ପ୍ରେମ ବିବାହର କରୁଣ ପରିଣତି ! ନୀଚ ଜାତିରେ ବାହା ହୋଇଥିବାରୁ ମହିଳାଙ୍କୁ ଜୀଅନ୍ତା ଜାଳିଦେଲେ ପରିବାର ଲୋକେ

34

କନକ ବ୍ୟୁରୋ: କର୍ଣ୍ଣାଟକର ବିଜିପୁର ଜିଲ୍ଲାରେ ଅନର କିଲିଂର ଶିକାର ହୋଇଛନ୍ତି ଗର୍ଭବତୀ ମହିଳା । ନୀଚ ଜାତିରେ ବିବାହ କରିଥିବାରୁ ମହିଳାଙ୍କୁ ଜୀବନ୍ତ ଜାଳି ଦେଇଛନ୍ତି ପରିବାର ଲୋକେ ।

ସୂଚନା ଅନୁଯାୟୀ ୨୧ବର୍ଷୀୟ ବାନୁ ବେଗମ ସେହି ଗାଁର ୨୪ବର୍ଷୀୟ ଯୁବକ ସାୟାବନ୍ନା ଶରନପ୍ପାଙ୍କୁ ପ୍ରେମ ବିବାହ କରିଥିଲେ । ତେବେ ଶରନପ୍ପା ନୀଚ ଜାତିର ହୋଇଥିବାରୁ ବାନୁ ବେଗମଙ୍କ ପରିବାର ଲୋକେ ଏହି ସଂପର୍କକୁ ବିରୋଧ କରୁଥିଲେ । ଏପରିକି ବାନୁକୁ ନେଇ ସାୟାବନ୍ନା ନାଁରେ ପୁଲିସରେ ଅଭିଯୋଗ ମଧ୍ୟ କରିଥିଲେ ପରିବାର ଲୋକେ ।

ତେବେ ବିରୋଧ ସତ୍ୱେ ଦୁଇଜଣ ଘରୁ ବାହାରି ଯାଇ ଲୁଚି ବିବାହ କରିଥିଲେ । ଏହାପରେ ଉଭୟ ବାନୁ ଓ ଶରନପ୍ପା ଜୁନ୍ ୩ ତାରିଖରେ ଗାଁକୁ ଫେରିଥିଲେ । କିନ୍ତୁ ଗର୍ଭବତୀ ଥିବା ବାନୁଙ୍କୁ ତାଙ୍କ ପରିବାର ଲୋକେ ଗ୍ରହଣ କରି ନଥିଲେ ଏବଂ ସେ ଘରେ ଏକାକୀ ଥିବାବେଳେ ତାଙ୍କ ଦେହରେ କିରୋସିନି ଢାଳି ଜିଆନ୍ତା ଜାଳି ଦେଇଥିଲେ ବୋଲି ମିଳିଥିବା ସୂଚନାରୁ ଜଣା ପଡିଛି ।