ଏକଦିବସୀୟଠାରୁ ବି ମହଙ୍ଗା ଆଇପିଏଲ୍ ! ପ୍ରସାରଣ ଅଧିକାର ୧୬ ହଜାର କୋଟିରେ ବିକ୍ରି

45

କନକ ବ୍ୟୁରୋ: ଆଇପିଏଲ୍ ଏବେ ଅନ୍ତର୍ଜାତୀୟ କ୍ରିକେଟଠାରୁ ବି ମହଙ୍ଗା ହୋଇଯାଇଛି । ଅନ୍ତର୍ଜାତୀୟ କ୍ରିକେଟର ପ୍ରସାରଣ ଅଧିକାର ଯେତିକି ଦରରେ ବିକ୍ରି ହେଉଛି ତା’ଠାରୁ ବହୁଗୁଣ ଦେଇ କଂପାନିମାନେ ଆଇପିଏଲର ପ୍ରସାରଣ ଅଧିକାର କିଣି ନେଉଛନ୍ତି ।

ବିଶ୍ୱରେ ସଂପ୍ରତି ଯେତେ ୨୦-୨୦ କ୍ରିକେଟ୍ ଲିଗ୍ ଆୟୋଜିତ ହେଉଛି ସେସବୁର ଲୋକପ୍ରିୟତାକୁ ବଳିଯାଇଛି ଆଇପିଏଲର ଲୋକପ୍ରିୟତା । ସେଥିପାଇଁ ସୋମବାର ଏହି ଚର୍ଚ୍ଚିତ କ୍ରିକେଟ୍ ଲିଗର ୫ ବର୍ଷୀୟ ପ୍ରସାରଣ ଏବଂ ଡିଜିଟାଲ ଅଧିକାର ଅବିଶ୍ୱସନୀୟ ଭାବେ ୧୬ ହଜାର ୩୪୭ କୋଟି ଟଙ୍କାରେ ବିକ୍ରି ହୋଇଛି । ସୋମବାର ମୁମ୍ବାଇରେ ହୋଇଥିବା ନିଲାମରେ ତେରଟି ବଡ଼ କଂପାନିକୁ ପଛରେ ପକାଇ ଷ୍ଟାର ଇଣ୍ଡିଆ ୨୦୧୮ରୁ ୨୦୨୨ର ୫ ବର୍ଷୀୟ ଅବଧି ଲାଗି ଏହି ବିପୁଳ ଅର୍ଥରେ ଆଇପିଏଲର ପ୍ରସାରଣ ଅଧିକାର କିଣିଛି ।

କୌଣସି କ୍ରିକେଟ୍ ଲିଗର ପ୍ରସାରଣ ଅଧିକାର ଏତେ ଟଙ୍କାରେ ବିକ୍ରି ହେବାର ମଧ୍ୟ ଏହା ପ୍ରଥମ ଘଟଣା । ଆଶ୍ଚର୍ଯ୍ୟଜନକ ଭାବେ ଆଇପିଏଲ୍ ମ୍ୟାଚ୍ ମଧ୍ୟ ଭାରତୀୟ କ୍ରିକେଟ୍ ଦଳର ଅନ୍ତର୍ଜାତୀୟ ମ୍ୟାଚଠାରୁ ମହଙ୍ଗା ହୋଇ ଯାଇଛି । ଭାରତର ପ୍ରତ୍ୟେକ ସୀମିତ ଓଭର ମ୍ୟାଚର ପ୍ରସାରଣ ଅଧିକାର ଲାଗି ଷ୍ଟାର ଇଣ୍ଡିଆ ୪୩ କୋଟି ଟଙ୍କା ଦେଉଥିଲା ବେଳେ ଆଇପିଏଲ୍ ମ୍ୟାଚ୍ ପାଇଁ ୫୫ କୋଟି ଦେବାକୁ ଯାଉଛି ।

