ପାଖେଇ ଆସୁଛି ରଥ ଯାତରା ! ଚଳଚଂଚଳ ପୁରୀ ବଡଦାଣ୍ଡ ହେଲେ କେନ୍ଦୁଝରରେ ଭିନ୍ନ ଢଙ୍ଗରେ ଟଣା ଯାଇଥାଏ ମହାପ୍ରଭୁଙ୍କ ରଥ

6

କନକ ବ୍ୟୁରୋ: ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ସାରା ପୃଥୀବିରେ ପାଳନ କରାଯାଏ ରଥଯାତ୍ରା । ଦେବସ୍ନାନ ପୂର୍ଣ୍ଣମାରେ ୧୦୮ ଗରା ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡିଥାଆନ୍ତି ଚତୁର୍ଦ୍ଧାମୂର୍ତ୍ତି । ଦୀର୍ଘ ୧୫ ଦିନ ଜରରେ ପଡିବା ପରେ ମାଉସୀ ମା’ ଘରକୁ ବୁଲିବାକୁ ଯାଆନ୍ତି ଭଗବାନ । ତେବେ କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ନୀତିକାନ୍ତି ଓ ରଥଯାତ୍ରା ଅନ୍ୟ ସମସ୍ତ ରଥ ଯାତ୍ରାଠାରୁ ଟିକେ ଭିନ୍ନ ।

ପୁରୀରେ ପ୍ରଭୁ ଜଗନ୍ନାଥଙ୍କ ନାମରେ ମନ୍ଦିର ହୋଇଥିବା ବେଳେ ଏଠାରେ ପ୍ରଭୁ ବଳଦେବଜୀଉ ହିଁ ମନ୍ଦିରର ମୁଖ୍ୟ ଓ ତାଙ୍କରି ନାମରେ ମନ୍ଦିର ରହିଛି । ପୁରୀରେ ଯେପରି ଭାବରେ ରଥଯାତ୍ରା ହୁଏ । ଏଠାରେ ମଧ୍ୟ ଠିକ ସେହିପରି ହୁଏ । କିନ୍ତୁ ଏଠାରେ ପ୍ରଭୁଙ୍କର ନୀତିକାନ୍ତି ଟିକେ ଅଲଗା ।

ଯେପରି ଏଠାରେ ଦେବସ୍ନାନ ପୂର୍ଣ୍ଣିମାପରେ ଚତୁର୍ଦ୍ଧାମୂର୍ତ୍ତି ଅଣସର ପିଣ୍ଡିକୁ ବିଜେ କରନ୍ତି । ସେଠାରେ ସେବାୟତ ମାନେ ଗୁପ୍ତ ନୀତି କରନ୍ତି । ଏଠିକାର ନିୟମ ଅନୁସାରେ ୪୮ ମିଟରର ବନାରସୀ ଧଳା କପଡା ଓ ୪୮ ମାଣର ଚୁନା ଖଳି କରି ପ୍ରଭୁଙ୍କୁ ବେଶ କରାଯାଇ ଥାଏ । ପରେ ଚକା ଅପସର କରଯାଇ ଚୂନରା ସେବାୟତ ମାନେ ବନକଲାଗି କରନ୍ତି । ଏହି ବନକଲାଗି ନୀତିରେ ଅନ୍ୟସମସ୍ତ ସ୍ଥାନରେ ଠାକୁରଙ୍କର ଚକାନୟନ କରାଯାଉଥିବା ବେଳେ ଏଠାରେ ମୀନ ନୟନରେ ଶ୍ରୀ ମୁଖ ସୁଙ୍ଗାର କରାଯାଏ । ଜଗତଜନନୀ ମା’ ସୁଭଦ୍ରାଙ୍କୁ ଲାଲ ରଙ୍ଗରେ ସୁଙ୍ଗାର କରାଯାଏ । କାହିଁକି ନା ଏଠାରେ ମା’ ଙ୍କୁ ମନ୍ତ୍ର ନୁହେଁ ବରଂ ତନ୍ତ୍ରରେ ପୂଜା କରାଯିବାର ବିଧି ରହିଛି । ଭଗବାନଙ୍କର ବାହା ଏଠାରେ ନାହିଁ । ଆମେ ଯଦି ରଥଯାତ୍ରା କଥା ଦେଖିବା ତେବେ ରଥଯାତ୍ରା ଦିନ ସକାଳୁ ଖେଚୁଡି ଭୋଗ ଖାଇଲା ପରେ ଠାକୁରଙ୍କୁ ପ୍ରସ୍ତୁତ କରାଯାଏ ରଥଯାତ୍ରା ପାଇଁ ।

