪୮୨, ମାଡକାରରେ ୨୩୮, ରଣାସିଂହରେ ୧୧୬ ଓ ଗଂଜେଇ ପଦରରେ ୪୯୮ ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି ।

 

ଅପରପକ୍ଷ‌‌ରେ ଆନ୍ଧ୍ର ପକ୍ଷରୁ ନେରେଡିବାଲସାରେ ଏକ ବୁଥ କରାଯାଇଥିଲା । ଓଡ଼ିଶାରେ ଭୋଟ ଦେଇ ଯାଇଥିବା ଲୋକମାନେ ସେଠାରେ ମଧ୍ୟ ଭୋଟ ଦେଇଥିଲେ । ଆନ୍ଧ୍ର ପକ୍ଷରୁ ଭୋଟରମାନଙ୍କ ପାଇଁ ଗାଡିର ବ୍ୟବସ୍ଥା କରାଯାଇଥିବାରୁ ସେମାନେ ସୁବିଧା‌ରେ ଯାଇ ଭୋଟ ଦେଇ ପାରିଥିଲେ । ଅପରପକ୍ଷରେ ନେରେଡିବାଲସାରେ ଭୋଟ ଦେବା ପରେ ମଧ୍ୟ କିଛି ଭୋଟର ଓଡ଼ିଶାର ବୁଥରେ ସେମାନଙ୍କ ଭୋଟ ଦେଇଥିଲେ । ଏହି ଭୋଟ ନେଇ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନ ଥିଲା । ସୂଚନାଯୋଗ୍ୟ, କୋଟିଆର ଏହି ଗ୍ରାମ ଗୁଡିକ ଓଡ଼ିଶାର ପଟାଙ୍ଗୀ ବିଧାନସଭା ନିର୍ବାଚନମଣ୍ଡଳୀରେ ରହିଥିଲାବେଳେ ଆନ୍ଧ୍ରର ସାଲୁର ବିଧାନସଭା ନିର୍ବ‌ାଚନ ମଣ୍ଡଳୀରେ ଏହି ବିବାଦୀୟ ଗାଁ ଗୁଡିକ ରହିଛି ।