ଗାଁ ପାଇଁ ଗୌରବ ରାମକୃଷ୍ଣ ସାର୍…ଅନ୍ଧାରୀ ମୂଲକରେ ଭରିଛନ୍ତି ଶିକ୍ଷାର ଆଲୋକ…ସୁପର ଥାର୍ଟି ଆୱାର୍ଡରେ ସମ୍ମାନୀତ ହେଲେ କୋରାପୁଟର ରାମକୃଷ୍ଣ ସାବତ

274

କନକ ବ୍ୟୁରୋ: ନା ଥିଲା ଶିକ୍ଷାଗତ ଯୋଗ୍ୟତାର ଅଭାବ,ନା ଥିଲା ସରକାରୀ ଚାକିରୀର ଅଭାବ। କେବଳ ଅଭାବ ଥିଲା ନିଜ ଜନ୍ମ ମାଟିରେ ଗୋଟିଏ ସ୍କୁଲର । ଆଉ ସେଇଥି ପାଇଁ ସବୁ ବଡ ବଡ ସରକାରୀ ଚାକିରୀକୁ ପ୍ରତ୍ୟାଖ୍ୟାନ କରି ଆଦିବାସୀ ବହୁଳ ନିଜ ଜନ୍ମ ମାଟିରେ ପ୍ରତିଷ୍ଠା କଲେ ଏକ ହାଇସ୍କୁଲ । ତାଙ୍କର ଏପରି ପ୍ରସାୟ ଯୋଗୁଁ ତାଙ୍କୁ ଜାତୀୟ ସ୍ତରରେ ସୁପର ୩୦ ଆୱାର୍ଡରେ ସମ୍ମାନୀତ ବି କରାଯାଇଛି ।

 

ପୁଣି ଥରେ ଜାତୀୟ ସ୍ତରରେ ସମ୍ମାନୀତ ହୋଇ ଚର୍ଚ୍ଚାରେ କୋରାପୁଟ ଜିଲ୍ଲାର ଆଉ ଜଣେ ଶିକ୍ଷକ। ଅଖ୍ୟାତ ପଲ୍ଲୀରୁ ପାଇଲେ ଜାତୀୟ ସ୍ତରରେ ସୁପର ଥାର୍ଟି (୩୦) ଆୱାର୍ଡ। ଆଉ ଶିକ୍ଷା କ୍ଷେତ୍ରରେ କୋରାପୁଟ ଜିଲ୍ଲାକୁ ଦେଲେ ନୂଆଁ ପରିଚୟ। ଏହି ଶିକ୍ଷକ ଜଣଙ୍କ ହେଉଛନ୍ତି କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଳକ ଲାଛନାଗୁଡାର ପ୍ରଧାନ ଶିକ୍ଷକ ରାମକୃଷ୍ଣ ସାବତ। ଦୁର୍ଗମ ଅଂଚଳ ଯେଉଁଠାରେ ଶିକ୍ଷା ଅପହଁଚ ସେଠାରେ ସମସ୍ତଙ୍କ ପାଖରେ ଶିକ୍ଷା ପହଁଚାଇଥିବାରୁ ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି। ଜାତୀୟ ସ୍ତରର ଏହି ଆୱାର୍ଡ ପାଇଁ ୩୦ ହଜାର ଆବେଦନ ଆସିଥିବା ବେଳେ ଶ୍ରେଷ୍ଠ ୩୦ଟି ସ୍କୁଲର ପ୍ରତିଷ୍ଠାତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି।

ସୁପର ଥାର୍ଟି ଆୱାର୍ଡ ପଛରେ ସମସ୍ତ ଶ୍ରେୟ ଯାଉଛି ସାବତ ସାରଙ୍କୁ। ସାରଙ୍କ ଜନ୍ମ ଏହି ଦୁର୍ଗମ ଆଦିବାସୀ ବହୁଳ ଲାଛନାଗୁଡାରେ।ସେ ଏଠାରେ ଜନ୍ମ ହୋଇଥିଲେ ବି ପାଠ ପଢିବାକୁ ତାଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଥିଲା।ଗାଁରେ ସ୍କୁଲ ନଥିବାରୁ ସେ ନିକଟସ୍ଥ କୁନ୍ଦୁରାରୁ ହାଇସ୍କୁଲ ଶିକ୍ଷା ସାରିବା ପରେ ଜୟପୁରରେ ପାଠ ପଢିଥିଲେ ।ଆଉ ଏ ସବୁ ଥିଲା ୯୦ ଦଶକର କଥା।ସେହି ସମୟରେ ଏତେ ପାଠ ପଢିଥିବାରୁ ତାଙ୍କୁ ସରାକାରୀ ଚାକିରୀର ଅଭାବ ନଥିଲା।ହେଲେ ସମସ୍ତ ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ ସେ। କାରଣ ସେ ଚାହୁଁନଥିଲେ ତାଙ୍କ ପରି ଗାଁରେ କୌଣସି ପିଲା ପାଢିବାରୁ ଆଉ ଅନ୍ୟ ଗାଁକୁ ଯାଇ କଷ୍ଟ ନସହୁ କି ପାଠ ପଢା ବନ୍ଦ କରୁ।ତେଣୁ ସେହି ସମୟରେ କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ଏହି ସ୍କୁଲ ପ୍ରତିଷ୍ଠା କରିଥିଲେ।