ଶୀତ ଅଧିବେଶନର ତୃତୀୟ ଦିନରେ ପୁଣି ଜାପାନୀ ଜ୍ୱର ପ୍ରସଙ୍ଗ : ଶୂନ୍ୟକାଳରେ ଆଲୋଚନା ସରଗରମ

24

କନକ ବ୍ୟୁରୋ :  ଶୀତ ଅଧିବେଶନରେ ପୁଣି ଜାପାନୀ ଜ୍ୱର ପ୍ରସଙ୍ଗ । ଶୂନ୍ୟକାଳରେ ଜାପାନୀ ଜ୍ୱର ପ୍ରସଙ୍ଗରେ ଆଲୋଚନା ସରଗରମ ହୋଇଛି । ଜାପାନୀ ଏନସେଫାଲାଇଟିସରେ ମୁକାବିଲା ପାଇଁ ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି । ଆଉ ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି, ଗୃହରେ ମୁଖ୍ୟମନ୍ତ୍ରୀ ତାର ଉତ୍ତର ରଖନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି । ଶୀତ ଅଧିବେଶନର ତୃତୀୟ ଦିନ ପ୍ରଶ୍ନକାଳରେ ଖାଦ୍ୟ ସୁରକ୍ଷା ଆଇନ ନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କଠାରୁ ଉତ୍ତର ଦାବି କରିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

ଯୋଗ୍ୟ ହିତାଧିକାରୀଙ୍କୁ କେବେ ମିଳିବ ରାସନ କାର୍ଡ ସେ ନେଇ ମନ୍ତ୍ରୀଙ୍କଠାରୁ ଉତ୍ତର ଦାବି କରିଥିଲେ ତାରା । ତାରାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମନ୍ତ୍ରୀ ସଞ୍ଜୟ ଦାସବର୍ମା । ସଞ୍ଜୟ କହିଛନ୍ତି ଯେଉଁ ଯୋଗ୍ୟ ହିତାଧିକାରୀ କାର୍ଡ ପାଇନାହାଁନ୍ତି ସେମାନଙ୍କୁ ତୁରନ୍ତ କାର୍ଡ ଯୋଗାଇ ଦିଆଯିବ । ଏହା ସହ ଅଣଜଳସେଚିତ ଜମିରୁ ଧାନ ସଂଗ୍ରହ ସୀମା ବୃଦ୍ଧି କରିବାକୁ ଦାବି କରିଛନ୍ତି ବିରୋଧୀ । ଏହି ପ୍ରଶ୍ନର ଜବାବରେ ମନ୍ତ୍ରୀ କହିଛନ୍ତି ଏନେଇ ଆଲୋଚନା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଅଧିବେଶନର ପ୍ରଥମ ଦିନରେ ଜାପାନୀ ଜ୍ୱରକୁ ନେଇ ପ୍ରଶ୍ନକାଳ ବାତିଲ ଦାବି କରି ଗୃହରେ ହଟ୍ଟଗୋଳ କରିଥିଲେ ବିରୋଧୀ । ବାଚସ୍ପତି ବାରାମ୍ବାର ଗୃହକୁ ମୁଲତବି ଘୋଷଣା କରିଥିଲେ ।