ଉଦଘାଟନୀ ମ୍ୟାଚ: ଭାରତ ବନାମ ପାକିସ୍ତାନ ! ହକି ଚାମ୍ପିଅନ୍ସ ଟ୍ରଫି ୨୦୧୮ ପାଇଁ ଖେଳସୂଚୀ ଜାରି କଲା ଆନ୍ତର୍ଜାତୀୟ ହକି ଫେଡେରେସନ, ଜୁନ ୨୩ରେ ଭାରତ-ପାକିସ୍ତାନ ମୁକାବିଲା

32

କନକ ବ୍ୟୁରୋ: ଚଳିତ ବର୍ଷ ଜୁନ୍ ୨୩ରୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ରାବୋ ବ୍ୟାଙ୍କ୍ ହକି ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେବ । ଏଥି ପାଇଁ ଆନ୍ତର୍ଜାତିକ ହକି ସଂଘ (ଏଫଆଇଏଚ୍) ଗୁରୁବାର ଖେଳ ସୂଚୀ ଘୋଷଣା କରିଛି । ୯ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୨୫ ତାରିଖ ବିଶ୍ରାମ ଦିବସ ରହିଛି । ୬ ଦଳୀୟ ପ୍ରତିଯୋଗିତାରେ ଆୟୋଜକ ତଥା ୟୁରୋପୀୟ ବିଜେତା ନେଦରଲାଣ୍ଡ୍ ସହିତ ୨୦୧୬ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଆର୍ଜେଣ୍ଟିନା, ବିଶ୍ୱକପ୍, ବିଶ୍ୱ ଲିଗ୍ ଏବଂ ଚାମ୍ପିଅନ୍ସ ଟ୍ରଫି ବିଜେତା ଅଷ୍ଟ୍ରେଲିଆ, ରିଓ ଅଲିମ୍ପିକ୍ ରୌପ୍ୟ ବିଜେତା ବେଲ୍ଜିୟମ୍, ଏସୀୟ ବିଜେତା ଭାରତ ଓ ତିନିଥର ଚାମ୍ପିଅନ୍ସ ଟ୍ରଫି ବିଜେତା ପାକିସ୍ତାନ ଅଂଶଗ୍ରହଣ କରିବେ ।

ନେଦରଲାଣ୍ଡ୍, ଆର୍ଜେଣ୍ଟିନା ଏବଂ ଅଷ୍ଟ୍ରେଲିଆ ଏହି ପ୍ରତିଯୋଗିତାକୁ ସିଧାସଳଖ ଯୋଗ୍ୟତା ହାସଲ କରିଥିଲା ବେଳେ ଅବଶିଷ୍ଟ ୩ ରାଷ୍ଟ୍ର ଏଫ୍ଆଇଏଚ୍ କାର୍ଯ୍ୟନିର୍ବାହୀ ବୋର୍ଡ ଦ୍ୱାରା ନିମନ୍ତ୍ରିତ ହୋଇଥିଲେ । ହଲାଣ୍ଡର ରାବୋବ୍ୟାଙ୍କ୍ ପ୍ରାୟୋଜକ ରହିଛି । ଜୁନ୍ ୨୩ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଉଦ୍ଘାଟନୀ ମୁକାବିଲା ହେବ। ସେହିଦିନ ଅନ୍ୟ ଦୁଇଟି ମ୍ୟାଚ୍ ନେଦରଲାଣ୍ଡ୍-ଆର୍ଜେଣ୍ଟିନା ଏବଂ ଅଷ୍ଟ୍ରେଲିଆ-ବେଲଜିୟମ୍ ମଧ୍ୟରେ ଖେଳାଯିବ । ଭାରତ ତା’ର ପରବର୍ତୀ ମ୍ୟାଚ୍ ୨୪ ତାରିଖ ଦିନ ଆର୍ଜେଣ୍ଟିନା ସହ ଖେଳିବା ପରେ ୨୭ ତାରିଖରେ ଅଷ୍ଟ୍ରେଲିଆ, ୨୮ରେ ବେଲଜିୟମ୍ ଏବଂ ୩୦ ତାରିଖରେ ନେଦରଲାଣ୍ଡକୁ ଭେଟିବ। ଜୁଲାଇ ୧ରେ କ୍ଲାସିଫିକେସନ୍ ମ୍ୟାଚ୍ ସାଙ୍ଗକୁ ଫାଇନାଲ୍ ଖେଳାଯିବ।