ପ୍ରଶାସନର କଟକଣାକୁ ମାନିଲେନି ଶ୍ରଦ୍ଧାଳୁ ! ପୋଲିସ ଉପସ୍ଥିତିରେ କଳାହାଣ୍ଡିର ମାଣିକେଶ୍ୱରୀ ପୀଠରେ ଛତର ଯାତ୍ରାରେ ପଡିଲା ଶହଶହ ବଳି

52

କନକ ବ୍ୟୁରୋ : ପ୍ରଶାସନର କଟକଣା ପରେ ବି କଳାହାଣ୍ଡିର ମା ମାଣିକେଶ୍ୱରୀଙ୍କ ପୀଠରେ ପାଳିତ ହୋଇଯାଇଛି ଛତର ଯାତ୍ରା । ଆଉ ଏହି ଛତର ଯାତ୍ରାରେ ଦଶହଜାରରୁ ଅଧିକ ପଶୁଙ୍କୁ ବଳିଦିଆଯାଇଥିଲା । ବଳି ବନ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ ଥିଲେ ବି ଏହାକୁ ଭକ୍ତ ଭ୍ରୁକ୍ଷେପ କରିନାହାଁନ୍ତି ।

ବଳିକୁ ବନ୍ଦ କରିବାପାଇଁ ସଜାଗ ହୋଇବସିଥିଲା ପୋଲିସ । ସିସିଟିଭିରେ ଘଟଣାକୁ ନଜର ରଖିଥିଲା ପ୍ରଶାସନ । କିନ୍ତୁ ପ୍ରଶାସନର ସବୁ ନିୟମକୁ ଫୁ କରିଦେଇଛନ୍ତି ଭକ୍ତ । ହଜାର ହଜାର ସଂଖ୍ୟାରେ ବୋଦା, କୁକୁଡା ଆଦି ବଳି ଦେଇଛନ୍ତି । ଆଉ ଏହି ବଳିରେ ରକ୍ତରଞ୍ଜିତ ହୋଇଉଠିଛି ରାଜରାସ୍ତା । ଗୋଟିଏ ପଟେ ଭକ୍ତମାନେ ପଶୁବଳି ଦେଉଥିବା ବେଳେ ଅନ୍ୟ ପଟେ ଛତର ଉପରେ ପାରା ଉଡାଇ ଲୋକେ ବିଶ୍ୱ ଶାନ୍ତିର ବାର୍ତ୍ତା ଦେଇଛନ୍ତି ।

ମହାଷ୍ଟମୀର ପାରମ୍ପରିକ ବାଜା ସାଂଗକୁ ବିଭିନ୍ନ ସାଂସ୍କୃତିକ ଦଳର ପଟୁଆରରେ ଜେନାଖାଲକୁ ମାଁଙ୍କ ଛତର ଯାଇଥିଲା । ପରମ୍ପରା ଅନୁଯାୟୀ କଳାହାଣ୍ଡି ମହାରାଜା ମାଆଙ୍କ ଛତରକୁ ସ୍ୱାଗତ କରି ନିଜେ ଛତରକୁ ବୋହି ମନ୍ଦିର ଭିତରକୁ ନେଇଥିଲେ । ବର୍ଷ ତମାମ ଏହି ମନ୍ଦିରର ଅନ୍ଧାର ଗର୍ଭଗୃହରେ ରହୁଥିବା ମା ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ମାଁଙ୍କର ଛତର ପ୍ରତିମା ଦେଖିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ପ୍ରାୟ ୨୦ ହଜାରରୁ ଉର୍ଦ୍ଧ ଲୋକଙ୍କର ସମାଗମ ହୋଇଥିଲା । କିନ୍ତୁ ଏଇଠି ପ୍ରଶ୍ନ ଉଠୁଛି ପରମ୍ପରା ନାମରେ ପଶୁବଳି ଦେବା କେତେଦୂର ଯୁକ୍ତିଯୁକ୍ତ ।