ଷ୍ଟାର ଇଣ୍ଡିଆ ଆଇପିଏଲର ପରବର୍ତ୍ତୀ ୫ ବର୍ଷ ପ୍ରସାରଣ ଏବଂ ଡିଜିଟାଲ ଅଧିକାରକୁ ୨.୫୫ ବିଲିୟନ୍ ଆମେରିକୀୟ ଡଲାର ବା ପାଖାପାଖି ୧୬୩୪୭.୫୦ କୋଟି ଟଙ୍କା ଦେଇ କିଣିଛି । ଯାହା ୨୦୦୮ରେ ହୋଇଥିବା ଆଇପିଏଲ୍ ପ୍ରସାରଣ ଅଧିକାର ନିଲାମ ରାଶିର ଦୁଇଗୁଣଠାରୁ ମଧ୍ୟ ଅଧିକ । ଆଇପିଏଲର ପ୍ରଥମ ଦଶଟି ସଂସ୍କରଣର ପ୍ରସାରଣ କରିଥିବା ସୋନି ପିକ୍ଚର୍ସ ନେଟଓ୍ଵର୍କ ୨୦୦୮ରେ ଏହାକୁ ୮୨୦୦ କୋଟି ଟଙ୍କାରେ କିଣିଥିଲା । ତେବେ ଏଥର ପ୍ରସାରଣ ଅଧିକାର କିଣିବା ଦୌଡ଼ରେ ଷ୍ଟାର ଇଣ୍ଡିଆଠାରୁ ପଛରେ ପଡ଼ି ଯାଇଥିଲା ।

ଭାରତରେ ପ୍ରସାରଣ ଅଧିକାର ଲାଗି ୧୧,୦୫୦ କୋଟି ସହ ସୋନି ମୋଟ ଉପରେ ୧୧,୧୩୪ କୋଟି ଟଙ୍କାର ପ୍ରସ୍ତାବ ଦେଇଥିଲା । ହେଲେ ଷ୍ଟାର ଇଣ୍ଡିଆ ଏହି କଂପାନିଠାରୁ ଯଥେଷ୍ଟ ଅଧିକ ଟଙ୍କା ଦେଇ ୨୦୧୮ରୁ ୨୦୨୨ ମସିହାର ପାଞ୍ଚ ବର୍ଷୀୟ ଅବଧି ପାଇଁ ଆଇପିଏଲର ପ୍ରସାରଣ ଅଧିକାର ହାସଲ କରି ନେଇଛି ।

ଆଇପିଏଲର ପ୍ରସାରଣ ଅଧିକାର ଲାଗି ୧୪ କଂପାନି ଆଗ୍ରହ ପ୍ରକାଶ କରିଥିଲେ । ତେବେ ବୈଷୟିକ ଯାଞ୍ଚ ପରେ କେବଳ ଷ୍ଟାର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଏବଂସୋନି ପିକ୍ଚର୍ସ ନେଟଓ୍ଵର୍କ ଯୋଗ୍ୟ ପ୍ରାର୍ଥୀ ଭାବେ ଚୂଡ଼ାନ୍ତ ଚାଲିକାରେ ସ୍ଥାନ ପାଇଥିଲେ । ଉଭୟଙ୍କ ବିଡ୍ ଦେଖିବା ପରେ ବିସିସିଆଇ ଅଧିକାରୀମାନେ ସର୍ବାଧିକ ଟଙ୍କା ଦେଉଥିବାରୁ ଷ୍ଟାର ଇଣ୍ଡିଆକୁ ପ୍ରସାରଣ ଅଧିକାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ଷ୍ଟାର ଭାରତ ସହ ମଧ୍ୟପ୍ରାଚ୍ୟ, ଆଫ୍ରିକା, ୟୁରୋପ, ଆମେରିକା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ପାଇଁ ମଧ୍ୟ ପ୍ରସାରଣ ଅଧିକାର ହାସଲ କରିଥିଲା । ସୋନି ଏବଂ ଷ୍ଟାର ଛଡ଼ା ଫେସବୁକ୍, ଏୟାରଟେଲ୍, ରିଲାଏନ୍ସ ଜିଓ, ଟାଇମ୍ସ ଇଣ୍ଟରନେଟ୍, ଷ୍ଟାର ଟିଭି ପ୍ରମୁଖ ଆଇପିଏଲର ଡିଜିଟାଲ ଅଧିକାର କିଣିବା ଦୌଡ଼ରେ ଥିଲେ ।

