କଳାହାଣ୍ଡିକୁ ବୁଡାଇଲା ହାତୀ ନଦୀ ! ପ୍ରବଳବର୍ଷା ଆଣିଲା ବନ୍ୟା ବିଭିଷିକା

105

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଫଳରେ ବନ୍ୟା ପରିସ୍ଥିତି । ଲୋକଙ୍କ ନିଦ ହଜାଇ ଦେଇଛି ହାତୀ ନଦୀ । କଲାହାଣ୍ଡି ଜିଲ୍ଲା ଜୁନାଗଡଠାରେ ହାତୀ ନଦୀରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହେଉଛି । ଏଠାରେ ୨ ଫୁଟ ଉଚ୍ଚରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ପୋଲ ଉପରେ ପାଣି ଚାଲିଛି । ଫଳରେ ଆଖପାଖ ଗାଁର ଲୋକେ ଭୟଭିତ ହୋଇ ରହିଛନ୍ତି ।

ହାତୀନଦୀକୁ ଲାଗିରହିଥିବା କଲମପୁର ବ୍ଲକର ୧୬ଟି ଗାଁ ଓ ଜୁନାଗଡ ବ୍ଲକର ୮ଟି ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି । ଗତ ୨୪ ଘଂଟା ମଧ୍ୟରେ ୪ଶହ ୪ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ତୁହାକୁ ତୁହା ବର୍ଷା ଜାରି ରହିଥିବାବେଳେ, ଆଗକୁ ଆହୁରି ବର୍ଷିବ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ କରିଛି । ଫଳରେ ଏସବୁ ଅଂଚଳ ଜଳମଗ୍ନ ହେବା ଆଶଙ୍କା କରାଯାଉଛି । ଲୋକଙ୍କ ଘର ଭିତରେ ବର୍ଷାପାଣି ପ୍ରବେଶ କରିଛି ।

ବନ୍ୟା ପରିସ୍ଥିତି ଉପରେ ସତର୍କ ନଜର ରଖିଛି ଜିଲ୍ଲା ପ୍ରଶାସନ । ବିଡିଓମାନଙ୍କୁ ଆଲର୍ଟ ରହିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି କଳାହାଣ୍ଡି ଜିଲ୍ଲାପାଳ । ହାତୀ ନଦୀ ଆଖପାଖ ଅଂଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ସତର୍କ କରାଯାଇଛି । ସେପଟେ ଗତ ୨୪ ଘଂଟା ମଧ୍ୟରେ ପ୍ରବଳ ବର୍ଷା, ପବନ ଫଳରେ ଅଧିକ ପ୍ରଭାବିତ ହୋଇଛି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ । ପାହାଡରୁ ଅତଡା ଖସି ଓ ଗଛ ଉପୁଡି କଲମପୁର ଓ ଭବାନୀପାଟଣାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ଅନ୍ୟପଟେ ଚୁଲିବାଡି ଗାଁରେ ଅତଡା ଖସିବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ବଡବଡ ପଥର ଖଣ୍ଡ ଖସି ଗୋଟିଏ ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ ଉଦ୍ଧାର କରିବାକୁ ଯାଇଥିବା ସନ୍ତୋଷ ନାୟକ ନାମକ ଜଣେ ଯୁବକ ପ୍ରାଣ ହରାଇଛନ୍ତି । ରାସ୍ତା ଅବରୋଧ ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ତାଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇନାହିଁ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଯାଇଥିବା ଓଡ୍ରାଫ ଟିମ ଉଦ୍ଧାର କାମ ଆରମ୍ଭ କରିପାରି ନାହିଁ ।