ଭେଳାରେ ନଦୀ ପାର୍‌ ହେଲେ ରୋଗୀ : ଆମ୍ବୁଲାନ୍ସ ନଆସିବାରୁ ବୃଦ୍ଧ ପିତାଙ୍କୁ ଭେଳାରେ ହସ୍ପିଟାଲ ଆଣିଲେ ୨ ପୁଅ

27

କନକ ବ୍ୟୁରୋ : ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁରରେ ବିପର୍ଯ୍ୟସ୍ତ ରାସ୍ତାଘାଟ ପାଇଁ ରୋଗୀ ଭାରରେ ବୁହାହୋଇ ଡାକ୍ତରଖାନାରେ ପହଞ୍ଚିବା ଘଟଣା ଆଉ ନୂଆ ହୋଇନାହିଁ । ଏବେ ଆଉ ଏକ ଘଟଣା ଘଟିଛି, ଯେଉଁଠି ଭେଳାରେ ରୋଗୀଙ୍କୁ ନଦୀ ପାର୍‌ କରାଯାଇଛି । ଆମ୍ବୁଲାନ୍ସ ନ ଆସିବାରୁ ନିଜର ବୃଦ୍ଧ ପିତାଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ଶେଷରେ ଏହି ପଥ ଆପଣେଇଛନ୍ତି ଦୁଇ ପୁଅ । ଏହି ବୃଦ୍ଧ ହେଲେ କଲ୍ୟାଣସି˚ହପୁର ବ୍ଲକ ସଦର ପଞ୍ଚାୟତର ଘାଗୁଡିମାଳ ଗ୍ରାମର ନାଗବ˚ଶ ପୁରଣ(୭୦) ।

ବୃଦ୍ଧ ନାଗବଂଶ ଗତ ୧୦ ଦିନ ଧରି ଜ୍ବରରେ ପୀଡିତ ଥିବା ଯୋଗୁଁ ପରିବାର ଲୋକେ ବଜାରରୁ ଔଷଧ ଆଣି ଦେଇଥିଲେ । ତେବେ ଏଥିରେ କୌଣସି ସୁଧାର ଆସିନଥିବା ବେଳେ ଗତକାଲି ରାତିରେ ଝାଡାବାନ୍ତି ହେବାରୁ ସକାଳୁ ଡାକ୍ତରଖାନା ଆଣିବା ପାଇଁ ଦୁଇ ପୁଅ ଯୋଜନା କରିଥିଲେ । ଗ୍ରାମର ଆଶା ଦିଦି ବିଶଲ୍ୟା ତେଜବଂଶଙ୍କୁ ଗୁହାରି କରିବା ସହ ଆମ୍ବୁଲାନସକୁ ଡକାଇବାକୁ ଅନୁରୋଧ କରିଥିଲେ ।

ଦୀର୍ଘ ସମୟ ଧରି ଆମ୍ବୁଲାନସ ନଆସିବାରୁ ଦୁଇ ପୁଅ ବାଧ୍ୟ ହୋଇ ଅସୁସ୍ଥ ପିତାଙ୍କୁ କମ୍ବଳରେ ଭାର କରି ବଡ଼ଦ୍ବାର ସାହି ନିକଟସ୍ଥ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ କେବଳ ଜଣେମହିଳା ସ୍ବାସ୍ଥ୍ୟ କର୍ମୀ ଥିବା ବେଳେ ସେଠାରେ ଥିବା ଭ୍ରାମ୍ୟମାଣ ଆମ୍ବୁଲାନ୍ସକୁ ଅପେକ୍ଷା କରିଥିଲେ । ଆମ୍ବୁଲାନସ ନଥିବାରୁ ଦୁଇ ପୁଅ ପୁଣି ବାଧୢ ହୋଇ କଲ୍ୟାଣୀ ନଦୀ ଘାଟକୁ ବୋହି ଆଣିଥିଲେ । ନଦୀର ପାଣି କମ ଥିବା ଏବଂ ସରକାରୀ ଡଙ୍ଗା ଚାଲୁ ନଥିବାରୁ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଦ୍ବାରା ନିର୍ମିତ ଭେଳାରେ ନଈ ପାର ହୋଇ ଡାକ୍ତରଖାନାରେ ପହଞ୍ଚିଥିଲେ ।