ଟେଲିକମ ଜଗତରେ ଚହଳ ପକାଇଲା ଜିଓ ! ମାଗଣା ଇଂଟରନେଟ ପରେ ମାଗଣା ଫୋନ୍,୧୫୩ ଟଙ୍କାରେ ଅନଲିମିଟେଡ ଡାଟା

44

କନକ ବ୍ୟୁରୋ : ଶ୍ରାବଣରେ ମାଗଣା ବର୍ଷା । ବିନା ମୂଲ୍ୟରେ ଡାଟା ଦେଉଥିବା ଜିଓ, ଏଣିକି ମାଗଣାରେ ଦେବ ସ୍ମାର୍ଟ ଫୋନ୍ । ଜିଓ ସ୍ମାର୍ଟ ଫୋନ୍ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ଆଜି ତାହା ବାସ୍ତବ ରୂପରେ ସାମ୍ନାକୁ ଆସିଛି । ଏଣିକି ସାଧାରଣରୁ ଅତି ସାଧାରଣ ଲୋକଙ୍କ ହାତରେ ଉପଲବ୍ଧ ହୋଇପାରିବ ସ୍ମାର୍ଟ ଫୋନ୍ । ମାତ୍ର ୧୫ଶହ ଟଙ୍କା ସିକ୍ୟୁରିଟି ଡିପୋଜିଟ୍ ଦେଇ ପାଇ ପାରିବେ ଏହି ଫୋନ୍ । ସେପ୍ଟେମ୍ବର ମାସ ବେଳକୁ ଲୋକଙ୍କ ହାତରେ ଥିବ ଏହି ଜିଓର ମାଗଣା ସ୍ମାର୍ଟ ଫୋନ୍ ।

ବିନା ମୂଲ୍ୟରେ ଭଏସ୍ କଲ୍ ଏବଂ ଏସ୍ଏମ୍ଏମ୍ ଯୋଗାଉଥିବା ରିଲାଏନ୍ସ ଜିଓ ବଜାରକୁ ଆଣିଛି ଦମଦାର ଅଫର । ଏଣିକି ମାଗଣାରେ ମିଳିବ ଜିଓର ଫିଚର ଫୋନ୍ । ସବୁ ଟେଲିକମ କଂପାନୀଙ୍କୁ ଚକମା ଦେଇଛି । ଏଭଳି ଏକ ଘୋଷଣା କରିଛନ୍ତି ମୁକେଶ ଆମ୍ବାନୀ । ଏହି ମାଗଣା ଫୋନ୍ ପାଇବାକୁ ହେଲେ ସିକ୍ୟୁରିଟି ବାବଦକୁ ପଇଠ କରିବାକୁ ପଡ଼ିବ ମାତ୍ର ୧୫ ଶହ ଟଙ୍କା । ଯାହା ୩ବର୍ଷ ପରେ ଗ୍ରାହକ ନିଜ ଟଙ୍କା ଫେରି ପାଇବେ । ଆଜି ଲଂଚ୍ ହୋଇଥିବା ଏହି ଜିଓ ଫୋନ୍ ପରୀକ୍ଷାମୂଳକ ଭାବରେ ଆସନ୍ତା ୧୫ ତାରିଖରେ ଆରମ୍ଭ ହେବ । ଅଗଷ୍ଟ ୨୪ ତାରିଖରେ ଆରମ୍ଭ ହେବ ଜିଓ ଫୋନର ବୁକିଂ । ଚଳିତ ମାସ ସେପ୍ଟେମ୍ବର ବେଳକୁ ଗ୍ରାହକଙ୍କ ପାଖରେ ଉପଲବ୍ଧ ହେବ ଏହି ମାଗଣା ସ୍ମାର୍ଟ ଫୋନ୍ ।

