ରୋଗର ନାଁ କଣ? ଶହେ ଶିଶୁ ମରିବା ପରେ ବି ହୋଇ ପାରିଲାନି ମାଲକାନଗିରି ମହାମାରୀର ନାମକରଣ

56

କନକ ବ୍ୟୁରୋ : ସେପ୍ଟେମ୍ବର ପହିଲାରୁ ନଭେମ୍ବର ଅଧା । ପ୍ରତିଦିନ ମଲେ ପିଲା । ପ୍ରତିଦିନ ଜଳିଲା ଜୁଇ । ପ୍ରତିଦିନ ମାଳ ମାଳ ମାଆଙ୍କ କୋଳ ଖାଲି ହେଲା । ଡାକ୍ତର ଆସିଲେ ,ବିଶେଷଜ୍ଞ ଆସିଲେ । ଭୁବନେଶ୍ୱରରୁ ଦିଲ୍ଲୀ, ରାଜ୍ୟରୁ କେନ୍ଦ୍ର । ବଛା ବଛା ଅଫିସର ଆସି ଅନୁସନ୍ଧାନ କଲେ ।

ପ୍ରଥମେ କହିଲେ ଜାପାନୀ ଜ୍ୱରରେ ମରୁଛନ୍ତି ପିଲା । ମହାମାରୀ ପାଇଁ ଘୁଷୁରୀ ଓ ସନ୍ତସନ୍ତିଆ ପାଗକୁ ଦାୟୀ କଲେ ଗବେଷକ । କ୍ୟୁଲେକ୍ସ ମସାର ବଂଶ ନିପାତ ପାଇଁ ପ୍ରଥମେ ମାରିଦେଲେ ଆଦିବାସୀର ରୋଜଗାରର ସମ୍ବଳ ପାଲଟିଥିବା ଘୁଷୁରୀକୁ । କେନ୍ଦ୍ର ସରକାରଙ୍କ ଏକ ସ୍ୱତନ୍ତ୍ର ଦଳ ଅଜଣା ରୋଗକୁ ଚିହ୍ନିବାକୁ ତନାଘନା କଲେ । ମୃତ୍ୟୁ ସଂଖ୍ୟା ବଢିବା ପରେ ସାମ୍ନାକୁ ଆସିଲା ଆଉ ଏକ ନୂଆ ରୋଗ ।

ଏଇଏସ୍ ବା ଆକ୍ୟୁଟ ଏନସେଫାଲାଇଟିସ ସିଣ୍ଡ୍ରୋମ୍ । ସରକାରଙ୍କ ମୃ୍ତ୍ୟୁ ତାଲିକା ବି ଭାଗ ଭାଗ ହୋଇଗଲା । ଜେଇ ଓ ଏଇଏସରେ ମୃତ୍ୟୁ ତାଲିକା ଲମ୍ବିଲା । ଆଉ ଏବେ ଡାକ୍ତର କହୁଛନ୍ତି, ଏ.ସି.ଏନ୍.ଏସ ବା ଆକ୍ୟୁଟ ଏନସେଫାଲାଇଟିସ ନର୍ଭ ସିଣ୍ଡ୍ରୋମ ଭଳି ମାରାତ୍ମକ ରୋଗ ମାରୁଛି ପିଲାଙ୍କୁ ।

ଗଞ୍ଜାମ ଓ ଚାନ୍ଦିପୁରା ଭାଇରସ ଭଳି ଶିଶୁ ମଡକର ମାତ୍ରାକୁ ଦେଖି କିଛି ବିଶେଷଜ୍ଞ କହିଲେ ଏହା ମାଲକାନଗିରି ଭାଇରସ । ଅନ୍ୟ କିଛି ଡାକ୍ତର କହିଲେ ଏହା ହୋଇପାରେ ଟକ୍ସିସ ଏନସେଫାଲାଇଟିସ୍ । ତେବେ ବିଡମ୍ବନାର କଥା ହେଲା , ମୃତ୍ୟୁ ସଂଖ୍ୟା ଶହେ ଟପିବା ପରେ ବି ରୋଗକୁ ଚିହ୍ନି ପାରୁନାହାଁନ୍ତି ସରକାର । କେବଳ ଯାହା ଲକ୍ଷଣ ଦେଖି ଚିକିତ୍ସାର ଦିଗ ବଦଳାଉଛନ୍ତି ।

ଏବେ ୧୮ ତାରଖକୁ ଅପେକ୍ଷା । କାରଣ ଗଡ୍ ଫାଦର ଅଫ ପେଡିଆଟ୍ରିକ୍ କୁହାଯାଉଥିବା ଡାକ୍ତର ଜାକବ୍ ଜେମ୍ସ ଆସୁଛନ୍ତି ଭୁବନେଶ୍ୱର । ଆଉ ଏହି ବୈଠକରେ ଜଣା ପଡିବ ଶିଶୁ ମଡକର କାହାଣୀ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –