ଜାମ୍ମୁରେ ଧାରା ୩୫କୁ ବନ୍ଦ ନ କରିବା ପାଇଁ ୨ ଦିନିଆ କାଶ୍ମୀର ବନ୍ଦ ଡାକରା ଦେଇଛନ୍ତି ବିଚ୍ଛିନ୍ନତାବାଦୀ : ଆନ୍ଦୋଳନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି ।

31

କନକ ବ୍ୟୁରୋ : କାଶ୍ମୀରରେ ଥମିବାରେ ନା ନେଉ ନାହିଁ ଆନ୍ଦୋଳନ । ପ୍ରତ୍ୟେକ ସମୟରେ ସେଠାରେ କୈାଣସି ନା କୈାଣସି କାରଣରୁ କାଶ୍ମୀର ବନ୍ଦ କରାଯାଉଛି । ତେବେ ବର୍ତ୍ତମାନ ସମୟରେ ସୁପ୍ରିମକୋର୍ଟରେ ଧାରା ୩୫-କ ଶୁଣାଣିକୁ ବିରୋଧ କରି ବିଚ୍ଛିନ୍ନତାବାଦୀ ପକ୍ଷରୁ ଗତକାଲି କାଶ୍ମୀର ବନ୍ଦ ପାଳନ କରାଯାଇଛି। ବ୍ୟବସାୟିକ ପ୍ରତିଷ୍ଠାନଠାରୁ ଆରମ୍ଭ କରି ପରିବହନ, ଯାତାୟାତ ଠପ୍ ହୋଇଯିବା ସହିତ ସ୍କୁଲ-କଲେଜ ମଧ୍ୟ ବନ୍ଦ ରହିଛି। ସବୁ ଦିଗରୁ ବନ୍ଦକୁ ପୂର୍ଣ୍ଣ ସମର୍ଥନ ଯୋଗାଇ ଦିଆଯାଉଛି। କାଶ୍ମୀର ବନ୍ଦ ହେବା କାରଣରୁ ଅମରନାଥ ଯାତ୍ରାକୁ ମଧ୍ୟ ପ୍ରଶାସନ ବନ୍ଦ ରଖିଥିବା ସୂଚନା ମିଳିଛି ।

 

ପୂର୍ବରୁ ମଧ୍ୟ ଅନେକ ସମୟରେ ବର୍ଷା ଓ ରାସ୍ତା ଧସିବା କାରଣରୁ ଅମରନାଥ ଯାତ୍ରାକୁ ପ୍ରଶାସନ ବନ୍ଦ କରିଛି । ତେବେ ବାରମ୍ବାର ଯାତ୍ରା ବନ୍ଦ ହେଉଥିବାରୁ ଯାତ୍ରା ଲାଗି ଆବେଦନ କରିଥିବା ସମସ୍ତ ଲୋକମାନେ ସଠିକ ସମୟରେ ଯାତ୍ରା କରିପାରିବେ ନାହିଁ ବୋଲି କେତେକ ଯାତ୍ରୀ କହିଛନ୍ତି । ତେବେ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, କାଶ୍ମୀର ବିଚ୍ଛିନ୍ନତାବାଦୀମାନେ ବନ୍ଦ ଡାକରା ଦେଇଛନ୍ତି । ତେଣୁ ଲୋକମାନଙ୍କ ସୁରକ୍ଷା ଲାଗି ଏହି ଯାତ୍ରା ବନ୍ଦ ରଖାଯାଇଛି। ତେବେ ବିଗତ ୩୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏଭଳି ବଡ଼ଧରଣର ବନ୍ଦ ପାଳନ କରାଯାଉଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ବିଚ୍ଛିନ୍ନତାବାଦୀଙ୍କ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ସମସ୍ତେ ସମର୍ଥନ ଦେଇଥିବା ସୂଚନା ମିଳିଥିବା ସହ ଆଜି ମଧ୍ୟ କାଶ୍ମୀରରେ ଆନ୍ଦୋଳନ କରାଯିବ ବୋଲି ଜଣାପଡିଛି । ବନ୍ଦ ଯୋଗୁ ସମ୍ଭାବ୍ୟ ଅଘଟଣକୁ ଦୃଷ୍ଟିରେ ରଖି କଶ୍ମୀରର ସମ୍ବେଦନଶୀଳ ସ୍ଥାନମାନଙ୍କରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ଜାମୁ-କଶ୍ମୀର ଏହାର ସ୍ୱତନ୍ତ୍ର ପାହ୍ୟା ହରାଇବ ବୋଲି ରାଜ୍ୟବାସୀ ଆଶଙ୍କା କରୁଛନ୍ତି।

 

ଜାମ୍ମୁ-କଶ୍ମୀର ସଶକ୍ତ କରିବା ଲାଗି ସମ୍ବିଧାନରେ ଧାରା ୩୫-କ ବ୍ୟବସ୍ଥା କରାଯାଇଛି। କିନ୍ତୁ ଏହାକୁ ବିରୋଧ କରାଯାଇ ସୁପ୍ରିମକୋର୍ଟରେ ଏକାଧିକ ଜନସ୍ୱାର୍ଥ ଆବେଦନ କରାଯାଇଛି। ଆଜି ତାହାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ସୁପ୍ରିମକୋର୍ଟ ଯଦି ଧାରା ୩୫-କ ଉଚ୍ଛେଦ ଲାଗି ରାୟ ପ୍ରଦାନ କରନ୍ତି, ଜାମ୍ମୁ-କଶ୍ମୀରକୁ ଏହା ଧକ୍କା ସଦୃଶ ହେବ। କାରଣ ଏହି ଧାରା ଯୋଗୁ ରାଜ୍ୟ ଅନେକ ରିହାତି ପାଇଛି। ଏମିତି କି ରାଜ୍ୟ ଏହାର ସ୍ଥାୟୀ ବାସିନ୍ଦା ଚିହ୍ନଟ ସହିତ ସେମାନଙ୍କୁ ସ୍ୱତନ୍ତ୍ର ଅଧିକାର ପ୍ରଦାନ କରିପାରୁଛି। କିନ୍ତୁ ଏହି ଧାରାରେ ଥିବା ବ୍ୟବସ୍ଥା ମଧ୍ୟରୁ କୌଣସି ଗୋଟିଏକୁ ପ୍ରଭାବିତ ନ କରିବା ଲାଗି ବିଚ୍ଛିନ୍ନତାବାଦୀମାନେ ଦାବି କରୁଛନ୍ତି। ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଖେଇ ଆସୁଥିବାରୁ ୩୫-କ ଶୁଣାଣିକୁ ସ୍ଥଗିତ ରଖିବା ଲାଗି ରାଜ୍ୟ ସରକାର ସୁପ୍ରିମ୍କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ତେବେ ଆଗକୁ ସ୍ୱାଧୀନତା ଦିବସ ଆସୁଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।