କଳାହାଣ୍ଡିରେ ବ୍ୟାପୁଛି ଡାଇରିଆ : ବର୍ତ୍ତମାନ ସମୟରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ , ଗ୍ରାମରେ ପହଚିଂଲା ମେଡିକାଲ ଟିମ

44

କନକ ବ୍ୟୁରୋ : ରାଜ୍ୟରେ ଡେଙ୍ଗୁକାୟା ବିସ୍ତାର କରୁଥିବା ବେଳେ ସେପଟେ କଳାହାଣ୍ଡିରେ ଡେଙ୍ଗୁପରେ ଏବେ ଡାଇରିଆ ଆତଙ୍କ । ଝାଡା ବାନ୍ତିରେ ଗଲାଣି ୨ ଜୀବନ । ମିଳିଥିବା ସୂଚନା ଅନୁସାରେ ଜିଲ୍ଲାର କୋକସରା ବ୍ଲକରେ ଡେଙ୍ଗୁ ଆତଙ୍କ ଖେଳାଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକରେ ଡାଇରିଆ ରୋଗ ଦେଖା ଦେଇଛି । କଳାହାଣ୍ଡିର କର୍ଲାପାଟ ଓ କିୟାପଦର ପଂଚାୟତରେ ଡାଇରିଆ ବ୍ୟାପିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଝାଡା ବାନ୍ତିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ସେମାନଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି ।

 

ତେବେ ଗ୍ରାମରେ ଏକ ମେଡିକାଲ ଟିମ ପହଚିଂଥିବା ଜଣାପଡିଛି । କର୍ଲାପାଟ ପଂଚାୟତ ସେମେପଦର ଗାଁର ବିଜୟ ମାଝି ଓ କିୟାପଦର ପଂଚାୟତ ତେନ୍ତୁଳିପଦର ଗାଁର କାଳିଆ ମାଝିଙ୍କ ଝାଡା ବାନ୍ତିରେ ମୃତ୍ୟୁ ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି । ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଏହି ସବୁ ଗାଁରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ତେବେ ଗ୍ରାମରେ ପିଇବା ପାଣିରେ ସମସ୍ୟା ଥିବା କାରଣରୁ ଏପରି ପରିସ୍ଥିତି ଉପୁଜିଥିବା ଜଣାପଡିଛି । ଗ୍ରାମରେ ବସବାସ କରୁଥିବା ସମସ୍ତ ଲୋକମାନଙ୍କୁ ସରକାରଙ୍କ ପକ୍ଷରୁ ଓଆରଏସ ପାଉଡର ସହ ଅନ୍ୟ ଔଷଧ ଯୋଗାଇ ଦିଆଯାଉଥିବା ସ୍ଥାନୀୟ ମେଡିକାଲ କର୍ମଚାରୀମାନେ ସୂଚନା ଦେଇଛନ୍ତି । ବର୍ତ୍ତମାନ ସମୟରେ ବର୍ଷାଦିନ ହୋଇଥିବାରୁ ଅନେକ ସ୍ଥାନରେ ବର୍ଷାପାଣି ଜମିରହିବା ସହ ଡେଙ୍ଗୁ ଓ ଡାଇରିଆ ବ୍ୟାପୁଛି । ତେଣୁ ଲୋକମାନେ ସତର୍କ ରହିବା ସହ ସାମାନ୍ୟ ଦେହ ଖରାପ ହେଲେ ମଧ୍ୟ ନିକଟସ୍ଥ ମେଡିକାଲରୁ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି ।