ମଧ୍ୟପ୍ରଦେଶରେ ସରକାର ଗଢ଼ିବାକୁ ପାଦେ ଆଗେଇଲା କଂଗ୍ରେସ । ସରକାର ଗଢ଼ିବାକୁ ଦାବି କରିବାକୁ ରାଜଭବନରେ ପହଁଚିଲେ କମଲନାଥ

ସେପଟେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଶିବରାଜ୍ ସିଂ ଚୌହାନ

136

କନକ ବ୍ୟୁରୋ: ମଧ୍ୟପ୍ରଦେଶରେ ସରକାର ଗଢ଼ିବାକୁ ଆଉ ପାଦେ ଆଗେଇଲା କଂଗ୍ରେସ ଦଳ । କଂଗ୍ରେସର ବରିଷ୍ଠ ନେତା କମଳନାଥ ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କୁ ରାଜଭବନରେ ଭେଟି ସରକାର ଗଢ଼ିବାକୁ କରିବେ ଦାବି । ସେପଟେ ଶିବରାଜ୍ ସିଂ ଚୌହାନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ରାଜଭବନ ଯାଇ ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି । ପରାଜୟ ପାଇଁ ନିଜକୁ ଦାୟୀ କରିଛନ୍ତି ଶିବରାଜ ।

SIBRAJ

୨୩୦ ଆସନ ବିଶିଷ୍ଟ ବିଧାନସଭାରେ ସରକାର ଗଢ଼ିବାକୁ କଂଗ୍ରେସକୁ ଆଉ ମାତ୍ର ୨ଟି ଆସନ ଆବଶ୍ୟକ ଥିବାବେଳେ ବଡ ଘୋଷଣା କରିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ । ସେ କହିଛନ୍ତି ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ କଂଗ୍ରେସକୁ ସମର୍ଥନ କରିବ ତାଙ୍କ ଦଳ । ମଧ୍ୟପ୍ରଦେଶରେ ବିଏସପିର ୨ଜଣ ବିଧାୟକ ବିଜୟୀ ହୋଇଛନ୍ତି । ତେଣୁ ଏହି ୨ଜଣଙ୍କ ସମର୍ଥନ ସହ କଂଗ୍ରେସ ମ୍ୟାଜିକ ନମ୍ବର ଛୁଇଁବାକୁ ସକ୍ଷମ ହେବ ।

ଅପରାହ୍ନ ୪ଟାରେ ବସିବ ବିଧାୟକ ଦଳ ବୈଠକ । ଏହି ବୈଠକରେ କିଏ ବିଧାୟକ ଦଳର ନେତା ହେବେ ତାହା ଚୂଡାନ୍ତ ହେବ । ୨୩୦ ଆସନରୁ ୧୧୪ଟି ଆସନରେ ବିଜୟୀ ହୋଇଛି କଂଗ୍ରେସ । ସେହିପରି ବିଜେପି ୧୦୯ ଆସନ ଦଖଲ କରିବାରେ ସକ୍ଷମ ହୋଇଛି । ଏବଂ ଅନ୍ୟାନ୍ୟଙ୍କ ପାଖକୁ ଯାଇଛି ୭ଟି ସିଟ୍ । ବିଏସପିକୁ ୨ଟି, ସମାଜବାଦୀ ପାର୍ଟିକୁ ଗୋଟିଏ ଓ ସ୍ୱାଧୀନଙ୍କୁ ମିଳିଛି ୪ଟି ସିଟ୍ । ମଧ୍ୟପ୍ରଦେଶରେ ୧୫ ବର୍ଷ ପରେ କ୍ଷମତାକୁ ଫେରିବାକୁ ଯାଉଥିବାରୁ କଂଗ୍ରେସର ଦଳୀୟକର୍ମୀମାନେ ବେଶ୍ ଉତ୍ସାହିତ ହୋଇପଡିଛନ୍ତି । କଂଗ୍ରେସ କାର୍ଯ୍ୟାଳୟ ବାହାରେ କର୍ମୀ ଓ ନେତା ବାଜା ବଜାଇ ବାଣ ଫୁଟାଇ ବିଜୟ ଉତ୍ସବ ପାଳିଛନ୍ତି ।