ମାଲକାନଗିରି ଜିଲ୍ଲା ସିଲାକୋଟା ଏନକାଉଣ୍ଟରକୁ ଆଜି ପୁରିଲା ୪ ବର୍ଷ !

34

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲା ସିଲାକୋଟା ଏନକାଉଣ୍ଟରକୁ ଆଜି ପୁରିଛି ୪ ବର୍ଷ । ୨୦୧୩ ସେପ୍ଟେମ୍ବର ୧୩ରେ ହୋଇଥିବା ଏନକାଉଣ୍ଟର ପରେ ସିଲାକୋଟାକୁ ଆଦର୍ଶ ଗାଁ ଭାବେ ଗଢିବାକୁ ପ୍ରଶାସନ ଦେଇଥିଲେ ଅନେକ ପ୍ରତିଶ୍ରୁତି । ହେଲେ ୪ ବର୍ଷ ପରେ ମଧ୍ୟ ସିଲାକୋଟା ଗ୍ରାମବାସୀଙ୍କୁ ମୌଳିକ ସୁବିଧା ମିଳୁ ନାହିଁ ।

ମାଲକାନଗିରି–ଛତିଶଗଡ ସୀମାନ୍ତ ପଡିଆ ବ୍ଲକର ଦୁର୍ଗମ ତଥା ମାଓବାଦୀ ପ୍ରବଣ ଅଂଚଳର ଏହି ଗାଁ ହେଉଛି ସିଲାକୋଟ । ଗାଁରେ ୯୭ଟି ଆଦିବାସୀ ବସବାସ କରୁଥିଲେ ମଧ୍ୟ ସେମାନଙ୍କ ପାଖରେ ପହଁଚି ପାରୁନାହିଁ କୌଣସି ସରକାରୀ ସୁବିଧା । ଗାଁକୁ ରାସ୍ତା ଖଣ୍ଡେ ନଥିବାରୁ ଯାତାୟତ ଓ ଚିକିତ୍ସା ସେବା ପ୍ରଭାବିତ ହୋଇଥାଏ । ପାନୀୟ ଜଳ ପାଇଁ କିଛି ସୁବିଧା ନଥିବା ବେଳେ ଗାଁ ଲୋକେ ନଦୀର ପାଣି ସଂଗ୍ରହ କରି ବ୍ୟବହାର କରୁଛନ୍ତି । ଗାଁରେ କାହାକୁ ପକ୍କା ଘର ଖଣ୍ଡେ ମଧ୍ୟ ମିଳି ନାହିଁ । ପ୍ରଶାସନ ଆଦର୍ଶ ଗ୍ରାମର ସ୍ୱପ୍ନ ଦେଖାଇ ଭୂଆଁ ବୁଲାଇଥିବା କହିଛନ୍ତି ସିଲାକୋଟ ବାସିନ୍ଦା ।

ଅନ୍ୟପଟେ ପଡିଆ ବ୍ଲକ ଅଧ୍ୟକ୍ଷ ଦେବା ମାଡକାମୀ ଦୋଷ ଦେଇଛନ୍ତି ପ୍ରଶାସନକୁ । ସିଲାକୋଟ ଗାଁକୁ ଆଦର୍ଶ ଗ୍ରାମ ଭାବେ ଘୋଷଣା କରି ଆଦିବାସୀଙ୍କୁ ଜିଲ୍ଲାପ୍ରଶାସନ ପ୍ରତାରଣା କରିଛି ବୋଲି କହିଛନ୍ତି ବ୍ଲକ ଅଧ୍ୟକ୍ଷ । ତେବେ ଏନେଇ ଭିନ୍ନ ମତ ରଖିଛନ୍ତି ବିଡିଓ, ସେ କହିଛନ୍ତି ସିଲାକୋଟା ଗାଁକୁ ପ୍ରଶାସନ ଆଦର୍ଶ ଗ୍ରାମ ଘୋଷଣା କରିବା ପରେ ବିଭିନ୍ନ ଉନ୍ନୟନ ମୂଳକ କାମ କରାଯାଉଛି ।

ଆଦିବାସୀଙ୍କ ଉନ୍ନୟନ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଅନ୍ୟପଟେ ମାଓ ପ୍ରବଣ ଅଂଚଳରେ ବିକାଶ କାମ ଉପରେ ସରକାର ଗୁରୁତ୍ୱ ଦେଉଥିବା ବେଳେ ସିଲାକୋଟ ଉପରେ ଯେମିତ ଭାଗ୍ୟ ମୁହଁ ମୋଡି ଦେଇଛି । ଆଦର୍ଶ ଗ୍ରାମ ଘୋଷଣାର ୪ ବର୍ଷ ପରେ ମଧ୍ୟ ଗାଁବାଲାଙ୍କୁ କିଛି ମୌଳିକ ସୁବିଧା ମିଳୁ ନାହିଁ ।