ନଗଡ଼ା ବୁଲି ଦେଖିଲେ ଯାଜପୁର ଜିଲ୍ଲାପାଳ ରଞ୍ଜନ ଦାସ : ଅଧପନ୍ତରିଆ ଉନ୍ନୟନ ମୂଳକ କାମକୁ ଦେଖି ବିଭାଗୀୟ ଅଧିକାରୀଙ୍କ ଉପରେ ବର୍ଷିଲେ, ତୁରନ୍ତ କାମ ସାରିବାକୁ ନିର୍ଦ୍ଦେଶ

68

କନକ ବ୍ୟୁରୋ : ଅପପୁଷ୍ଟି ଯୋଗୁଁ ଶିଶୁମୃତ୍ୟୁକୁ ନେଇ ଚର୍ଚ୍ଚାକୁ ଆସିଥିବା ନଗଡା ବୁଲି ଦେଖିଲେ ଯାଜପୁର ଜିଲ୍ଲାପାଳ । ଶିଶୁମୃତ୍ୟୁ ଘଟଣାକୁ ୩ବର୍ଷ ପୁରି ଚାରିବର୍ଷ ଚାଲିଥିଲେ ବି ନଗଡାର ସ୍ଥିତି ସୁଧୁରି ପାରିନାହିଁ । ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସୁଧୁରିନି ନଗଡାବାସୀଙ୍କ ଦୁଃଖ । ସବୁ ରହିଯାଇଛି ଅଧାପାନ୍ତରିଆ । କନକ ନ୍ୟୁଜରେ ନଗଡା ସ୍ଥିତି ନେଇ ଖବର ପ୍ରସାରଣ ପରେ ତତ୍ପର ହୋଇ ଉଠିଛି ଜିଲ୍ଲା ପ୍ରଶାସନ ।

ଜିଲ୍ଲାପାଳ ରଂଜନ ଦାସଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଡିଆରସିଏ ପ୍ରକଳ୍ପ ନିର୍ଦେଶକ ମନୋଜ ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିରାରୀ ନଗଡାରେ ପହଂଚି ବାସ୍ତବ ସ୍ଥିତିର ଯାଂଚ କରିଛନ୍ତି । ସରକାରୀ ଯୋଜନାର ତଦାରଖ କରି ଅଧାପନ୍ତରିଆ ପଡିଥିବା ଉନ୍ନୟନ ମୂଳକ କାମ ପାଇଁ ବିଭାଗୀୟ ଅଧିକାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଜିଲ୍ଲାପାଳ । ଏହାସହ ତୁରନ୍ତ ଏହି କାର୍ଯ୍ୟକୁ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ନଗଡାରୁ ଫେରିବା ପରେ ସୁକିନ୍ଦା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଏକ ସମିକ୍ଷା ବୈଠକ କରିଥିଲେ ଜିଲ୍ଲାପାଳ । ବୈଠକରେ ନଗଡାବାସୀଙ୍କ ଆର୍ଥିକ ବିକାଶ ପାଇଁ କୁକୁଡା, ମହୁ, ଧାନ , ମକା, ବିଭିନ୍ନ ପନିପରିବା ଚାଷ ପ୍ରତି ଅଧିକ ଗୁରୁତ୍ୱ ଦେବା ପାଇଁ ଓଡିଶା ମିଶନ ଶକ୍ତିକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡା ନଗଡାରେ ପକ୍କାଘର ପାଇନଥିବା ହିତାଧିକାରୀଙ୍କୁ ତୁରନ୍ତ ପକ୍କାଘର ଯୋଗାଇ ଦେବା ସହ ଆସନ୍ତା ଜୁଲାଇ ୧୫ତାରିଖ ସୁଧା ପୁରା ନଗଡାରେ ଆଲୋକିକରଣ କରିବା ପାଇଁ ବିଦ୍ୟୁତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।