ମାଗଣା ଫୋନ୍ ସହ ଆସିଛି ଶସ୍ତା ଡାଟା ପ୍ଲାନ୍ । ମାତ୍ର ୧୫୩ ଟଙ୍କା ଦେଇ ମାସ ସାରା ପାଇ ପାରିବେ ଅନଲି ମିଟେଡ ଡାଟା । ଏକାଥରକେ ନଦେଇ ପାରିଲେ ଶସ୍ତା ଅଫର ବି ଦେଇଛି ଜିଓ । ମାତ୍ର ୫୪ ଟଙ୍କାରେ ଗୋଟିଏ ସପ୍ତାହ ଏବଂ ୨୪ ଟଙ୍କା ଦେଇ, ପାଇପାରିବେ ଦୁଇ ଦିନ ଯାଏଁ ଅନଲିମିଟେଡ୍ ଡାଟା । ରିଲାଏନ୍ସର ଏହି ଧମାକାଦାର ଅଫର ଘୋଷଣା ବେଳେ ମୁକେଶ ଆମ୍ବାନୀଙ୍କ ସହ ସାମିଲ ହୋଇଥିଲେ ଆମ୍ବାନୀଙ୍କ ଝିଅ ଈଶା ଆମ୍ବାନୀ ଏବଂ ଆକାଶ ଆମ୍ବାନୀ । ଭାରତର ଟେଲିଜମ୍ ଜଗତରେ ଚହଳ ପାଇଥିବା ଜିଓର ଏହି ୪ଜି ସ୍ମାର୍ଟ ଫୋନରେ ରହିଛି ବହୁ ଆକର୍ଷଣୀୟ ଫିଚର ।

୧ – ଜିଓ ଆପ୍ – ଯେଉଁଥିରେ ଜିଓ ସିନେମା, ଜିଓ ମ୍ୟୁଜିକ୍ ଆଦି ସୁବିଧା ମିଳିବ
୨ – ଏସଡି କାର୍ଡ – ଆପଣଙ୍କ ମୋବଇଲର ଏକ୍ସଟେଣ୍ଡଡ୍ ମେମୋରି ବଢ଼ାଇ ପାରିବେ
୩ -ଭଏସ୍ କମାଣ୍ଡ – ଭଏସ୍ କମାଣ୍ଡ ଜରିଆରେ ପରିଚାଳିତ ହୋଇପାରିବ ଫୋନ୍
୪ – ୨୨ଟି ଭାଷା ଉପଲବ୍ଧ, ନିଜ ମାତୃଭାଷାରେ କରିପାରିବେ ଅପରେଟ୍
୫ -ପାନିକ୍ ଆଲର୍ଟ – ୫ ନମ୍ବର ଟିପି ନିଜ ସୁରକ୍ଷାକୁ ସୁରକ୍ଷିତ କରିପାରିବେ
୬-୨.୪ ଇଂଚର ଡିସପ୍ଲେ, ଏଫ୍ଏମ୍, ଇନବିଲ୍ଡ ରିଙ୍ଗଟୋନ୍, ହେଡଫୋନ୍ ଜେଗ୍, ଫୋର ୱେ ନେଭିଜେସନ୍ ସିଷ୍ଟିମ୍ ଭଳି ଅନେକ ସୁବିଧା ରହିଛି ।

ଯଦିଓ ଏହି ଫୋନରେ ଫେସବୁକ୍, ମନ୍ କି ବାତ୍ ଭଳି ଆପ୍ ବ୍ୟବହାର କରିବା ପାଇଁ ସୁବିଧା ରହିଛି, କିନ୍ତୁ ହ୍ୱାର୍ଟ୍ସଅପ ବ୍ୟବହାର ପାଇଁ ସୁବିଧା ନାହିଁ । ତେବେ କଂପାନୀ ପକ୍ଷରୁ କୁହାଯାଇଛି ହ୍ୱାର୍ଟ୍ସଅପ ଯୋଡ଼ିବା ପାଇଁ ଯୋଜନା ରହିଛି । ଆଗାମୀ ଗୋଟିଏ ବର୍ଷ ଭିତରେ ଦେଶର ୯୯ ପ୍ରତିଶତ ଫୋନ୍ ବ୍ୟବହାରକାରୀଙ୍କ ପାଖରେ ଜିଓ ପହଂଚିବାର ଲକ୍ଷ୍ୟ ରଖିଛି । ଟେଲିକମ୍ ଶିଳ୍ପରେ ବିପ୍ଲବ ଆଣିଥିବା ଜିଓ, ଦେଶ ପାଇଁ ଏହା ବରଦାନ ହେବ ନା’ ଏକଚାଟିଆ ମନୋଭାବର ପ୍ରାଦୁର୍ଭାବ ବଢ଼ିବ ତାହା ଆଗାମୀ ଦିନରେ ହିଁ ଜଣା ପଡ଼ିବ ।