ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ପ୍ରଥମ ଦିନିକିଆ ! ସିରିଜ ୩-୦ରେ ଜିତିଲେ ଭାରତ ହେବ ନମ୍ବର-ୱାନ

36

କନକ ବ୍ୟୁରୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜ ପରେ ଆଜି ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି । ଧର୍ମଶାଳାର ମୁହାଁମୁହିଁ ହେବେ ସିଂହଳି ଦଳ ଓ ଟିମ ଇଣ୍ଡିଆ । ଧର୍ମଶାଳା ଷ୍ଟାଡିୟମରେ ଶ୍ରୀଲଙ୍କା ଟିମ ନେଟ ପ୍ରାକ୍ଟିସ କରିଛନ୍ତି । ଟେଷ୍ଟ ସିରିଜର ପରାଜୟକୁ ଭୁଲି ଦିନିକିଆ ସିରିଜ କବଜା କରିବା ଲକ୍ଷ୍ୟରେ ଅଛନ୍ତି ଶ୍ରୀଲଙ୍କା ଖେଳାଳି । ଆଜି ଧର୍ମଶାଳାରେ ଖେଳାଯିବାକୁ ଥିବା ପ୍ରଥମ ଦିନିକିଆ ମ୍ୟାଚ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହେବା ଆଶଙ୍କା ରହିଛି । ସ୍ଥାନୀୟ ପାଣିପାଗ ବିଭାଗ ବର୍ଷା ଓ ତୁଷାରପାତର ପୁର୍ବାନୁମାନ କରିଛି ।

ସୂଚନା ମୁତାବକ, ଆଜିଠାରୁ ଆରମ୍ଭ ହେଉଥିବା ସୀମିତ ଓଭର (ଦିନିକିଆ ଏବଂ ୨୦-୨୦) ଶୃଙ୍ଖଳାରୁ କୋହଲି ଓହରି ଯାଇଛନ୍ତି । ପ୍ରତିକୂଳ ପାଗ ଓ ଅସ୍ଥିର ପ୍ରଦର୍ଶନ ଭିତରେ ଶୃଙ୍ଖଳା ଶେଷ କରିଥିବା ଭାରତୀୟ ଦଳ ନୂଆ ଅଧିନାୟକଙ୍କ ନେତୃତ୍ୱରେ ନୂଆ ଆରମ୍ଭ କରିବାକୁ ଯାଉଛି । ଆଇପିଏଲର ସଫଳ ଅଧିନାୟକ ରୋହିତ ଶର୍ମା ଏବଂ ଅନ୍ୟତମ ଆଇପିଏଲ୍ ଖେଳାଳି ତିସରା ପେରେରାଙ୍କ ମଧ୍ୟରେ ଆଜଠାରୁ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା ୫୦ ଓଭରିଆ ଲଢ଼େଇ । ଶେଷ ଥର ପାଇଁ ଶ୍ରୀଲଙ୍କା ଯେତେବେଳେ ଭାରତରେ ଖେଳିଥିଲା ରୋହିତ ଶର୍ମା ବିଶ୍ୱ କୀର୍ତିମାନ ଭରା ୨୬୪ ରନର ପାଳି ଖେଳିଥିଲେ । ଭାରତ ଏବେ ୭ ଶୃଙ୍ଖଳା ବିଜୟ ଧାରାରେ ଥିବାବେଳେ ଶ୍ରୀଲଙ୍କା ୧୨ ମ୍ୟାଚ୍ ପରାଜୟ କ୍ରମରେ ରହିଛି ।

ସେଭଳି କିଛି କରିସ୍ମା ହେବା ଭଳି ଲାଗୁନାହିଁ । କେବଳ ଭାରତକୁ ମୂଳପୋଛ ବିଜୟରୁ ରୋକିପାରିଲେ ଶ୍ରୀଲଙ୍କା ପାଇଁ ଯଥେଷ୍ଟ ହେବ ବୋଲି ବିଶ୍ୱାସ କରାଯାଉଛି । ଭାରତ ୧ ନମ୍ବର ସ୍ଥାନ ଦଖଲ କରିବାକୁ ହେଲେ ମୂଳପୋଛ ବିଜୟ ଲୋଡ଼ା କରିବ। ଉତ୍ତର ଭାରତରେ ଥିବା ୨ଟି ମ୍ୟାଚ୍କୁ କିନ୍ତୁ କାକର ପ୍ରଭାବିତ କରିବା ଆଶଙ୍କା ରହିଛି । ଶ୍ରୀଲଙ୍କାଙ୍କୁ ହାଲକାରେ ନେବା ଭାରତ ପାଇଁ ନିଶ୍ଚିତ ମହଙ୍ଗା ପଡ଼ିବ । ଶେଷ ଥର ପାଇଁ ଶ୍ରୀଲଙ୍କା ସହିତ ଭାରତ ଚଳିତ ବର୍ଷ ଚାମ୍ପିଅନ୍ସ ଟ୍ରଫିରେ ଖେଳିଥିଲା ଏବଂ ଜିତିଥିଲା । ସେହିଭଳି ଭାରତ ମଧ୍ୟ ଚଳିତ ବର୍ଷ ଶ୍ରୀଲଙ୍କା ଗସ୍ତରେ ୫-୦ରେ ଜିତିଥିଲା ।

