କେନ୍ଦ୍ରାପଡାରେ ନିଆଁ : କାଠଗଡାରେ ବିଜେଡି ବିଧାୟକ କିଶୋର ତରାଇ,ପେଂଚ କରି ସ୍ତ୍ରୀଙ୍କୁ ଜିତାଇଥିବା ଅଭିଯୋଗ

35

କନକ ବ୍ୟୁରୋ : କେନ୍ଦ୍ରାପଡାରେ ବିଜେଡି ବିଧାୟକଙ୍କ ବିରୋଧରେ ବିକ୍ଷୋଭ । କେନ୍ଦ୍ରପଡା ବିଧାୟକ କିଶୋର ତରାଇ ଗଣତନ୍ତ୍ରକୁ ଉପହାସ କରିଥିବା ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରୁଛି କଂଗ୍ରେସ । ପେଣ୍ଠପାଳ ପଂଚାୟତ ଅଫିସ ଆଗରେ ଟାୟାର ଜାଳି ବିରୋଧ ପ୍ରଦର୍ଶନ କରିଛନ୍ତି କଂଗ୍ରେସ କର୍ମୀ । ବିଧାୟକ ଚଂଚକତା କରି ବିପକ୍ଷ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର କରି ନିଜ ସ୍ତ୍ରୀକୁ ସମିତି ସଭ୍ୟା କରାଇଥିବା ଅଭିଯୋଗ ହୋଇଛି ।  ବିଡିଓଙ୍କୁ ହାତ କରି ବିଧାୟକ କିଶୋର ତରାଇ ସ୍ତ୍ରୀଙ୍କୁ ସମିତି ସଭ୍ୟକରି ବ୍ଲକ ଅଧ୍ୟକ୍ଷ ହାତେଇବା ଯୋଜନା କରିଥିବା ଅଭିଯୋଗ ହୋଇଛି ।

ଏହାର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବିଧାୟକ ଓ ବିଡିଓଙ୍କ ଗିରଫ ଦାବି ଜୋର ଧରିଛି । ସେପଟେ କଂଗ୍ରେସ ନେତା ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ କଂଗ୍ରେସ ଦଳ କମିଟି ରାଜ୍ୟ ନିର୍ବାଚନ କମିଶନକୁ ଭେଟିଛନ୍ତି ।  ବବିତା ତରାଇଙ୍କ ସହ ପ୍ରତିଦ୍ୱନ୍ଦ୍ୱିତାରେ ଥିବା ଅନ୍ୟ ଦୁଇ ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନଥିବା ନେଇ କହିବା ପରେ ବିଜେଡି ବିଧାୟକଙ୍କ କାରନାମା ପଦାକୁ ଆସିଛି । ବିଧାୟକ କିଶୋର ତରାଇ ଚଂଚକତା କରି ପତ୍ନୀଙ୍କ ବିପକ୍ଷରେ ଥିବା ପ୍ରାର୍ଥୀ ଗାୟତ୍ରୀ ସେଠୀ ଓ ପ୍ରମିଳା ମଲ୍ଲିକଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଇ ଥିବା ଅଭିଯୋଗ ହୋଇଛି ।

ଏହା ବିରୋଧରେ ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପରେ ମଧ୍ୟ କିଛି ଫଳ ନମିଳିବାରୁ ପଟାମୁଣ୍ଡାଇ ବିଡିଓ ଏବଂ କେନ୍ଦ୍ରାପଡା ବିଧାୟକଙ୍କ ବିରୋଧରେ ଥାନାରେ ମାମଲା କରିଛନ୍ତି ଦୁଇ ପ୍ରାର୍ଥୀ । ଏପରିକି ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛି ରାଜ୍ୟ କଂଗ୍ରେସ । ଘଟଣାରେ ହସ୍ତକ୍ଷେପ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଜିଲ୍ଲାପାଳ ଓ ନିର୍ବାଚନ ଅଧିକାରୀଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି । ଏହି ଘଟଣା କହୁଛି କିଭଳି ଭାବରେ ପଂଚାୟତ ନିର୍ବାଚନକୁ ଫୁ କରିଦେଇଛନ୍ତି ଶାସକ ଦଳର ବିଧାୟକ ।

ସେପଟେ ରାଜ୍ୟସାରା କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ନାକଚ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ବିଜେଡି ଇଂଗିତରେ ସରକାରୀ କର୍ମଚାରୀ ମାନେ ଏଭଳି କରୁଥିବା ସେ ଅଭିଯୋଗ କରିଛନ୍ତି । ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯାଉ ବୋଲି କହିଛନ୍ତି ନରସିଂହ ମିଶ୍ର ।

ଦେଖନ୍ତୁ ଏହି ଭିଡିଓ :