ଶୁଖି ଯାଉଛି ଯୋଡା ଖଣି ଅଂଚଳର ଜୀବନରେଖା : ଚେକ୍ ଡ୍ୟାମ୍ ଭାଙ୍ଗିରୁଜି ଯିବାରୁ ସଂକୋଚିତ ହୋଇ ଗଲାଣି ଦଲକି ନାଳ, ଆଗକୁ ଦେଖାଦେଇପାରେ ଜଳ ସଂକଟ

47

କନକ ବ୍ୟୁରୋ : ଯୋଡା ଖଣି ଅଂଚଳର ଜୀବନରେଖା ଭାବେ ପରିଚିତ ଦଲକି ନାଳ ଏବେ ସତ୍ତା ହରେଇବାକୁ ବସିଛି । ଦଲକି ନାଳ ଉପରେ ନିର୍ମାଣ ହୋଇଥିବା ଚେକ୍ ଡ୍ୟାମ୍ ଭାଙ୍ଗିରୁଜି ଗଲାଣି । ଏଣେ ବ୍ୟାପକ ଖଣି ଖନନ ଯୋଗୁ ଦଲକି ନାଳ ସଂକୁଚିତ ହୋଇ ଏହାର ଜଳସ୍ରୋତ କମି ଯାଇଛି । ତେଣୁ ପୁନରୁଦ୍ଧାର ପାଇଁ ସ୍ଥାନୀୟ ଅଧିବାସୀ ଦାବି କରୁଛନ୍ତି ।

ଶୁଖି ଯାଉଛି କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ସୋୟାବାଲି ଅଂଚଳର ଦଲକି ନାଳ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ବଣ ପାହାଡ ମଝିରେ ବହୁଛି ଦଲକି ନାଳ । ଠାକୁରାଣି ପାହାଡରୁ ବହି ଯାଉଥିବା ଏହି ନାଳ ଉପରେ ୧୯୩୯ ମସିହାରେ ଏକ ଚେକ୍ ଡ୍ୟାମ୍ ନିର୍ମାଣ ହୋଇଥିଲା । ଯାହା ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଯାଇଛି । ତା’ସହ ବ୍ୟାପକ ଖଣି ଖନନ ଯୋଗୁ ନଦୀ ସଦୃଶ ଦଲକି ନାଳ ପୋତି ହୋଇ ମାନକୁ ମାତ୍ର ବହୁଛି ।

ଦଲକି ନାଳ ଉପରେ ଯୋଡା ଖଣି ଅଂଚଳର ୭ଟି ଗାଁ, ବଡବିଲ୍ ପୌରାଂଚଳର ୩ଟି ୱାର୍ଡର ୧୦ ହଜାର ଲୋକ ନିର୍ଭର କରନ୍ତି । ହେଲେ ଏହାର ଉପର ମୁଣ୍ଡରେ ବ୍ୟାପକ ଖଣି ଖନନ ଯୋଗୁଁ ନାଳ କ୍ରମଶଃ ସଂକୁଚିତ ଓ ଶୁଷ୍କ ହେବାରେ ଲାଗିଛି । ଏପରି ସ୍ଥିତି ଲାଗି ରହିଲେ, ଆଗକୁ ଲୋକେ ପାଣି ପାଇଁ ଡହଳବିକଳ ହେବା ଏକ ପ୍ରକାର ନିଶ୍ଚିତ । ସେପଟେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲାରେ ଥିବା ଝରଣାମାନଙ୍କର ଡିଏମଏଫ୍ ପାଣ୍ଠି ସହାୟତାରେ ପୁନରୁଦ୍ଧାର କରାଯିବ ବୋଲି ସୂଚନା ଦେଇଛନ୍ତି । ଦିନକୁ ଦିନ ଦଲକି ନାଳ ସଂକୁଚିତ ହେଉଛି ହେଲେ,ଏଥିପ୍ରତି କାହାର ନଜର ନାହିଁ । ଯଥାଶୀଘ୍ର ଏହାର ପୁନରୁଦ୍ଧାର ଦାବି କରିଛନ୍ତି ଜନସାଧାରଣ ।