କୋହଲିଙ୍କ ଅନୁପସ୍ଥିତିରେ ଅଜିଙ୍କ୍ୟ ରାହାଣେ ଚୂଡାନ୍ତ ଏକାଦଶରେ ଖେଳିବା ନିଶ୍ଚିତ । ଦୀନେଶ କାର୍ତିକ ପୁଣି ୪ ନମ୍ବର ସ୍ଥାନ ପାଇଁ ବିକଳ୍ପ ଭାବେ ରହିଛନ୍ତି । ଧାଓ୍ଵନଙ୍କ ଜ୍ୱର ହୋଇଥିବାରୁ ସେ ଶୁକ୍ରବାର ଅଭ୍ୟାସ କରିନଥିଲେ । କିନ୍ତୁ ଶନିବାର ସେ ନେଟ୍ସରେ ସାମିଲ ହୋଇଥିଲେ । ଯୁବ ବ୍ୟାଟିଂ ପ୍ରତିଭା ଶ୍ରେୟସ ଆୟର୍ ପଦାର୍ପଣ ସୁଯୋଗ ପାଇବା ସମ୍ଭାବନା ରହିଛି । କେଦାର ଯାଦବଙ୍କ ବଦଳରେ ମଧ୍ୟକ୍ରମରେ ମନୀଷ ପାଣ୍ଡେ କିମ୍ବା ଦୀନେଶ କାର୍ତିକ ଖେଳିବେ।ଶ୍ରୀଲଙ୍କା ଦିିନିକିଆ ଦଳକୁ ଆଞ୍ଜେଲୋ ମାଥ୍ୟୁସ, ଦାନୁସ୍କ ଗୁଣତିଳକ ଓ ଆସେଲା ଗୁଣରତ୍ନେଙ୍କ ପ୍ରତ୍ୟାବର୍ତନ ନିଶ୍ଚିତ ଭାରତ ପାଇଁ ପ୍ରତିବଂଧକ ହେବ । ଧର୍ମଶାଳାରେ ମାତ୍ର ୩ ଦିନିକିଆ ମ୍ୟାଚ୍ ଖେଳାଯାଇଛି । ପ୍ରଥମେ ବ୍ୟାଟିଂ ସ୍କୋର୍ ୧୯୦ରୁ ୩୩୦ ରନ୍ ଭିତରେ ରହିଛି । ସେ ଦୃଷ୍ଟିରୁ ଆକଳନ ଲଗାଇବା କଷ୍ଟକର ହୋଇଛି ।

ଭାରତ (ସମ୍ଭାବ୍ୟ ୧୧): ରୋହିତ ଶର୍ମା (ଅଧିନାୟକ), ଶିଖର ଧାଓ୍ଵନ, ଅଜିଙ୍କ୍ୟ ରାହାଣେ, ଦୀନେଶ କାର୍ତିକ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି (ଓ୍ଵିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, କୁଲଦୀପ ଯାଦବ/ଅକ୍ଷର ପଟେଲ୍, ଯଶପ୍ରୀତ ବୁମରା, ୟୁଜବେନ୍ଦ୍ର ଚହଲ୍ ।

ଶ୍ରୀଲଙ୍କା (ସମ୍ଭାବ୍ୟ ୧୧): ଉପୁଲ ଥରଙ୍ଗା, ଦାନୁଷ୍କ ଗୁଣତିଳକ, ସଦୀରା ସମରବିକ୍ରମା/କୁସଲ ପେରେରା/ଲାହିରୁ ଥିରିମାନେ, ନିରୋଶନ ଡିକେଓ୍ଵଲା (ଓ୍ଵିକେଟରକ୍ଷକ), ଆଞ୍ଜେଲୋ ମାଥ୍ୟୁସ, ତିସରା ପେରେରା (ଅଧିନାୟକ), ଆସେଲା ଗୁଣରତ୍ନେ, ଚତୁରଙ୍ଗା ଡି’ ସିଲଭା/ସଚିତ ପଥିରଣା,/ଦୁଷ୍ମନ୍ତ ଚାମିରା, ସୁରଙ୍ଗା ଲାକମଲ, ନୁଓ୍ଵାନ ପ୍ରଦୀପ, ଅଖିଳ ଧନଞ୍ଜୟ ।