ପ୍ରଥମେ କେନ୍ଦୁଝରର ରାଜା ପୁଷ୍ପାଞ୍ଜଳୀ ଦେବା ପରେ ଆଳତୀ କରାଯାଏ । ପରେ ଶୁଖିଲା ଭୋଗ ମଣ୍ଡପ ନୀତି ବଢିବାପରେ ଆରମ୍ଭ ହୁଏ ପହଣ୍ଡି ନୀତି । ପ୍ରଥମେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କୁ ପହଣ୍ଡି ପାଇଁ ପ୍ରସ୍ତୁତ କରାଯାଏ । ତେବେ ପହଣ୍ଡି ପୂର୍ବରୁ ଏଠାରେ ବାଟ ପହଣ୍ଡି କରାଯାଏ । ଏହାର ଅର୍ଥ ଠାକୁରଙ୍କୁ କାଠ ସିଂହାସନରୁ ତଳକୁ ଆଣାଯାଏ । ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାହିଁକି ନା ଏଠାରେ ପ୍ରଭୁଙ୍କର ସେନାପଟା ଲାଗି କରଯାଏ ନାହିଁ । ତେଣୁ ଠାକୁରଙ୍କୁ ଉଦ୍ଧ୍ୱର୍ ମୁଖାକରି ଶୂନ୍ୟ ପହଣ୍ଡି କରାଯାଏ । ଯେହେତୁ ସେନାପଟା ଲଗାଯାଏ ନାହିଁ । ସେଥିଲାଗି ଏଠାରେ ଚକାଭିଡା କରାଯାଏ । ଏହି ଚକାରେ ପ୍ରଭୁଙ୍କୁ ପାଖାପାଖି ୨୦ ରୁ ଉଦ୍ଧ୍ୱର୍ ଶାଢୀ, ଧୋତି ଓ ଜଟା ପିନ୍ଧାଯିବା ସହ ତ୍ରିମୁଣ୍ଡିକୁ ଅତ୍ୟନ୍ତ ଶକ୍ତ ଭାବରେ ବନ୍ଧାଯାଏ । ଏହାପରେ ସୁନା ବାଡି ଆସିଲା ପରେ ଆରମ୍ଭ ହୁଏ ପହଣ୍ଡି । ପହଣ୍ଡିଆ ସେବାୟତ ମାନେ ପହଣ୍ଡି ନୀତି କରନ୍ତି । ୨ ଭାଇଙ୍କୁ ଉଦ୍ଧ୍ୱର୍ ମୁଖା କରାଯାଇ ପହଣ୍ଡି କରାଯାଉ ଥିବା ବେଳେ ସୁଭଦ୍ରାଙ୍କୁ ଠିଆ କରି ପହଣ୍ଡି କରାଯାଏ । ପରେ ଚାରମାଳ ଫିଟାଯାଇ ଘୋଡାଲାଗି କରାଯାଏ । ଏହି ରଥରେ ସାରଥୀ ସହ ପାଶ୍ୱର୍ ଦେବା ଦେବୀ ଓ ଚାରୋଟି ଓଲଟା ଶୁଆ ରହିଛି । ଅନ୍ୟ ପରି ଏଠାରେ ମଧ୍ୟ ରଥ ଉପରେ କଳସ ପୂଜା, ଛେରା ପହଁରା ହେଇ ରଥଟଣା ଆରମ୍ଭ ହୁଏ ।

ରାଜା ରଥ ଉପରେ ହିଁ ଉପସ୍ଥିତ ଥାଆନ୍ତି । ଗଳଗଣ୍ଡି ଭୋଗ ପରେ ରାଜା ରଥରୁ ଓହ୍ଲାଇ ଉଆସକୁ ଯାଆନ୍ତି । ତହିଁ ପରଦିନ ସଂଧ୍ୟା ଆଳତୀ ପରେ ମାଉସୀ ମା’ ଘରକୁ ଗୋଟି ପହଣ୍ଡିରେ ବିଜେ କରନ୍ତି ଚତୁର୍ଦ୍ଧମୂର୍ତ୍ତିା ହେରାପଞ୍ଚମୀ ତିଥିରେ ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିରକୁ ଆସି କଳି କଲାପରେ ଆରମ୍ଭ ଦୁଏ ବାହୁଡା ଯାତ୍ରା ପ୍ରସ୍ତୁତି । ଠିକ ଗୁଣ୍ଡିଚା ଭଳି ବାହୁଡାରେ ମଧ୍ୟ ପହଣ୍ଡି କରାଯାଇ ଠାକୁରଙ୍କୁ ରଥାରୂଢ କରାଯାଏ ।

ତିନି ଠାକୁର ଏକ ରଥରେ ଯାଉଥିଲେ ମଧ୍ୟ ରଥର ନାମ ନନ୍ଦିଘୋଷ ରଖାଯାଇଛି । ବାହୁଡା ଦିନ ରଥଟଣା ପରେ ହିଁ ଏଠାରେ ଅଧରପଣା ନୀତି ସମ୍ପୂର୍ଣ୍ଣ କରାଯାଏ । ସେହି ଦିନ ମହାଲକ୍ଷ୍ମୀ ବନ୍ଦାପନ କାର୍ଯ୍ୟ ମଧ୍ୟ ସମାପାନ କରିଥାଆନ୍ତି । ଏହା ପର ଦିନ ଆର୍ଥାତ୍ ବଡ ଏକାଦଶୀ ତିଥିରେ ସୁନାବେଶ ହେଇଥାଏ । ଏହି ବେଶରେ ୪୦ କିଲୋଗ୍ରାମ ସୁନା ଓ ୫୦ କିଲୋଗ୍ରାମ ରୂପାରେ ସଜ୍ଜିତ କରାଯାଏ ଚତୁର୍ଦ୍ଧାମୂର୍ତ୍ତିଙ୍କୁ । ଏହା ପରେ ଦ୍ୱାଦଶୀ ତିଥିରେ ଠାକୁର ଧାଡୀ ପହଣ୍ଡିରେ ନିଳାଦ୍ରୀ ବିଜେ କରନ୍ତି ।

ଏହି ରଥଯାତ୍ରା ଦେଖିବା ପାଇଁ ଲକ୍ଷାଧିକ ଶଦ୍ଧ୍ରାଳୁ ଆସିଥାଆନ୍ତି । ସାରା ଓଡିଶାରେ କେନ୍ଦୁଝର ରଥର ଉଚ୍ଚତା ଅଧିକ ରହିଥିବାରୁ ରଥଟି ପ୍ରସିଦ୍ଧି ଲାଭ କରିଛି ।

Comments are closed.