ସରିଲା ପଂଚାୟତ ନିର୍ବାଚନ :୧୬ଟିରେ ଜିଲ୍ଲା ପରିଷଦ ଗଠନ କରିବ ବିଜେଡି

39

କନକ ବ୍ୟୁରୋ : ୫ମ ପର୍ଯ୍ୟାୟ ପଂଚାୟତ ନିର୍ବାଚନର ଫଳାଫଳ ସହ ରାଜ୍ୟର କେଉଁ ଜିଲ୍ଲାରେ କିଏ ଜିଲ୍ଲା ପରିଷଦ ଗଠନ କରୁଛି ତାହା ସ୍ପଷ୍ଟ ହେବାରେ ଲାଗିଛି । ବର୍ତମାନ ସୁଦ୍ଧା ମିିଳିଥିବା ସୂଚନା ଅନୁସାରେ ଶାସକ ବିଜେଡି ଦଳ ରାଜ୍ୟର ୧୬ଟି ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିବା ସ୍ପଷ୍ଟ ହୋଇଛି । ୫ମ ପର୍ଯ୍ୟାୟ ନିର୍ବାଚନ ପରେ ବାଲେଶ୍ୱର, ନୂଆପଡ଼ା, କେନ୍ଦୁଝର ଏବଂ ଢ଼େଙ୍କାନାଳ ଜିଲ୍ଲାରେ ବିଜେଡି ଜିଲ୍ଲା ପରିଷଦ ଗଠନ କରିବା ସ୍ପଷ୍ଟ ହୋଇଛି ।

ପୂର୍ବରୁ ଅନୁଗୁଳ, ଭଦ୍ରକ, ବୌଦ୍ଧ, କଟକ, ଗଂଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ନୟାଗଡ଼ ଓ ପୁରୀ ଜିଲ୍ଲାରେ ବିଜେଡି ଜିଲ୍ଲା ପରିଷଦ ଗଠନ କରିବା ନେଇ ଚିତ୍ର ସ୍ପଷ୍ଟ ହୋଇଥିଲା । ସେହିପରି ୮ଟି ଜିଲ୍ଲାରେ ଭାରତୀୟ ଜନତା ପାର୍ଟି ଜିଲ୍ଲା ପରିଷଦ ଦଖଲ କରିଛି । ବରଗଡ଼, ବଲାଙ୍ଗିର, ଦେବଗଡ଼, କଳାହାଣ୍ଡି, ସମ୍ବଲପୁର, ସୁବର୍ଣ୍ଣପୁର, ମୟୁରଭଂଜ ଓ ମାଲକାନଗିରିରେ ବିଜେପି ଜିଲ୍ଲା ପରିଷଦ ଗଠନ କରୁଛି ।

କଂଗ୍ରେସ କେବଳ ଗୋଟିଏ ଝାରସୁଗୁଡ଼ା ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିବ । ତେବେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି ୫ଟି ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ ଝୁଲି ରହିଛି । ସୁନ୍ଦରଗଡ଼, ଗଜପତି, ରାୟଗଡ଼ା, କନ୍ଧମାଳ ଏବଂ ନବରଙ୍ଗପୁର ଜିଲ୍ଲାରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳିନାହିଁ । ତେଣୁ ଏହି ଜିଲ୍ଲା ଗୁଡ଼ିକରେ ଝୁଲା ଜିଲ୍ଲା ପରିଷଦ ଗଠନ ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି । ତେବେ ଆସନ୍ତା ୨୫ ତାରିଖରେ ଜିଲ୍ଲା ପରିଷଦ ଫଳ ଘୋଷଣା କରାଯିବ ।