ଆଇପିଏଲର ପ୍ରସାରଣ ଅଧିକାର ୧୬ ହଜାରରୁ ଅଧିକ କୋଟି ଟଙ୍କାରେ ବିକ୍ରି ହେବା ପରେ ଭାରତୀୟ କ୍ରିକେଟ୍ ଦଳର ଅନ୍ତର୍ଜାତୀୟ ମ୍ୟାଚ୍ ବି ଏହା ତୁଳନାରେ ଶସ୍ତା ହୋଇ ଯାଇଛି । ଷ୍ଟାର ଇଣ୍ଡିଆ ଆଗାମୀ ପାଞ୍ଚ ବର୍ଷ ପାଇଁ ଆଇପିଏଲର ଗୋଟିଏ ମ୍ୟାଚର ପ୍ରସାରଣ ଅଧିକାର ଲାଗି ବିସିସିଆଇକୁ ୫୫ କୋଟି ଟଙ୍କା ଦେବାକୁ ଯାଉଛି । ଅନ୍ୟପକ୍ଷରେ ଏହି ସଂସ୍ଥା ଭାରତୀୟ କ୍ରିକେଟ୍ ଦଳର ପ୍ରତି ଅନ୍ତର୍ଜାତୀୟ ମ୍ୟାଚ୍ ପ୍ରସାରଣ କରିବା ଲାଗି ପାଖା ପାଖି ୪୩ କୋଟି ଟଙ୍କା ଦେଉଛି । ଏହି ଦୃଷ୍ଟିରୁ ଦେଖିଲେ ଭାରତୀୟ କ୍ରିକେଟ୍ ଦଳର ପ୍ରତ୍ୟେକ ସୀମିତ ଓଭର ଅନ୍ତର୍ଜାତୀୟ ମ୍ୟାଚଠାରୁ ଆଇପିଏଲ୍ ମ୍ୟାଚ୍ ପାଇଁ ଷ୍ଟାର ଇଣ୍ଡିଆ ୧୨ କୋଟି ଟଙ୍କା ଅଧିକ ଦେବାକୁ ରାଜି ହୋଇଛି । ଷ୍ଟାର ଇଣ୍ଡିଆ ଆଇପିଏଲ୍ ଲାଗି ବିସିସିଆଇକୁ ବର୍ଷକୁ ୩୨୭୦ କୋଟି ଟଙ୍କା ଦେବ ।

ଅନ୍ୟପକ୍ଷରେ ୨୦୧୨ରୁ ୨୦୧୮ ମସିହା ପର୍ଯ୍ୟନ୍ତ ଭାରତୀୟ ଦଳର ପ୍ରସାରଣ ଏବଂ ଡିଜିଟାଲ ଅଧିକାର ଲାଗି ୩,୮୫୧ କୋଟି ଟଙ୍କା ଦେଇଛି । ଭାରତ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ କ୍ରିକେଟ୍ ବୋର୍ଡର ମିଳିତ ବାର୍ଷିକ ପ୍ରସାରଣ ଅଧିକାର ମୁଲ୍ୟଠାରୁ ମଧ୍ୟ ଆଇପିଏଲର ବାର୍ଷିକ ପ୍ରସାରଣ ଅଧିକାର ଅଧିକ ଟଙ୍କାରେ ବିକ୍ରି ହୋଇଛି । ଆଇପିଏଲର ବାର୍ଷିକ ପ୍ରସାରଣ ଅଧିକାର ମୂଲ୍ୟ ଅଷ୍ଟ୍ରେଲିଆର ଘରୋଇ ୨୦-୨୦ ଲିଗ୍ ବିଗ୍ ବାସ୍ ଠାରୁ ୨୦ ଗୁଣ ଅଧିକ । ଆଇପିଏଲ୍ ପ୍ରସାରଣ ଅଧିକାର ପାଇଁ ବର୍ଷକୁ ୫୦୮ ନିୟୁତ ଡଲାର ପାଉଥିଲା ବେଳେ ବିଗ୍ ବାସ୍ ପାଉଛି ମାତ୍ର ୨୦ ନିୟୁତ ଡଲାର ।