ମଧ୍ୟ ରାତ୍ରରେ ପୁଣିଥରେ ଇତିହାସ ରଚିବ ଇସ୍ରୋ! ଲଞ୍ଚ କରିବ ବିଶ୍ୱର ସବୁଠୁ ହାଲୁକା ଉପଗ୍ରହ

119

ପୁଣିଥରେ ଇତିହାସ ରଚିବାକୁ ଯାଉଛି ଇସ୍ରୋ । ମହାକାଶକୁ ବିଭିନ୍ନ ସମୟରେ ଉପଗ୍ରହ ପଠାଇ ରେକର୍ଡ ସୃଷ୍ଟି କରୁଥିବା ଇସ୍ରୋ ଗୁରବାର ରାତିରେ ଆଉ ଏକ ଇତିହାସ ରଚିବାକୁ ଯାଉଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଲଞ୍ଚିଂ ପ୍ୟାଡରୁ ଇସ୍ରୋ ଏମିତି ଏକ ଉପଗ୍ରହ ଲଞ୍ଚ କରିବାକୁ ଯାଉଛି ଯାହା ଦୁନିଆର କୌଣସି ଦେଶ ଏଯାଏଁ କରିନାହାନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଉପଗ୍ରହକୁ ହାଇସ୍କୁଲର ଛାତ୍ରଛାତ୍ରୀ ମାନେ ନିର୍ମାଣ କରିଛନ୍ତି । ଆଉ ଏହାର ଲଞ୍ଚ ମଧ୍ୟ ସମ୍ପୂର୍ଣ୍ଣ ଭାବେ ମାଗଣାରେ କରିବ ଇସ୍ରୋ । ପ୍ରଥମ ଥର ପାଇଁ ଇସ୍ରୋ ଭାରତର କୌଣସି ନିଜସ୍ୱ ସଂସ୍ଥା ନିର୍ମାଣ କରିଥିବା ଉପଗ୍ରହ ଲଞ୍ଚ କରିବାକୁ ଯାଉଛି । ଆଜି ରାତି ୧୧.୩୭ ମିନିଟ ସମୟରେ ପିଏସଏଲଭି ରକେଟ ସାହାର୍ଯ୍ୟରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା କଲାମ ସ୍ୟାଟ ଉପଗ୍ରହ ଲଞ୍ଚ କରିବ ଇସ୍ରୋ ।

ଇସ୍ରୋ ଅନୁଯାୟୀ, ଏହା ଏବେ ପର୍ଯ୍ୟନ୍ତ ବିଶ୍ୱର ସବୁଠୁ ହାଲୁକା ଉପଗ୍ରହ । ଏହାର ଓଜନ ୧.୨୬ କିଲୋଗ୍ରାମ ଯାହା ଗୋଟିଏ କାଠ ଚୌକିର ଓଜନ ଠାରୁ ମଧ୍ୟ ହାଲୁକା । ଏହି ଉପଗ୍ରହର ନାମ ଦେଶର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ନାମ ଅନୁସାରେ ରଖାଯାଇଛି । ସ୍ପେଶ କିଡସ ନାମକ ଏକ ନିଜସ୍ୱ ସଂସ୍ଥାର ଛାତ୍ରଛାତ୍ରୀ ମାନେ ଏହି ଉପଗ୍ରହ ନିର୍ମାଣ କରିଛନ୍ତି । ମାତ୍ର ୬ ଦିନ ମଧ୍ୟରେ ଏହି ଉପଗ୍ରହ ନିର୍ମାଣ କରିଛନ୍ତି ଛାତ୍ରଛାତ୍ରୀ ।

ପିଏସଏଲଭି-ସି୪୪ ରକେଟ ସାହାର୍ଯ୍ୟରେ ଏହି ଉପଗ୍ରହକୁ ମହାକାଶକୁ ପଠାଯିବ । କଲାମ ସ୍ୟାଟ ଉପଗ୍ରହ ଛଡା ପୃଥିବୀର ଚିତ୍ର ନେବାକୁ ସକ୍ଷମ ଥିବା ମାଇକ୍ରୋସ୍ୟାଟ-ଆରକୋକୁ ନେଇ ଉଡାଣ ଭରିବ ପିଏସଏଲଭି-ସି୪୪ ରକେଟ । ଯେଉଁ ଉପଗ୍ରହକୁ ଲଞ୍ଚ କରାଯିବ ତାହାକୁ ୱାୟରଲେସ କମ୍ୟୁନିକେସନ କ୍ଷେତ୍ରରେ ବ୍ୟବହାର କରାଯିବ ।