ଚଢ଼ା ଦରରେ ବିକ୍ରି ହେଉଛି ଚାଉଳ, ହେଲେ ଧାନର ଅଭାବୀ ବିକ୍ରି ! ‘ବାସୁମତୀ’କୁ ନେଇ ଚାଷୀଙ୍କ ଅଭିଯୋଗ, କହିଲେ ବିକ୍ରି ହେଉନି ଧାନ, ମିଳୁନି ଉଚିତ୍ ମୂଲ୍ୟ ।

78

କନକ ବ୍ୟୁରୋ : ପର୍ବ-ପର୍ବାଣୀରୁ ଆରମ୍ଭ କରି ପୂଜାପାଠ, ସବୁଠି ବାସୁମତି ଚାଉଳର ଚାହିଦା  । ଚାଉଳର ବାସ୍ନା ଯେମିତି, ସ୍ୱାଦ ବି ସେମିତି । ସେଇଥି ପାଇଁ ତ’ ବାସୁବତୀ ଚାଉଳର ଦାମ କିଲୋ ପିଛା ୬୦ରୁ ୧୦୦ ଟଙ୍କା । ଆପଣ ଭାବୁଥିବେ ବାସୁମତୀ ଧାନ କରୁଥିବା ଚାଷୀ, ବେଶ ଲାଭ ପାଉଥିବେ । ଯଦି ଆପଣ ଯାଜପୁର ଜିଲ୍ଲାର ଚାଷୀଙ୍କ କାହାଣୀ ଜାଣିବେ, ହୁଏତ ଆପଣଙ୍କ ଧାରଣା ବି ବଦଳି ଯିବ । ବାସୁବତୀ ଧାନ ଚାଷ କରି ବି ଅଭାବ ଅନଟନରେ ଚଳୁଛନ୍ତି ଚାଷୀ  । କାରଣ ବାସୁବତୀ ଧାନ ବି ଅଭାବି ବିକ୍ରି ହେଉଥିବା ଅଭିଯୋଗ ହୋଇଛି ।

ଧାନରୁ ଚାଉଳ, ଆଉ ସେଇ ଚାଉଳ ଚକଚକିଆ ପକେଟରେ ଭର୍ତି ହୋଇ ବଡ ବଡ ଦୋକାନ କିମ୍ବା ମଲକୁ ପହଂଚି ଗଲେ ବଦଳି ଯାଉଛି, ବାସୁମତୀ ଚାଉଳର ଦର । କିଲୋ ପିଛା ଶହେରୁ ଅଧିକ ଟଙ୍କା ଦେଇ ବାସୁମତୀ ଚାଉଳ କିଣି ନେଉଛନ୍ତି ଲୋକେ । ହେଲେ ଏହି ଧାନ ଉତ୍ପାଦନ କରୁଥିବା ଚାଷୀଙ୍କ ହାତକୁ ଯାଉଛି କ’ଣ ?

ଯାଜପୁରରୁ ଆସିଛି ‘ବାସୁମତୀ’ର କାହାଣୀ । ହରଡ଼ଘଣାରେ ବଡ଼ଚଣାର ଧାନ ଚାଷୀ । ବଡ଼ଚଣା ବ୍ଲକ୍ ଡଗରପଡ଼ା ଗାଁରୁ ଆସିଛି ବାସୁମତୀ ଧାନର ଅଭାବି ବିକ୍ରିର କାହାଣୀ  । ମଣ୍ଡିରେ ଏହି ବାସୁମତୀ ଧାନକୁ ନେଉନଥିବା ଅଭିଯୋଗ ହେଉଥିବା ବେଳେ ବାଧ୍ୟ ହୋଇ ଚାଷୀ କମ୍ ଦାମରେ ଧାନ ବିକ୍ରି କରିଦେଉଛନ୍ତି । ଫଳରେ ପରିଶ୍ରମର ମୂଲ୍ୟ ମିଳୁନଥିବା ଅଭିଯୋଗ ହୋଇଛି ।

ପ୍ରାୟ ୪୦ବର୍ଷ ହେଲାଣି ଗାଁର ୧୭୦ ପରିବାର ବାସୁମତୀ ଧାନ ଚାଷ କରି ଆସୁଛନ୍ତି । ଦିନକୁ ଦିନ ଖର୍ଚ୍ଚ ବଢ଼ୁଥିବା ବେଳେ ଅନ୍ୟପଟେ ଅମଳର ପରିମାଣ କମିବାରେ ଲାଗିଛି । ଏଭଳି ସ୍ଥିତିରେ ପୁଣି ବାସୁମତୀ ଭଳି ଧାନର ଉଚିତ ମୁଲ୍ୟ ମିଳିବା ଚାଷୀଙ୍କୁ ବ୍ୟଥିତ କରିଛି । ଯେଉଁ ଧାନ କରି ଚାଷୀ ଗୁଜୁରାଣ ମେଂଟାଇବାକୁ ବି ସମର୍ଥ ହେଉ ନାହାନ୍ତି, ସେହି ଧାନରୁ ହେଉଥିବା ଚାଉଳ ବଜାରରେ ଚଢ଼ା ଦରରେ ବିକ୍ରି ହେଉଛି । ହେଲେ ଏସବୁ ଭିତରେ କିନ୍ତୁ ଚାଷୀଙ୍କ ହାତ ଖାଲି ।